ଗାଁରୁ ସହର ମଦ ଆଉ ଧଳା ଜହରର କାରବାର; ଗଞ୍ଜେଇ ଉପରେ କାହିଁକି ‘ସର୍ଜିକାଲ୍ ଷ୍ଟ୍ରାଇକ୍’

ନିକଟରେ ଓଡିଶା ସରକାର ଗଞ୍ଜେଇ ବିରୋଧରେ ଏକ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି l ରାଜ୍ୟରେ ଥିବା ସମସ୍ତ ଶୈବପୀଠଗୁଡିକରେ ଗଞ୍ଜେଇକୁ ନେଇ ନିଷେଧାଦେଶ ଜାରି କରିଛନ୍ତି l ମଦ ଏବଂ ଡ୍ରଗ୍ସ ଭଳି ଘାତକ ନିଶାଦ୍ରବ୍ୟ ଗାଁରୁ ସହର ସର୍ବତ୍ର ଦଖଲ କରିଥିବା ବେଳେ ଗଞ୍ଜେଇ ଉପରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନିନ୍ଦା କରଯାଇଛି l

ଗଞ୍ଜେଇ ଉପରେ କାହିଁକି ‘ସର୍ଜିକାଲ୍ ଷ୍ଟ୍ରାଇକ୍’

ଯେକୌଣସି ବି ନିଶା ବା ମାଦକ ଦ୍ରବ୍ୟ ଶରୀର ପାଇଁ କ୍ଷତିକାରକl ଏହି ଲେଖନୀ ମାଧ୍ୟମରେ କୌଣସି ନିଶାଦ୍ରବ୍ୟକୁ ଆମେ ପ୍ରୋତ୍ସାହିତ କରୁ ନାହୁଁ l

ନିକଟରେ ଓଡିଶା ସରକାର ଗଞ୍ଜେଇ ବିରୋଧରେ ଏକ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି l ରାଜ୍ୟରେ ଥିବା ସମସ୍ତ ଶୈବପୀଠଗୁଡିକରେ ଗଞ୍ଜେଇକୁ ନେଇ ନିଷେଧାଦେଶ ଜାରି କରିଛନ୍ତି l ଗଞ୍ଜେଇର ଔଷଧୀୟ ଗୁଣ ଓ ନିଶା ପଦାର୍ଥ ଭାବେ ଗ୍ରହଣକୁ ନେଇ ବିବାଦ ଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତି ପ୍ରତି ବୁଦ୍ଧିଜୀବୀ, ଶୈବ ସାଧକ ଅସନ୍ତୋଷ ପ୍ରକଟ କରିଛନ୍ତି l ମଦ ଏବଂ ଡ୍ରଗ୍ସ ଭଳି ଘାତକ ନିଶାଦ୍ରବ୍ୟ ଗାଁରୁ ସହର ସର୍ବତ୍ର ଦଖଲ କରିଥିବା ବେଳେ ଗଞ୍ଜେଇ ଉପରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନିନ୍ଦା କରଯାଇଛି l

ଗଞ୍ଜେଇର ଖୁବ କମ ପ୍ରତିଶତ ନିଶାଦ୍ରବ୍ୟ ଭାବେ ବ୍ୟବହୃତ କରାଯାଉଥିବା ବେଳେ ଅଧିକାଂଶ ଭାଗ କର୍କଟ, ହୃଦ୍‌ରୋଗ, ଆସ୍ଥମା ଭଳି ରୋଗର ଔଷଧ ପାଇଁ ବ୍ୟବହାର କରାଯାଏl ଏଥିରୁ ନିର୍ମିତ ଏକ ସ୍ୱତନ୍ତ୍ର ପୋଷାକ ସଂକ୍ରମଣ ନିରୋଧକ ବୋଲି ଦାବି କରାଯାଏ l ବିଶ୍ୱ ବଜାରରେ ଏହି ପୋଷାକର ଚାହିଦା ରହିଛି l

ଶୈବପୀଠଗୁଡିକରେ ଗଞ୍ଜେଇ ନିଷେଧ ସହିତ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଓଡିଶା ସରକାରଙ୍କ ଭାଷା ଓ ସଂସ୍କୃତି ବିଭାଗ ତରଫରୁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ଚିଠି ଲେଖାଯାଇଛି l 'ଅନନ୍ତ ବଳିଆ ଟ୍ରଷ୍ଟ୍‌' ଦ୍ୱାରା ସରକାରଙ୍କୁ ପ୍ରାୟ ମାସେ ତଳେ (୫ ଏପ୍ରିଲ୨୦୨୩) ଲେଖିଥିବା ଏକ ପତ୍ରକୁ ଆଧାର କରି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଏ l

୫ ବର୍ଷ ତଳେ ଗଞ୍ଜେଇକୁ ଆଇନ ସମ୍ମତ ବିଷୟରେ ଆଲୋଚନାକୁ ଆସିଥିବା ରାଜ୍ୟ ସରକାରଙ୍କ ହଠାତ ଏଭଳି ନିଷ୍ପତ୍ତିକୁ ନେଇ ଏକ କମ୍ପନ ସୃଷ୍ଟିହୋଇଛି l ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛିl ବର୍ଷ ବର୍ଷ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ମହିଳାମାନେ ମଦ ବିରୋଧରେ ସଂଗ୍ରାମ କରୁଛନ୍ତି l

ଗୋଟିଏ ପଟେ ମଦ ପ୍ରତି ସରକାର ପ୍ରୋତ୍ସାହନର ବ୍ୟବସ୍ଥା କରୁଥିବା ବେଳେ ଅନ୍ୟପଟେ ଗଞ୍ଜେଇ ବିରୋଧରେ ଅଚାନକ ଏଭଳି ନିଷ୍ପତ୍ତି କାହିଁକି ବୋଲି ପ୍ରଶ୍ନ କରାଯାଏ l ମଦରୁ ବେହିସାବ ମୁନାଫା ମିଳୁଥିବାରୁ ଏଥିରୁ ଅଧିକ ଅର୍ଥ ରାଶି ଆଦାୟ କରିବା ପାଇଁ ଗଞ୍ଜେଇକୁ ଟାର୍ଗେଟ୍‌ କରାଯାଇଥିବା ଯୁକ୍ତି ମଧ୍ୟ ହୁଏ l

ନିକଟରେ ଓଡ଼ିଶା ସରକାର ଅବକାରୀରୁ ୧୦,୦୦୦ କୋଟି ଟଙ୍କାର ରାଜସ୍ୱ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ କରିଥିବା କଥା ସାମ୍ନାକୁ ଆସିଛି l ଏପ୍ରିଲ ମାସର ଏକ ରିପୋର୍ଟରୁ ଜଣାପଡିଛି, ଗତ ଦୁଇ ବର୍ଷ ମଧ୍ୟରେ ଅବକାରୀ କ୍ଷେତ୍ରର ବ୍ୟାପକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ୧୦,୦୦୦ କୋଟି ଟଙ୍କାର ଏକ୍ସାଇଜ୍ ରାଜସ୍ୱ ହାସଲ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଗତ ବର୍ଷ ତୁଳନାରେ ୧୫ ପ୍ରତିଶତ ଅଧିକ ସଂଗ୍ରହ ସହିତ ୨୦୨୨-୨୩ରେ ଏକ୍ସାଇଜ୍ କ୍ଷେତ୍ରର ଅଭିବୃଦ୍ଧି ବହୁତ ଅଧିକ ହୋଇଛି।

ସରକାରୀ ସୂତ୍ର ଅନୁଯାୟୀ, ମଦ ଉପରେ ରାଜ୍ୟ ୬,୧୮୬.୩୬ କୋଟି ଏକ୍ସାଇଜ୍ ଏବଂ ୨୫୮୫ କୋଟି ଭାଟ୍ ସଂଗ୍ରହ କରି ୨୦୨୨-୨୩ ପାଇଁ ମୋଟ୍‌ ଏକ୍ସାଇଜ୍ ରାଜସ୍ୱ କରି ୮,୭୬୭.୩୬ କୋଟି ଟଙ୍କା ହୋଇଛି। ବାସ୍ତବରେ, ସଂଗ୍ରହ ୨୦୨୨-୨୩ ପାଇଁ ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ସଂଶୋଧିତ ଲକ୍ଷ୍ୟଠାରୁ ଅଧିକ ହୋଇଛି।

୨୦୨୨-୨୩ ବଜେଟ୍‌ରେ ଏକ୍ସାଇଜ୍ ରାଜସ୍ୱରୁ ସରକାର ୬,୪୯୫ କୋଟି ଟଙ୍କା ଧାର୍ଯ୍ୟ କରିଥିଲେ ଯାହା ପରେ ୬,୮୮୨ କୋଟି ଟଙ୍କାକୁ ସଂଶୋଧିତ କରାଯାଇଥିଲା। ଆର୍ଥିକ ବର୍ଷ ଶେଷରେ ସଂଗ୍ରହ ସଂଶୋଧିତ ଆକଳନଠାରୁ ୨୭ ପ୍ରତିଶତ ଅଧିକ ହୋଇଛି। ଗତ ଦୁଇ ବର୍ଷ ମଧ୍ୟରେ ଓଡିଶାରେ ପ୍ରାୟ ୧୦ ରୁ ୧୫ ପ୍ରତିଶତ ଅଭିବୃଦ୍ଧି ଘଟିଛି l

୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ଏକ୍ସାଇଜ୍ ଠାରୁ ୫,୫୨୮ କୋଟି ଏବଂ ମଦ ଉପରେ ୨,୧୦୦ କୋଟି ଭାଟ୍ ସହିତ ୭,୬୨୮ କୋଟି ଟଙ୍କା ସଂଗ୍ରହ କରିଛି। ସେହିଭଳି ୨୦୨୦-୨୧ ମସିହାରେ ୪,୦୫୩ କୋଟି ଏକ୍ସାଇଜ୍ ଏବଂ ଭାଟ୍‌ରୁ ୧,୩୪୬ କୋଟି ଟଙ୍କା ସହିତ ୫,୪୦୦ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା।

ବିଶ୍ୱ ବ୍ୟାଧି ମହାମାରୀ କରୋନା ସମୟରେ ଓଡ଼ିଶା ପ୍ରଥମେ ମଦର ହୋମ୍‌ ଡେଲିଭେରୀ ବ୍ୟବସ୍ଥା କରିଥିଲା l ଆଉ ଏହି କୋଭିଡ୍‌ -୧୯ ମହାମାରୀର ଦୁଇ ବର୍ଷରେ ସରକାରୀ ଉତ୍ସଗୁଡିକ ଭଲ ରାଜସ୍ୱ ସଂଗ୍ରହ କରିଥିଲେ।

୨୦୨୩-୨୪ ପାଇଁ ଏକ୍ସାଇଜ୍ ରାଜସ୍ୱ ଲକ୍ଷ୍ୟ ୭,୭୪୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି ଯାହାକି ରାଜସ୍ୱ ସଂଗ୍ରହର ଢାଞ୍ଚାକୁ ଧ୍ୟାନରେ ରଖି ୮,୦୦୦ କୋଟିରୁ ଅଧିକ ଟଙ୍କାକୁ ସଂଶୋଧିତ ହେବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ବର୍ଷକ ପାଇଁ ଏକ ବ୍ୟାପକ ଏକ୍ସାଇଜ୍ ନୀତି ଆପଣେଇଛନ୍ତି। ତେବେ ସଂଶୋଧିତ ଆକଳନ ତୁଳନାରେ ପ୍ରତିବର୍ଷ ଏକ୍ସାଇଜ୍ ରାଜସ୍ୱର ଅଭିବୃଦ୍ଧି ପ୍ରାୟ ୨୦ ପ୍ରତିଶତ ହୋଇଥିବାରୁ ଆର୍ଥିକ ବର୍ଷରେ ଏହି ଲକ୍ଷ୍ୟ ୧୦,୦୦୦ କୋଟି ଟଙ୍କା ଛୁଇଁବ ବୋଲି ସରକାର ଆଶା କରୁଥିବା କୁହାଯାଏ l

ଅପରପକ୍ଷେ ବର୍ଷ ବର୍ଷ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରୁ ହଜାର ହଜାର କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି l କେବଳ ସେପ୍ଟେମ୍ବର ୨୦୨୦ରୁ ମାର୍ଚ୍ଚ ୨୦୨୧ ସାତ ମାସରେ ୫,୭୫୦ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ପ୍ଲାଣ୍ଟ୍‌ ନଷ୍ଟ କରାଯାଇଥିବା ଏକ ସୂତ୍ରରୁ ଜଣାପଡିଛି l ୨୩,୦୦୦ ଏକର ଜମିରେ ଗଞ୍ଜେଇ ଚାଷକୁ ନଷ୍ଟ କରିବାରେ ଓଡ଼ିଶା ପୋଲିସ ରେକର୍ଡ ସୃଷ୍ଟି କରିଛି।

କୁହାଯାଏ ଏକ ଏକର ଜମିରେ ସର୍ବନିମ୍ନ ୧୦୦୦ ଗଞ୍ଜେଇ ପ୍ଲାଣ୍ଟ ଚାଷ କରାଯାଇପାରିବ। ଗୋଟିଏ ଗଛରୁ ଅତିକମରେ ୩୦୦ ରୁ ୫୦୦ ଗ୍ରାମ ଗଞ୍ଜେଇ ମିଳେ। ଗୋଟିଏ ଏକରରୁ ପ୍ରାୟ ପାଞ୍ଚ କ୍ୱିଣ୍ଟାଲ ଗଞ୍ଜେଇ ଉତ୍ପାଦିତ ହୁଏ।

ମଜା ନା ସଜା:

ଗଞ୍ଜେଇ କ’ଣ ଏକ ସାଙ୍ଘାତିକ ନିଶା ଦ୍ରବ୍ୟ? ଏନେଇ ବିଭିନ୍ନ ଦେଶମାନଙ୍କ ମଧ୍ୟରେ ମତାମତ ଲୋଡ଼ାଯାଇଥିଲା l ଏହି ଆଧାରରେ ଡିସେମ୍ବର ୨୦୨୦ ମସିହାରେ ମିଳିତ ଜାତିସଙ୍ଘ ଗଞ୍ଜେଇ ବା କାନବିଶକୁ ଅତ୍ୟନ୍ତ ହାନିକାରକ ମାଦକ ପଦାର୍ଥ ତାଲିକାରୁ ହଟାଇବା ଭଳି ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇଥିଲା l ଭାରତ ସମେତ ୨୭ରୁ ଅଧିକ ଦେଶ ଏହାରି ସପକ୍ଷରେ ଭୋଟ୍‌ ଦେଇଥିଲେ। ବିଗତ ୫୯ ବର୍ଷ ଧରି ଗଞ୍ଜେଇକୁ ରାଜହଯାଇଥିବା ଘାତକ ମାଦକ ପଦାର୍ଥ ତାଲିକାରୁ ବାଦ ଦିଆଗଲା l ୧୯୬୧ରୁ ଗଞ୍ଜେଇକୁ ଏହି ତାଲିକାରେ ରଖିଥିଲା ୟୁଏନ୍‌ l

୫୦ରୁ ଅଧିକ ଦେଶ ଗଞ୍ଜେଇକୁ ଔଷଧ ଭାବେ ବ୍ୟବହାର କରନ୍ତି l ଆମେରିକାର କିଛି ରାଜ୍ୟ ଏବଂ କାନାଡ଼ାରେ ଗଞ୍ଜେଇକୁ ସାଧାରଣରେ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି l ଅନେକ ଦେଶ ଗଞ୍ଜେଇ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି କହୁଥିବା ବେଳେ କିଛି ଦେଶ ଚିକିତ୍ସା ପଦ୍ଧତିରେ ଅମୂଲ୍ୟ ସମ୍ପଦ ଭାବେ ବିବେଚନା କରନ୍ତି l

ଭାଙ୍ଗ ଏବଂ ଗଞ୍ଜେଇର ଔଷଧୀୟ ଗୁଣକୁ ଦୃଷ୍ଟିରେ ରଖି ଦୀର୍ଘ ଦଶନ୍ଧି ଧରି ଏଥିରେ କୋହଳତା ଆଣିବାକୁ ଦାବି ଦେଉଥିଲା l ୟୁଏନ୍‌ କମିଶନ ଅଫ୍‌ ନାର୍‌କୋଟିକ ଡ୍ରଗ୍ସ ଅଧିବେଶନରେ ଭୋଟ୍‌ ହୋଇଥିଲା l ଏଥିରେ ୫୩ ଦେଶ ଅଂଶଗ୍ରହଣ କରିଥିଲେ l ଯୁକ୍ରେନ୍‌ ଏହି ଭୋଟରେ ଅନୁପସ୍ଥିତ ଥିଲା l

ଭାରତରେ ହଜାର ହଜାର ବର୍ଷ ଧରି ଗଞ୍ଜେଇ ସେବନ ହୋଇ ଆସୁଛି l ଅଥର୍ବ ବେଦରେ ପରିଗଣିତ ୫ ଉଦ୍ଭିଦମାନଙ୍କ ମଧ୍ୟରୁ ଗଞ୍ଜେଇ ଅନ୍ୟତମ l ୧୯୮୫ ମସିହାରେ ରାଜୀବ ଗାନ୍ଧୀଙ୍କ ସରକାର ଏନ୍‌ଡିପିଏସ୍‌ ( ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ ସବଷ୍ଟ୍ରେନସେସ) ଆକ୍ଟ ଆଣିଥିଲା l ସେବେଠାରୁ ଗଞ୍ଜେଇ ଭାରତରେ ନିଷେଧ ରହିଆସିଛି l

ଦୁନିଆର ସବୁଠାରୁ ଅଧିକ ବ୍ୟବହୃତ ଗଞ୍ଜେଇକୁ ପ୍ରତି ବର୍ଷ ୧୨୫ ମିଲିୟନରୁ ଅଧିକ ଲୋକ ନିଶାଦ୍ରବ୍ୟ ଭାବରେ ବ୍ୟବହାର କରନ୍ତି l କଲୋରଡୋ, ୱାଶିଂଟନ୍, ଆଲାସ୍କା, ଓରେଗନ୍, ୱାଶିଂଟନ୍ ଡି.ସି., କାଲିଫର୍ନିଆ, ମେନ୍, ମାସାଚୁସେଟ୍ସ, ନେଭାଡା, ମିଚିଗାନ୍ ଭଳି ଦୁନିଆର ବିଭିନ୍ନ ସ୍ଥାନରେ ଗଞ୍ଜେଇ ଆଇନଗତ ବୈଧ ଘୋଷଣା ହୋଇଛି l

ଉରୁୱେ ୨୦୧୩ ରେ ଗଞ୍ଜେଇକୁ ବୈଧ କରିଥିବାବେଳେ କାନାଡ଼ା ୨୦୨୦ ଏବଂ ୨୦୧୮ରେ ଦକ୍ଷିଣ କୋରିଆ ସୁପ୍ରିମ୍‌କୋର୍ଟ ଏହାର ବ୍ୟବହାର ପାଇଁ ମଞ୍ଜୁରୀ ଦେଇଥିଲେ l ଦୁନିଆର ଅନେକ ଦେଶ ଗଞ୍ଜେଇକୁ ଅପରାଧିକ ତାଲିକାରୁ ଅନ୍ତର କରିବାରେ ଲାଗିଛନ୍ତି! ଆଇନଗତ ଦ୍ୱାର ଖୋଲି ବୈଶ୍ୱବିକ ବ୍ୟବସାୟ ଦିଗରେ ଗଞ୍ଜେଇ ଔଷଧୀୟ କାରବାର ପାଇଁ ଆଗକୁ ବଢୁଛି l

ଏହି ପରିପ୍ରେକ୍ଷୀରେ ଗଞ୍ଜେଇର ସବୁଠାରୁ ଉତ୍କୃଷ୍ଟ ସ୍ଥାନ କୁହାଯାଉଥିବା ଓଡ଼ିଶାରେ ଶୈବପୀଠଗୁଡ଼ିକରୁ କଟକଣା 'ଆରମ୍ଭ' ହୋଇଛି l ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଅନେକ ଯୁକ୍ତି ଓ ପ୍ରତିକ୍ରିୟା ସାମ୍ନାକୁ ଆସିଛି l ମହାନଗର ଠାରୁ ଆରମ୍ଭକରି ସହର ଓ ଗ୍ରାମାଞ୍ଚଳଗୁଡିକରେ ଦେଶୀ, ବିଦେଶୀ ମଦର ପସରା ମାଡି ଚାଲିଥିବା ବେଳେ ଏହାର କାରବାର ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି l

ମଦ୍ୟ ପାନକରି ଗାଡି ଚଳାଇବା ଓ ଦୁର୍ଘଟଣା ଦ୍ୱାରା ଅନେକ ଧନଜୀବନ କ୍ଷତିଗ୍ରସ୍ତ ହେବାର ନଜିର ରହିଛି; ଯାହା ଗଞ୍ଜେଇ କ୍ଷେତ୍ରରେ ବିରଳ l ମଦ ଦ୍ୱାରା ସାମାଜିକ ଅପରାଧ, ଘରୋଇ ହିଂସା ଓ ଆର୍ଥିକ ଅଭାବ ଅନଟନରେ ଆକ୍ରାନ୍ତର କାରଣ ଦର୍ଶାଇ ବିଭିନ୍ନ ସ୍ଥାନରେ ମହିଳାମାନେ ବର୍ଷ ବର୍ଷ ଧରି ବିରୋଧ କରି ଆସୁଥିବା ଦେଖାଯାଇଛିl ଏଭଳି କି ମହିଳାମାନେ ଏକାଠି ହୋଇ ମଦଦୋକାନ, ମଦ ଭାଟି ଆଦି ଭାଙ୍ଗିବା ଫିଙ୍ଗିବା ଭଳି ଅନେକ ଘଟଣା ଘଟିଆସିଛି l ତଥାପି ମଦରେ ନିୟନ୍ତ୍ରଣ ରହିନି। ଓଲଟି ଏହାର ବଜାର ବହୁଳତା ଓ ସୁଗମତାରେ ବୃଦ୍ଧି ଘଟିବା ପରିଲକ୍ଷିତ ହୋଇଛି l

କେବଳ ମଦ ନୁହେଁ, ବିଦେଶୀ ଦାମୀ ଧଳା ଜହର ଏବେ ବହୁଳ ମାତ୍ରାରେ ରାଜ୍ୟର କୋଣାନୁକୋଣକୁ ମାଡିଗଲାଣି l ଏହାର ଜାଲରେ ଛନ୍ଦି ହୋଇପଡ଼ିଲାଣି ଯୁବ ସମାଜ! ନିକଟରେ (ଅକ୍ଟୋବର ୨୦୨୨) ଏକ ବଡ଼ଧରଣର ବ୍ରାଉନ୍‌ସୁଗର୍‌ କାରବାରରେ ପୁଲିସ ୬ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ପ୍ରାୟ ୧୧ କୋଟି ଟଙ୍କାର ୧୦ କେଜି ବ୍ରାଉନ୍‌ସୁଗର ଜବତ କରିଥିଲା l

ବାଲେଶ୍ୱର ଠାରୁ ଧରା ହୋଇଥିବା ଏହି ୬ ଜଣଙ୍କ ଅନ୍ତର୍ଜାତୀୟ ଲିଙ୍କ୍‌ ଥିବା କୁହାଯାଇଥିଲା l ପ୍ରାୟ ପ୍ରତି ଦିନ ଏହିଭଳି ଘଟଣା ଖବର କାଗଜର ପୃଷ୍ଠା ମଣ୍ଡନ କରେ l ପରିପ୍ରେକ୍ଷୀରେ ଓଡିଶା ସରକାରଙ୍କ ଗଞ୍ଜେଇ ଉପରେ ଏଭଳି 'ସର୍ଜିକାଲ୍‌ ଷ୍ଟ୍ରାଇକ୍‌' କାହିଁକି?