Advertisment

ଆତଙ୍କର ନୂଆ ଚେହେରା ଅଲ୍ ଆଦେଲ୍; ଆମେରିକା ପାଇଁ କାଳ ହେବ କି ?

ଜବାହିରୀକୁ ଆମେରିକା ସେନା ହତ୍ୟା କରିବା ପରେ ଅଲ୍-କାଏଦାର ନେତୃତ୍ୱ ପଦ ଖାଲି ପଡିଥିଲା। ଏବେ ଯେତେବେଳେ ଆଦେଲକୁ ସଂଗଠନ ମୁଖ୍ୟ ଭାବେ ଅବସ୍ଥାପିତ କରିଛି ଏହାର ସିଧାସଳଖ ଅର୍ଥ ଆମେରିକା ଉପରେ ପୁଣିଥରେ ଆକ୍ରମଣ ଆଶଙ୍କା ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ମତପୋଷଣ କରୁଛନ୍ତି।

ଅଦ୍ୟତନ ହୋଇଛି
Who is Al-Qaeda's new Chief Saif Al-Adel

Al Adel is the new face of terror

Advertisment

ମିଳିତ ଜାତିସଂଘର ସିକ୍ୟୁରିଟି କାଉନ୍‌ସିଲ୍ ଅର୍ଥାତ୍ ସୁରକ୍ଷା ପରିଷଦ ପକ୍ଷରୁ ସୋମବାର ଏକ ରିପୋର୍ଟ ଜାରି କରାଯାଇଛି। ଏଥିରେ ଓସାମା ବିନ୍ ଲାଡେନ୍‌ର ଏକାନ୍ତ ବିଶ୍ୱସ୍ତ ସୈଫ୍ ଅଲ୍ ଆଦେଲ୍‌କୁ ସଂଗଠନର ନୂଆ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିବା ଉଲ୍ଲେଖ କରାଯାଇଛି। ସୈଫ୍ ଅଲ୍ ଆଦେଲ୍ ଏବେ ଇରାନ୍‌ରେ ରହି ପୁରା ଅଲ୍ କାଏଦା ସଂଗଠନକୁ ନିୟନ୍ତ୍ରଣ ତଥା ପରିଚାଳନା କରୁଥିବା ରିପୋର୍ଟରେ ଦର୍ଶାଯାଇଛି।

Advertisment

ଜବାହିରୀର ଉତ୍ତରାଧିକାରୀ ସୈଫ୍ ଅଲ୍ ଆଦେଲ୍:

ରିପୋର୍ଟ ଅନୁସାରେ ଅୟମାନ୍ ଅଲ୍ ଜବାହିରୀକୁ ଆମେରିକା ସେନା ଡ୍ରୋନ୍ ଜରିଆରେ ହତ୍ୟାକରିବା ପରେ ଅଲ୍ କାଏଦାର ମୁଖିଆ ପଦ ବେଶ କିଛି ସମୟ ଧରି ଖାଲି ପଡିଥିଲା। ଅଲ୍ କାଏଦା ଏବେ କିନ୍ତୁ ସୈଫ୍ ଅଲ୍ ଆଦେଲକୁ ଏହି ପଦରେ ଅବସ୍ଥାପିତ କରିବା ପୂର୍ବକ ଖାଲି ପଡ଼ିଥିବା ନେତୃତ୍ୱ ପଦକୁ ସଂଗଠନ ପୁଣିଥରେ ପୂରଣ କରିଦେଇଛି।

ତେବେ ଓସାମା ବିନ୍ ଲାଡେନ୍‌ର ମୃତ୍ୟୁ ପରେ ଜବାହିରୀ ହିଁ ଅଲ୍ କାଏଦାର ମୁଖ୍ୟ ଭାବେ ଅଧିଷ୍ଠିତ ହୋଇଥିଲା। ପରେ ଆମେରିକା ସେନା ଜବାହିରୀକୁ ହତ୍ୟା କରିଥିଲେ। ଜବାହିରୀର ମୃତ୍ୟୁ ପରେ ସଂଗଠନର ବୟୋଜ୍ୟେଷ୍ଠ ତଥା ଅଭିଜ୍ଞ ନେତା ଭାବେ ଆଦେଲ୍‌କୁ ଏହି ପଦ ପାଇଁ ସଂଗଠନ ମନୋନୀତ କରିଥିଲେ ମଧ୍ୟ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନଥିଲା।

Advertisment

ବିଧିବଦ୍ଧ ଘୋଷଣାକୁ ଥିଲା ଅପେକ୍ଷା:

ଆଫଗାନିସ୍ତାନରେ ତାଲିବାନ୍‌ର ଅଦ୍ଭ୍ୟୁଦୟ ଏବଂ କ୍ଷମତାକୁ ଆସିବା କାରଣରୁ ସେଠାକାର ରାଜନୈତିକ ଅସ୍ଥିରତା ଅଲ୍ କାଏଦା ପାଇଁ ଆଦୌ ଅନୁକୂଳ ନଥିଲା। କାରଣ ତାଲିବାନ୍ କ୍ଷମତାକୁ ଆସିବା ପରେ ଆମେରିକା ସହ ଏକ ସସର୍ତ୍ତ ଚୁକ୍ତି ସ୍ୱାକ୍ଷରିତ କରିଥିଲା।

ତାଲିବାନ୍ ସରକାରକୁ ଆମେରିକା ସମର୍ଥନ ଦେବା ପାଇଁ ହେଲେ ତାଲିବାନ୍ ପ୍ରଥମେ ନିଜ ମାଟିରୁ କୌଣସି ଆତଙ୍କବାଦୀ ଗୋଷ୍ଠୀଙ୍କୁ ଆତଙ୍କବାଦୀ ଅଭିଯାନ ଚଳାଇବା ପାଇଁ ସୁଯୋଗ ଦେବ ନାହିଁ ବୋଲି ଆମେରିକା ସରକାର ସର୍ତ୍ତ ରଖିଥିଲେ। ତାଲିବାନ୍ ମଧ୍ୟ ଏହାକୁ ମାନିନେଇଥିଲା। କେବଳ ଏଥିପାଇଁ ଅଲ୍ କାଏଦା ନିଜ ନୂଆ ମୁଖିଆ ସମ୍ପର୍କରେ ଘୋଷଣା କରି ନଥିଲା। କାରଣ ତାଲିବାନ୍‌କୁ ଆମେରିକାର ଭୟ ଥିଲା।

Advertisment

ଏବେ କିନ୍ତୁ ଯେତେବେଳେ ସେଠାରେ ସବୁକିଛି ସ୍ୱାଭାବିକ ହେବାକୁ ଯାଉଛି ସେତେବେଳେ ଅଲ୍ କାଏଦା ବିଧିବଦ୍ଧଭାବେ ଆଦେଲକୁ ନିଜ ମୁଖ୍ୟ ଭାବେ ଘୋଷଣା କରିଛି। ଏବେ ସବୁକିଛି ସ୍ପଷ୍ଟ ହୋଇଯାଇଛି।

ଆଦେଲ୍‌ର ନେତୃତ୍ୱ ଅର୍ଥାତ୍ ପୁଣିଥରେ ଆମେରିକା ଉପରେ ଆକ୍ରମଣ ଆଶଙ୍କା:

ଜବାହିରୀକୁ ଆମେରିକା ସେନା ହତ୍ୟା କରିବା ପରେ ଅଲ୍-କାଏଦାର ନେତୃତ୍ୱ ପଦ ଖାଲି ପଡିଥିଲା। ସେହି କାରଣରୁ ଆମେରିକା ଉପରେ ଅଲ୍‌ କାଏଦା ପକ୍ଷରୁ ସେପ୍ରକାର କୌଣସି ବଡ଼ ଧରଣର ଆକ୍ରମଣ ଦେଖିବାକୁ ମିଳି ନଥିଲା । କିନ୍ତୁ ଏବେ ଯେତେବେଳେ ଆଦେଲକୁ ସଂଗଠନ ମୁଖ୍ୟ ଭାବେ ଅବସ୍ଥାପିତ କରିଛି ଏହାର ସିଧାସଳଖ ଅର୍ଥ ଆମେରିକା ଉପରେ ପୁଣିଥରେ ଆକ୍ରମଣ ଆଶଙ୍କା ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ମତପୋଷଣ କରୁଛନ୍ତି।

ଆମେରିକା ସହ ଅଲ୍ କାଏଦାର ଶତ୍ରୁତା କାହିଁ କେଉଁ କାଳରୁ ରହିଆସିଛି। କିଛି ଦେଶର ଆଭ୍ୟନ୍ତରୀଣ ମାମଲାରେ ଆମେରିକାର ଅଯଥା ହସ୍ତକ୍ଷେପ ଅଲ୍ କାଏଦାକୁ ପ୍ରତିଶୋଧ ପରାୟଣ କରିଦେଇଛି। ଓସାମା ବିନ୍ ଲାଡେନ୍ ସମୟରୁ ଆମେରିକା ଉପରେ, ଅନ୍ୟ ଦେଶରେ ଥିବା ଆମେରିକୀୟ ଦୂତାବାସ ଉପରେ ଅଲ୍‌ କାଏଦା ନିରନ୍ତର ଆକ୍ରମଣ ଜାରି ରଖିଥିଲା।

ତେବେ ୯/୧୧ରେ ଆମେରିକା ସ୍ଥିତ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର (ବିଶ୍ୱ ବାଣିଜ୍ୟ କେନ୍ଦ୍ର) ଉପରେ ଯାତ୍ରୀବାହୀ ବିମାନ ଦ୍ୱାରା ଆକ୍ରମଣ ପରେ ତତ୍କାଳୀନ ଓବାମା ସରକାର ଲାଡେନକୁ ମୋଷ୍ଟ୍‌ ୱାଣ୍ଟେଡ୍ ଆତଙ୍କବାଦୀ ଘୋଷିତ କରିବା ପୂର୍ବକ ତା’କୁ ନିପାତ କରିଥିଲେ।

ଏହି ଘଟଣାରେ ଆମେରିକା ସମେତ ପୂରା ବିଶ୍ୱ ଆତଙ୍କବାଦର ନଗ୍ନ ରୂପ ସହ ବାସ୍ତବିକ ଭାବେ ପରିଚିତ ହେଲା ବୋଲି କହିଲେ ଅତ୍ୟୁକ୍ତି ହେବନି। ଅନେକ ଲୋକ ଏଥିରେ ପ୍ରାଣ ହରାଇଥିଲେ। ତେବେ ପ୍ରତିଶୋଧମୂଳକ ଅପରେସନ୍ ପୂର୍ବକ ଆମେରିକା ସେନା ପକ୍ଷରୁ କରାଯାଇଥିବା ଆକ୍ରମଣରେ ଲାଡେନ୍ ମୃତ୍ୟୁବରଣ କରିଥିଲା। ଲାଡେନ୍ ପରେ ପରେ ତା’ର ଅନ୍ୟତମ ବିଶ୍ୱସ୍ତ ତଥା ସହଯୋଗୀ ଅଲ୍ ଜବାହିରୀ, ସଂଗଠନର ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲା।

ଆଦେଲ ମୁଣ୍ଡ ପାଇଁ ୮୨ କୋଟି ପୁରସ୍କାର ରାଶି:

ସୈଫ୍ ଅଲ୍ ଆଦେଲ୍ ପାଇଁ ଆମେରିକା ସରକାର ଭାରତୀୟ ମୁଦ୍ରାନୁସାରେ ପ୍ରାୟ ୮୨ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି। ଅର୍ଥାତ୍ ଆମେରିକା ମଧ୍ୟ ବେଶ୍ ଭଲଭାବେ ଜାଣିଛି, ଆଦେଲ୍ ତା’ ପାଇଁ କେତେ ଭୟଙ୍କର ସାବ୍ୟସ୍ତ ହୋଇପାରେ। ଆଦେଲ୍ ମଧ୍ୟ ଆମେରିକା ପ୍ରତି ନିଜ ଆଭିମୁଖ୍ୟ ବହୁ ପୂର୍ବରୁ ହିଁ ସ୍ପଷ୍ଟ କରିସାରିଛି।

ଆଦେଲ୍ ବିରୋଧରେ ୧୯୯୮ କେନିଆସ୍ଥିତ ଆମେରିକା ଦୂତାବାସ ଉପରେ ଆତଙ୍କବାଦୀ ଆକ୍ରମଣର ଅଭିଯୋଗ ରହିଛି। ଏତଦ୍‌ବ୍ୟତୀତ ତା’ ବିରୋଧରେ ୧୯୯୩ ସୋମାଲିଆ ବ୍ଲାକ୍ ହକ୍ ଡାଉନ୍‌ ଅପରେସନ୍‌କୁ ସଫଳ କରିବାର ମଧ୍ୟ ଅଭିଯୋଗ ରହିଛି। ଜବାହିରୀ ଜୀବିତ ଥିବାବେଳେ ମଧ୍ୟ ଆଦେଲ୍ ଆମେରିକା ନଜରକୁ ଆସିଯାଇଥିଲା। ସୁତରାଂ ଆମେରିକା ସରକାର ଜବାହିରୀ ପରେ ପରେ ଆଦେଲକୁ ବିଶ୍ୱର ମୋଷ୍ଟ୍‌ ୱାଣ୍ଟେଡ୍ ଟେରରିଷ୍ଟ (ଆତଙ୍କବାଦୀ) ଭାବେ ବିବେଚନା କରିଆସୁଛି।

ଆଦେଲ କିଏ?

୧୯୬ଠ ଦଶକର ପ୍ରଥମାର୍ଦ୍ଧରେ ମିଶରରେ ଜନ୍ମଗ୍ରହଣ କରିଥିଲା ସୈଫ୍ ଅଲ୍ ଆଦେଲ। ତା’ର ପ୍ରକୃତ ନାଁ ମହମ୍ମଦ ସଲାହ ଅଲ୍ ଦିନ୍ ଜୈଦାନ୍ ବୋଲି ଅନୁମାନ କରାଯାଏ। ତେବେ ନିଜର ପ୍ରକୃତ ନାମକୁ ପରିବର୍ତ୍ତନ କରି ସେ ନିଜ ନାମ ସୈଫ୍ ଅଲ୍-ଆଦେଲ୍ କରିନେଇଥିଲା। ସୈଫ୍ ଅଲ୍ ଆଦେଲ୍‌ର ଅର୍ଥ ‘ସୋର୍ଡ ଅଫ୍ ଜଷ୍ଟିସ୍’ ଅର୍ଥାତ୍ ନ୍ୟାୟ ପାଇଁ ଲଢ଼ୁଥିବା ଖଣ୍ଡା।

ନିଜକୁ ବିଦ୍ରୋହୀଭାବେ ପରିଚିତ କରାଇବାର ମାନସିକତା ଯୋଗୁଁ ସେ ନିଜ ନାମ ପରିବର୍ତ୍ତନ କରିଥିଲା। ତେବେ ପରବର୍ତ୍ତୀ ସମୟରେ ସେ ମିଶର ଦେଶର ସେନାବାହିନୀରେ ଯୋଗ ଦେଇଥିଲା ଏବଂ କର୍ଣ୍ଣଲ ରାଙ୍କ୍‌ର ପଦାଧିକାରୀ ଭାବେ ବେଶ କିଛି କାଳ କାମ କରିଥିଲା । କିନ୍ତୁ ୧୯୮୮ରେ ଯେତେବେଳେ ମିଶରର ତତ୍କାଳୀନ ରାଷ୍ଟ୍ରପତି ଅନୱର ଅଲ୍ ସାଦାତ୍‌ଙ୍କୁ ହତ୍ୟା କରାଗଲା ସେତେବେଳେ ଆଦେଲ୍ ମିଶର ଛାଡି ଆଫଗାନିସ୍ତାନ ଚାଲିଆସିଥିଲା। ଏଠାରେ ସେ ମୁଜାହିଦ୍ଦିନ୍‌ଙ୍କ ସହ ମିଶି ସୋଭିଏତ୍ ସଂଘର ସେନାକୁ ବାହାର କରିବା ଅଭିଯାନରେ ସାମିଲ ହୋଇଥିଲା।

ପରେ ୧୯୮୯ରେ ଯେତେବେଳେ ସୋଭିଏତ୍ ସେନା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେତେବେଳେ ଆଦେଲ୍ ଲେବାନନ୍ ପଳାଇଯାଇଥିଲା। ଖାରତୁମ୍‌ର ଖାଲି ଜମିରେ ଆତଙ୍କବାଦୀ ସଂଗଠନର ଆତଙ୍କୀମାନଙ୍କୁ ସେ ବିସ୍ଫୋଟକ (ବୋମା) ତିଆରି କରିବା ଏବଂ ଏହାକୁ କିପରି ବ୍ୟବହାର କରାଯାଏ ସେସମ୍ପର୍କରେ ଟ୍ରେନିଂ ଦେଇଥିଲା।

ପରେ ସେ ମୁଜାହିଦ୍ଦିନ୍‌ଙ୍କୁ ସମର୍ଥନ ଦେବା ଉଦ୍ଦେଶ୍ୟରେ ଲାଡେନ୍ ସ୍ଥାପନା କରିଥିବା ଆତଙ୍କବାଦୀ ସଂଗଠନ ଅଲ୍-କାଏଦାରେ ସ୍ଥାୟୀ ସଦସ୍ୟ ଭାବେ ଯୋଗ ଦେଇଥିଲା। ପରେ ଆଦେଲକୁ ଅଲ୍‌ କାଏଦା ପକ୍ଷରୁ ମଜ୍‌ଲିସ୍-ଏ-ସୁରା ଏବଂ ମିଲିଟାରୀ କମିଟିର ସଦସ୍ୟଭାବେ ଦାୟିତ୍ୱ ଦିଆଯାଇଥିଲା।

ସେ ଆଫଗାନିସ୍ତାନ, ସୁଡାନ୍ ଏବଂ ପାକିସ୍ତାନରେ ଅନେକ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର ଖୋଲି ସେଠାରେ ଯୁବକଙ୍କ ଆତଙ୍କବାଦୀ ହେବାର ଟ୍ରେନିଂ ଦେଉଥିଲା। ସୋମାଲିଆର ରାସ୍ କମ୍ବୋନୀଠାରେ କେନିଆ ସୀମାରେଖା ନିକଟରେ ମଧ୍ୟ ସେ ଏକ ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ୍ ସ୍ଥାପନା କରିଥିଲା।

ଆଦେଲ ସମ୍ପର୍କରେ ଆଉ କିଛି:

  • ୨ଠଠ୧ରେ ଏଫ୍‌ବିଆଇ ଆଦେଲକୁ ମୋଷ୍ଟ୍‌ ୱାଣ୍ଟେଡ୍ ଘୋଷଣା କରିଥିଲା।
  • ୨ଠଠ୨ରୁ ୨ଠଠ୩ ମଧ୍ୟରେ ଆଦେଲ ମିଶରରୁ ଇରାନ୍ ଫେରାର ହୋଇଯାଇଥିଲା।
  • ୨ଠ୧ଠ ପର୍ଯ୍ୟନ୍ତ ଆଦେଲ ନିଜ କାର୍ଯ୍ୟାଳୟ ପାକିସ୍ତାନରେ ରଖିଥିଲା।
  • ଅଲ୍ କାଏଦାରେ ଆଦେଲକୁ ଏକ୍ସପ୍ଲୋସିଭ୍ ଏକ୍ସପର୍ଟ ଭାବେ ବିବେଚନା କରାଯାଏ।
  • ଇରାନ୍‌ରେ ରହିବା ଦ୍ୱାରା ସେ ଆମେରିକା ସେନାର ଆକ୍ରମଣରୁ ବର୍ତ୍ତମାନ ସୁଦ୍ଧା ସୁରକ୍ଷିତ ରହିଆସିଛି।
  • ଇରାନ୍ ସହ ସମ୍ପର୍କ ଖରାପ କରିବାକୁ ଆମେରିକା କଦାପି ଚାହିଁବନି ସେଥିପାଇଁ ଯେତେ ଯାହା ହେଲେ ମଧ୍ୟ ଆମେରିକା ସୈନ୍ୟ ପ୍ରବେଶ କରାଇବନି ବୋଲି ଆଦେଲ୍ ଏବଂ ଅଲ୍ କାଏଦା ଚିନ୍ତା କରୁଛି।
  • ଆଦେଲ ବିଷୟରେ ଏକ ବଡ ସୂଚନା ହେଉଛି ଯେ, ଆମେରିକାର ନ୍ୟୁୟର୍କସ୍ଥିତ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଉପରେ ଆତଙ୍କବାଦୀ ଆକ୍ରମଣ କରିବା ନେଇ ଯେତେବେଳେ ଲାଡେନ୍ ଯୋଜନା ପ୍ରସ୍ତୁତକଲା ସେତେବେଳେ ଆଦେଲ୍ ହିଁ ଏକମାତ୍ର ବ୍ୟକ୍ତି ଥିଲା ଯିଏକି ଏହାକୁ ସମର୍ଥନ କରି ନଥିଲା। ଓଲଟା ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଉପରେ ଆକ୍ରମଣ ନ କରିବାକୁ ଆଦେଲ୍, ଲାଡେନ୍‌କୁ ପରାମର୍ଶ ଦେଇଥିଲା।

ତେବେ ଅଲ୍ କାଏଦା ବିଶ୍ୱର ପ୍ରାୟ ସବୁପ୍ରାନ୍ତରେ ନିଜ ଉପସ୍ଥିତି ଜାହିର କରିଥିବା ବେଳେ ଆଦେଲର ଅଦ୍ଭ୍ୟୁଦୟ କେବଳ ଆମେରିକା ପାଇଁ ବିପଦ ବୋଲି ବିବେଚନା କରାଯାଇପାରିବନି। ବିଶ୍ୱର ପ୍ରତ୍ୟେକ ପ୍ରାନ୍ତ, ପ୍ରତ୍ୟେକ ଦେଶ ଏବେ ଆଦେଲକୁ ନେଇ ସତର୍କ ହୋଇଯିବା ଉଚିତ। କାରଣ ଆଦେଲର ମାନସିକତା ଲାଡେନ୍ ଓ ଜବାହିରୀ ଠାରୁ ମଧ୍ୟ ଆହୁରି ଅଧିକ ହିଂସ୍ର, ଆକ୍ରମଣାତ୍ମକ ତଥା ପ୍ରତିଶୋଧମୂଳକ ବୋଲି ପ୍ରତୀତ ହେଉଛି। ଅନ୍ୟପକ୍ଷେ ଆମେରିକା ମଧ୍ୟ ଏବେଠାରୁ ଆଦେଲକୁ ରାସ୍ତାରୁ ହଟାଇବା ପାଇଁ ଲାଗିପଡିବା ଉଚିତ ହେବ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଇମେଲ୍: panda.santoshkumar7@gmail.com

Al Qaeda Al Qaeda Leader
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ