ସେମାନେ ସମସ୍ତେ ଭିନ୍ନ ଭିନ୍ନ ପାରିବାରିକ ପୃଷ୍ଠଭୂମିରୁ ଆସିଛନ୍ତି। ସଙ୍ଗୀତ ଦୃଷ୍ଟିରୁ ସେମାନଙ୍କ ପସନ୍ଦ ମଧ୍ୟ ଭିନ୍ନ ଭିନ୍ନ ଧରଣର। ତେଣୁ ସେମାନଙ୍କ ମ୍ୟୁଜିକ୍ କ୍ରିଏସନ୍ ବା ସଙ୍ଗୀତ ରଚନାର ଶୈଳୀ ବି ଭିନ୍ନ ଭିନ୍ନ। ତେବେ ମଜା କଥା ହେଲା, ସେମାନଙ୍କ ମଧ୍ୟରେ ଥିବା ଏଇ ଭିନ୍ନତା ବା ବିବିଧତା ବା ଡାଇଭର୍ସିଟି ହିଁ ସେମାନଙ୍କ ଗ୍ରୁପ୍ର ସବୁଠାରୁ ବଡ଼ ୟୁଏସ୍ପି। ନିଜର ଦକ୍ଷତା ଓ ଅନନ୍ୟ ଶୈଳୀ ବଳରେ ହିପ୍ ହପ୍ ମ୍ୟୁଜିକ୍ ଭଳି ଏକ ପୁରୁଷ ପ୍ରଧାନ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଓ ସ୍ଥାନ ସୃଷ୍ଟି କରିପାରିଥିବା ଏଇ ମ୍ୟୁଜିକ୍ ଗ୍ରୁପ୍ଟି ହେଉଛି ଭାରତର ପ୍ରଥମ ସ୍ୱୟଂସମ୍ପୂର୍ଣ୍ଣ ମହିଳା ହିପ୍ ହପ୍ ଗ୍ରୁପ୍ 'ୱାଇଲ୍ଡ୍ ୱାଇଲ୍ଡ୍ ୱିମେନ୍' (Wild Wild Women)।
୨୦୨୧ ମସିହାର ମହିଳା ଦିବସ ଅବସରରେ ନିଜର ପ୍ରଥମ ସଙ୍ଗୀତ (ଏକ ସିଙ୍ଗଲ୍) 'ଆଇ ଡୁ ଇଟ୍ ଫର୍ ହିପ୍ ହପ୍(I do it for hip hop)' ରିଲିଜ୍ କରିଥିଲା ଏଇ ଗ୍ରୁପ୍। ଏଇ ପ୍ରଥମ ମ୍ୟୁଜିକ୍ ମାଧ୍ୟମରେ ସେମାନେ ଦର୍ଶାଇବାକୁ ଚାହିଁଥିଲେ ନିଜସ୍ୱ ସଂଘର୍ଷ, ସେମାନଙ୍କ ଏକାଠି ହେବାର ଉଦ୍ଦେଶ୍ୟ ତଥା ସେମାନଙ୍କ ସୃଜନ କଳାର ଅର୍ଗାନିକ୍ ନେଚର। ତା' ପରଠାରୁ ଗ୍ରୁପ୍ର ସଦସ୍ୟାମାନେ ଲଗାତର ଏ ଦିଗରେ କାମ କରି ଆସୁଛନ୍ତି। କେତେବେଳେ ମହିଳାମାନଙ୍କ ମାନସିକ ସ୍ଵାସ୍ଥ୍ୟ ତ କେବେ ମହିଳା ସଶକ୍ତିକରଣ ଏଭଳି ବିଭିନ୍ନ ଇସ୍ୟୁକୁ ନେଇ ସେମାନେ ସଙ୍ଗୀତ ସୃଷ୍ଟି କରିଥା'ନ୍ତି। ତେବେ କେମିତି ଆରମ୍ଭ ହୋଇଥିଲା ଏଇ ଗ୍ରୁପ୍ର ଯାତ୍ରା!
୨୦୨୧ ଆରମ୍ଭ ହୋଇଥାଏ। ମୁମ୍ବାଇର ଅନ୍ଧେରୀ-ଇଷ୍ଟ୍ ଅଞ୍ଚଳରେ ଥିବା ଭାରତ ବନ ପାର୍କରେ ସେଦିନ ସେମାନେ ଏକାଠି ହୋଇଥିଲେ ଏକ 'ସାଇଫର' (ରାପର-rapper, ବ୍ରେକର-breaker ଓ ବିଟ୍ ବକ୍ସର-beatboxer ମାନେ ସ୍ପଣ୍ଟାନିୟସ୍ ମ୍ୟୁଜିକ୍ ତିଆରି ଉଦ୍ଦେଶ୍ୟରେ ଗୋଟିଏ ଜାଗାରେ ଏକାଠି ହେବା) ପାଇଁ। ଏଇ ସାଇଫରକୁ ହ୍ୱାଟ୍ସଆପ୍ ସହାୟତାରେ ଆୟୋଜନ କରାଇବାରେ ସଫଳ ହୋଇପାରିଥିଲେ ରାପର୍ ହ୍ୟାସ୍ଟ୍ୟାଗ୍ ପ୍ରୀତି (ପ୍ରୀତି ଏନ୍. ସୁତାର) ଓ କ୍ରାନ୍ତିନାରୀ(ଅଶ୍ୱିନୀ ହିରେମାଥ୍)।
Also Read
ଆମ ଦେଶରେ ମହିଳା ରାପର୍ଙ୍କୁ ଉପଯୁକ୍ତ ସମର୍ଥନ ଓ ପରିଚୟ ମିଳୁ ନଥିବା ନେଇ ସେମାନଙ୍କ ଅସନ୍ତୋଷ ହିଁ ସେମାନଙ୍କୁ ପ୍ରରୋଚିତ କରିଥିଲା ଏଭଳି ଏକ ଆୟୋଜନ ପାଇଁ। ସେଦିନ ସେଠାରେ ଉପସ୍ଥିତ ଥିଲେ ୧୦ଜଣ ମହିଳା ରାପର୍। ଆଉ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଅନୁଭବ ହେଲା ଯେ ସେମାନେ ଏକାଠି କାମ କରିପାରିବେ। ଆଉ ସେଇଠାରୁ ହିଁ ଜନ୍ମ ନେଲା 'ୱାଇଲ୍ଡ୍ ୱାଇଲ୍ଡ୍ ୱିମେନ୍' ହିପ୍ ହପ୍ ଗ୍ରୁପ୍। ବର୍ତ୍ତମାନ ଦେଶର ଏଇ ପ୍ରଥମ ମହିଳା ହିପ୍ ହପ୍ ଗ୍ରୁପ୍ ରେ ଅଛନ୍ତି ୫ ଜଣ ରାପର୍। ସେମାନେ ହେଲେ- ହ୍ୟାସ୍ଟ୍ୟାଗ୍ ପ୍ରୀତି (ପ୍ରୀତି ଏନ୍. ସୁତାର), କ୍ରାନ୍ତିନାରୀ(ଅଶ୍ୱିନୀ ହିରେମାଥ୍), ଏମ୍.ସି. ମହିଳା(ଶ୍ରୁତି ରାଉତ), ଜେ.କ୍ୱିନ୍ (ଜ୍ୟାକ୍ଲିନ୍ ଲୁକାସ) ଓ ପ୍ରତୀକା(ପ୍ରତୀକା ଇ. ପ୍ରଭୁଣେ)।
ଏମାନଙ୍କ ଛଡ଼ା ଅନ୍ୟ ଯେଉଁ ସଦସ୍ୟାମାନେ ଏଇ ଗ୍ରୁପ୍ ରେ ଅଛନ୍ତି ସେମାନେ ହେଲେ- ଦୁଇ ଜଣ ବ୍ରେକ୍ ଡ୍ୟାନ୍ସର ଫ୍ଲୋ.ର' (FlowRaw- ଦୀପା ସି°) ଓ ଏମ୍ଜିକେ (MGK- ମୁଗ୍ଧା ଦାଭୋଲକର) ତଥା ଗ୍ରାଫିଟି ଆର୍ଟିଷ୍ଟ୍ ଗୌରୀ ଦାଭୋଲକର, ଯିଏକି ସୋ' ସମୟରେ ଲାଇଭ୍ ଆର୍ଟ୍ ଓ ଗ୍ରାଫିଟି କରିଥାନ୍ତି।
ଅଧିକ ପଢ଼ନ୍ତୁ: ଶାରଦାଙ୍କ ଚେଷ୍ଟାରେ ଜମିରେ ମାଡିଲା ପାଣି
ତେବେ ନିଜକୁ ପ୍ରତିଷ୍ଠିତ କରିବାର ପ୍ରକ୍ରିୟାରେ ଗ୍ରୁପ୍ର ସଦସ୍ୟାମାନଙ୍କୁ ମୁଖ୍ୟତଃ ଯେଉଁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା ବା ପଡ଼ିଛି ତାହା ହେଉଛି ନିଜ ପରିବାରବର୍ଗଙ୍କୁ ନିଜ କାମ ଓ ଲକ୍ଷ୍ୟ ସମ୍ପର୍କରେ ବୁଝାଇବା। ରାପର୍ ହ୍ୟାସ୍ଟ୍ୟାଗ୍ ପ୍ରୀତି କହନ୍ତି, ତାଙ୍କ ପରିବାରରେ ତାଙ୍କ ଆଗରୁ ଅନ୍ୟ କେହି କେବେ ସଙ୍ଗୀତ କ୍ଷେତ୍ରରେ କାମ କରି ନଥିଲେ। ଏପରିକି ପ୍ରଥମରୁ ସେମାନେ ଏକଥା ବି ଜାଣି ନଥିଲେ ଯେ ପ୍ରୀତି ସଙ୍ଗୀତ ରଚନା କରନ୍ତି ଓ ଗାଆନ୍ତି ମଧ୍ୟ। ଆଉ ଏଇ ମ୍ୟୁଜିକ୍କୁ ରାପ୍ ବୋଲି କୁହାଯାଏ।
ତେବେ ଧୀରେ ଧୀରେ ପରିବାର ଲୋକେ ଯେତେବେଳେ ତାଙ୍କୁ ୟୁଟ୍ୟୁବ୍ ଆଉ ଟିଭିରେ ଦେଖିଲେ ତଥା ସଙ୍ଗୀତ ସାହାଯ୍ୟରେ ରୋଜଗାର ମଧ୍ୟ କରାଯାଇପାରେ ବୋଲି ଜାଣିଲେ ସେତେବେଳେ ସେମାନେ ଧୀରେଧୀରେ ସଙ୍ଗୀତ ପ୍ରତି ତାଙ୍କ ପ୍ରତିବଦ୍ଧତାକୁ ସ୍ୱୀକାର କଲେ। ସେମିତି ଜେ. କ୍ୱିନ୍ଙ୍କ ପରିବାର ଲୋକେ ତାଙ୍କୁ ପ୍ରଥମେ ମ୍ୟୁଜିକ୍କୁ ଏକ ହବି ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ବି ପରେ ତାଙ୍କ ଭଉଣୀଙ୍କ ବାହାଘର ସମୟରେ ତାଙ୍କ ଗ୍ରୁପ୍ ପକ୍ଷରୁ ମ୍ୟୁଜିକ୍ ପରିବେଷଣ ପରିବାରର ମତ ବଦଳାଇ ଦେଇଥିଲା।
'ଆଇ ଡୁ ଇଟ୍ ଫର୍ ହିପ୍ ହପ୍' ପରେ ଗ୍ରୁପ୍ର ଦ୍ୱିତୀୟ ସିଙ୍ଗଲ୍ ଥିଲା ପ୍ରତୀକାଙ୍କ ଦ୍ୱାରା ପ୍ରାୟୋଜିତ 'ଗେମ୍ ଫ୍ଲିପ୍', ଯାହାର ଉଦ୍ଦେଶ୍ୟ ଥିଲା ମହିଳା୍ମାନଙ୍କୁ ନେଇ ଥିବା ଏକ ବଦ୍ଧମୂଳ ଧାରଣା ଯେ, 'ମହିଳା ମାନେ ସ୍ୱାଧୀନ ଭାବେ କିଛି କରିପାରିବେନି ଓ ସେମାନଙ୍କର ପୁରୁଷଙ୍କ ସମକକ୍ଷ ଦକ୍ଷତା କିମ୍ବା ପ୍ରତିଭା ନାହିଁ'କୁ ଭୁଲ୍ ପ୍ରମାଣିତ କରିବା। ତା'ଛଡ଼ା ସେମାନଙ୍କର ଆଉ ଏକ ଗୀତ ହେଉଛି 'ଉଡ୍ଡୁ ଆଜାଦ୍' ଯାହା କି ସବୁ ଶୃଙ୍ଖଳକୁ ଚ୍ଛିନ୍ନ କରି ନାରୀମାନଙ୍କ ସ୍ୱାଧୀନତା କାମନା କରିବାକୁ ଦର୍ଶାଇଥାଏ।
ତେବେ ନିଜ ନିଜର ଅରିଜିନାଲ୍ ଟ୍ରାକ୍ ଓ ମ୍ୟୁଜିକ୍ ବ୍ୟତୀତ ଗ୍ରୁପ୍ର ସଦସ୍ୟାମାନେ ଅନ୍ୟ ରାପର୍ଙ୍କ ପାଇଁ ବି ବେଳେବେଳେ କାମ କରିଥାନ୍ତି। ତା' ଛଡ଼ା କେତେକ କ୍ର୍ୟୁ ମେମ୍ବର୍ ମ୍ୟୁଜିକ୍ ଛଡ଼ା ଅନ୍ୟ ପେସାରେ ମଧ୍ୟ ଅଛନ୍ତି। ଯେମିତିକି ହ୍ୟାସ୍ଟ୍ୟାଗ୍ ପ୍ରୀତି ଜଣେ ଜୁଏଲାରୀ ଡିଜାଇନର ହୋଇଥିଲା ବେଳେ ପୂର୍ବରୁ ମାଇକ୍ରୋସଫ୍ଟରେ କାମ କରୁଥିବା କ୍ରାନ୍ତିନାରୀ ଏବେ ଜଣେ କନ୍ସଲ୍ଟାଣ୍ଟ୍ ଭାବେ କାମ କରନ୍ତି। ଏହାଛଡ଼ା ସେ ମ୍ୟୁରାଲ୍ ଡିଜାଇନ୍ ମଧ୍ୟ କରିଥାନ୍ତି।
ଗତ ଦୁଇ ବର୍ଷ ଭିତରେ ନିଜ ପାଇଁ ଲୋକପ୍ରିୟତା ସାଉଁଟି ପାରିଥିବା 'ୱାଇଲ୍ଡ୍ ୱାଇଲ୍ଡ୍ ୱିମେନ୍'ର ସ୍ଥିତି କିନ୍ତୁ ଆରମ୍ଭରୁ ଏଭଳି ନଥିଲା। ପ୍ରଥମେ ପ୍ରଥମେ ତ ଲୋକେ ତାଙ୍କୁ ଆଦୌ ଗୁରୁତ୍ୱର ସହ ଗ୍ରହଣ କରୁ ନଥିଲେ। ଏପରିକି ଅନେକ ସମୟରେ ନିଜ କଳା ପ୍ରଦର୍ଶନ ପାଇଁ ଷ୍ଟେଜ୍ ଯୋଗାଡ଼ କରିବା ବି ମୁସ୍କିଲ ଥିଲା। ବେଳେବେଳେ ଜମାରୁ ଦର୍ଶକ ଆସୁ ନଥିଲେ। ତେବେ ଧୀରେଧୀରେ ସ୍ଥିତି ସୁଧୁରିବା ସହ ଦର୍ଶକ ସେମାନଙ୍କୁ ତଥା ସେମାନଙ୍କ କାମକୁ ପସନ୍ଦ କରିବାରେ ଲାଗିଲେ। ଖାସ୍ କରି ସେମାନଙ୍କ ହାର୍ଡହିଟି° ଲିରିକ୍ସ, ସେମାନଙ୍କ ମ୍ୟୁଜିକ୍ର ସହଜ ଗତିଶୀଳତା ଏବଂ ଗୀତରେ ଏକାଧିକ ଭାଷାର ପ୍ରୟୋଗ ସମସ୍ତଙ୍କ ପାଇଁ ଆକର୍ଷଣ ସାଜିଲା। ଏବେ ଏଇ ଗ୍ରୁପ୍କୁ ନିଜର ପର୍ଫର୍ମାନ୍ସ ପାଇଁ ଷ୍ଟେଜ୍ ଓ ପ୍ଲାଟ୍ଫର୍ମ ମିଳିବା ଅନେକାଂଶରେ ସହଜ ହୋଇଛି।
ସେମାନଙ୍କୁ ଅନେକ ସହରକୁ ମ୍ୟୁଜିକ୍ ଶୋ' ପାଇଁ ଆମନ୍ତ୍ରଣ ମଧ୍ୟ କରାଯାଉଛି। ତଥାପି ସେମାନଙ୍କ ପାଇଁ ବର୍ତ୍ତମାନ ବଡ଼ ଷ୍ଟେଜ୍ କିମ୍ବା ଅଧିକ ଅର୍ଥ ରୋଜଗାର ସେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି କହନ୍ତି ଗ୍ରୁପ୍ ମେମ୍ବରମାନେ। ବରଂ ସେମାନେ ଏବେ ମୁଖ୍ୟତଃ ନିଜ ସଙ୍ଗୀତକୁ ଅଧିକରୁ ଅଧିକ ଉନ୍ନତ କରିବା ଦିଗରେ ଦୃଷ୍ଟି ଦେଉଛନ୍ତି। ଆଗକୁ ସେମାନେ ଆହୁରି ସଫଳତା ହାସଲ କରିବେ ବୋଲି ଆଶା କରାଯାଏ।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)
ଭୁବନେଶ୍ୱର, ଇମେଲ୍: preetiprajnapradhan@gmail.com