ନାଟକ, ଏକ ଜୀବନ୍ତ ମାଧ୍ୟମ । ସମାଜର ପ୍ରତିଫଳନ 'ନାଟକ'ର ପ୍ରଦର୍ଶନ ପାଇଁ ଓଡ଼ିଶାରେ ଥିଲା ଅନେକ ବଡ ବଡ ତଥା ନାଁକରା ରଙ୍ଗମଂଚ । ହେଲେ ପରେ ନାଟକରେ ଭଟ୍ଟା ପଡିଛି, ଲୋକେ ଏଥିରୁ ଦୂରେଇ ଗଲେଣି । ଏପଟେ ନାଟ୍ୟକାରଙ୍କ ଆଶା, ଓଡ଼ିଶାକୁ ପୁଣି ଫେରୁଛି ନାଟକର ସୁବର୍ଣ୍ଣ ଯୁଗ । ସିନେମା ଓ ଯାତ୍ରା ଭିତରେ ବି ଲୋକେ ଟିକେଟ୍ କିଣି ନାଟକ ଦେଖିବାକୁ ଭିଡ ଲଗାଉଛନ୍ତି ।
Also Read
ଜନତାଙ୍କ ପାଇଁ ରଙ୍ଗମଞ୍ଚ.. ଜନତା ରଙ୍ଗମଞ୍ଚ । ଦିନେ ସେଠାରେ ନାଟ୍ୟରୂପ ନେଉଥିଲା ସାହିତ୍ୟ । ଯାଯାବର, ଭରସା, ପରକଲମ ଓ ମାଟିର ମଣିଷ ଭଳି ଲୋକପ୍ରିୟ ନାଟକ ହୃଦୟ ଛୁଇଁଥିଲା ଦର୍ଶକଙ୍କର । ଓଡ଼ିଶାର ଲୋକ କଥା, ସଂସ୍କୃତି ଓ ପରମ୍ପରାକୁ ଦର୍ଶକଙ୍କ ପାଖରେ ପହଁଚାଇବାରେ ବଳିଷ୍ଠ ମାଧ୍ୟମ ପାଲଟିଥିବା କଟକ ବାଙ୍କ ବଜାର ସ୍ଥିତ ଜନତା ରଙ୍ଗମଞ୍ଚ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ନାଟ୍ୟଘର ବୋଲି ରହିଯାଇଛି କିଛି ଭଙ୍ଗା କାନ୍ଥ । ୧୯୯୯ ମହାବାତ୍ୟାରେ ରଙ୍ଗମଞ୍ଚର ଘର ଭାଙ୍ଗି ଯିବା ପରେ ଆଉ କେହି ଅନାଇଲେନି । ୧୯୫୩ ମସିହାରେ ପ୍ରତିଷ୍ଠିତ ଓଡ଼ିଶାର ଏକ ପ୍ରମୁଖ ରଙ୍ଗମଞ୍ଚ ଏବେ ପାଲଟିଛି ଭୂତକୋଠି । ଜାଗା ବିବାଦର ପଷାପାଲି ଭିତରେ ଅସ୍ତିତ୍ୱ ଖୋଜୁଛି ଜନତା ରଙ୍ଗମଞ୍ଚ।
ଅଧିକ ପଢ଼ନ୍ତୁ: କେବେ ଓ କେଉଁଠୁ ଆରମ୍ଭ ହୋଇଥିଲା ନାଟକ ପରମ୍ପରା, ଜାଣନ୍ତୁ...
ଲୋକଙ୍କ ଭିତରେ ମରି ମରି ଯାଉଥିବା ନାଟକ ପ୍ରତି ଆଗ୍ରହକୁ କିନ୍ତୁ ତାଜା କରି ରଖିଛି ଖୋର୍ଦ୍ଧାର ନାଟ୍ୟଗ୍ରାମ । ରାଜ୍ୟରେ ନାଟକର ଅନ୍ୟତମ ଏନ୍ତୁଡିଶାଳ । ଏଠାରେ କେବଳ ନାଟକ ଶିକ୍ଷା ଦିଆଯାଏନି ବରଂ ନାଟ୍ୟଗ୍ରାମରେ ରହିଛି ନାଟ୍ୟ ମ୍ୟୁଜିୟମ ଏବଂ ନାଟ୍ୟନିବାସ । ୧୯୯୧ ମସିହାରେ ପ୍ରତିଷ୍ଠିତ ଏହି ନାଟ୍ୟଗ୍ରାମରୁ ପ୍ରସ୍ତୁତ ହୋଇଛି ଅନେକ ମନଛୁଆଁ ନାଟକ। ଯାହା ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ପରିବେଷଣ ହୋଇ ପ୍ରଶଂସିତ ହୋଇଛି । ନାଟ୍ୟଗ୍ରାମରୁ ତିଆରି ହୋଇଥିବା କଳାକାର ବି ଏବେ ଦେଶବିଦେଶରେ ପରିଚିତ।
ଏପଟେ ନାଟ୍ୟକାରଙ୍କ ଆଶା, ଓଡ଼ିଶାକୁ ପୁଣି ଫେରୁଛି ନାଟକର ସୁବର୍ଣ୍ଣ ଯୁଗ । ଚଳଚ୍ଚିତ୍ର ଓ ଯାତ୍ରାର ଲୋକପ୍ରିୟତା ଭିତରେ ବି ଲୋକେ ଧିରେ ଧିରେ ନାଟକ ମୁହାଁ ହେଲେଣି । ଯାହା, ନାଟକ ଓ କଳାକାରଙ୍କ ପାଇଁ ଭଲ ଦିନ ଆଣିବ।
ଏପଟେ ନାଟକକୁ ଜୀବିତ ରଖିବାକୁ ଅଂଟା ଭିଡିଛନ୍ତି କଳାକାର । ମୁହଁରେ ରଙ୍ଗ ମାରି ଅଭିନୟ ଦ୍ୱାରା ଦେଇଛନ୍ତି ସୁସ୍ଥ ସମାଜ ଗଠନର ବାର୍ତ୍ତା । ବିଶ୍ୱ ନାଟ୍ୟ ଦିବସ ଅବସରରେ ଆୟୋଜିତ ପଦଯାତ୍ରାରେ ସାମିଲ ହୋଇଥିଲେ ଢେଙ୍କାନାଳର ବିଭିନ୍ନ ଅନୁଷ୍ଠାନର ଶତାଧିକ ନାଟ୍ୟକର୍ମୀ, ନିର୍ଦ୍ଦେଶକ ଓ ନାଟ୍ୟପ୍ରେମୀ ।