ମାନ୍ୟତା ଅପେକ୍ଷାରେ ଗଞ୍ଜାମ ବେଲଗୁଣ୍ଠାର ପିତ୍ତଳ କାରିଗର, କେବେ ମିଳିବ ଜିଆଇ ଟ୍ୟାଗ ?

ପିତ୍ତଳକୁ ହାତୁଡ଼ିରେ ପିଟିପିଟି ଜୀବନ୍ତ ରୂପ ଦେଉଛି କାରିଗର, ଜିଆଇ ଟ୍ୟାଗ ମାନ୍ୟତା ପାଇଁ ପ୍ରୟାସ...ପିତ୍ତଳ କାମ ପାଇଁ ଚର୍ଚ୍ଚାରେ ଗଞ୍ଜାମ ବେଲଗୁଣ୍ଠା ସହର... ମାନ୍ୟତା ମିଳିଲେ କଳା ବିଶ୍ୱସ୍ତରରେ ପହଞ୍ଚି ପାରିବ..

These artists from Ganjam appeal for GI tag of Brass fish idol

ପିତ୍ତଳକୁ ହାତୁଡ଼ାରେ ପିଟି ପିଟି ଜୀବନ୍ତ ରୂପ ଦେବାରେ ବ୍ୟସ୍ତ କାରିଗର । ଭାକୁର ମାଛ, ଶେଉଳ ମାଛ, ଚିଙ୍ଗୁଡ଼ି ମାଛ, ଦେବାଦେବୀଙ୍କ ମୂର୍ତ୍ତି ଭଳି ବିଭିନ୍ନ ଘରସଜା ଉପକରଣ ତିଆରି କରି ଚର୍ଚ୍ଚାରେ ଗଞ୍ଜାମ ବେଲଗୁଣ୍ଠା ସହରର କାରିଗର । ପିତ୍ତଳ ମାଛକୁ ଜିଆଇ ଟ୍ୟାଗ ମାନ୍ୟତା ଦେବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି। ମାନ୍ୟତା ମିଳିଲେ ଏହି କଳା ବିଶ୍ୱସ୍ତରରେ ପହଞ୍ଚି ପାରିବ ବୋଲି ଆଶା ରଖିଛନ୍ତି କାରିଗର।

ବେଲଗୁଣ୍ଠା ସହରର ପିତଳ କାରିଗର ଭାବେ ବେଶ ପରିଚିତ ଅଛନ୍ତି ପ୍ରକାଶ ମହାରଣା । ତିନିଶହ ବର୍ଷ ଧରି ଚାଲି ଆସୁଥିବା କୌଳିକ ବୃତ୍ତିକୁ ଆଜିବି ବଞ୍ଚାଇ ରଖିଛନ୍ତି । ପ୍ରଥମେ ପିତ୍ତଳ ସିଟକୁ କାଟିବା ପରେ ତାକୁ ନିହଣରେ ପିଟି ମାଛ କାତି ତିଆରି କରନ୍ତି । ପରେ ମାଛର ମୁଣ୍ଡ ଓ ଲାଞ୍ଜ ତିଆରି କରିଥାନ୍ତି ଆଉ ଏସବୁକୁ ଯୋଡି ପିତ୍ତଳ ମାଛ ତିଆରି କରନ୍ତି । ଏହାକୁ ତିଆରି କରିବାକୁ ଦିନେ ଦୁଇଦିନ ସମୟ ଲାଗିଥାଏ। ଏହାକୁ ସାଇଜ୍ ଅନୁଯାୟୀ ୨୦୦ ଟଙ୍କାରୁ ଆରମ୍ଭ କରି ୨୦ ହଜାର ଟଙ୍କା ଯାଏଁ ବିକ୍ରି କରିଥାନ୍ତି । ବଜାରରେ ପିତ୍ତଳ ମାଛର ଚାହିଦା ରହିଥିବାରୁ ଏହି ବୃତ୍ତି ବଞ୍ଚାଇ ରଖିବାକୁ ସବୁବେଳେ ଉଦ୍ୟମ କରି ଆସୁଛନ୍ତି ।

ଜିଲ୍ଲା ଶିଳ୍ପ କେନ୍ଦ୍ରର ସହଯୋହଗାରେ ବହୁ ଜଣଙ୍କୁ ତାଲିମ ଦେଇ ରୋଜଗାର ଦେଇପାରିଛନ୍ତି। ତାଲିମ କେନ୍ଦ୍ରଟିଏ ବେଲଗୁଣ୍ଠାରେ ଖୋଲିଲେ ବହୁ ଜଣ ଏହି କଳାକୁ ବଞ୍ଚାଇ ରଖି ସ୍ୱାବଲମ୍ବୀ ହୋଇପାରିବେ ବୋଲି କହିଛନ୍ତି କାରିଗର।

ପୂର୍ବକାଳରେ ଏହି ପିତ୍ତଳ ମାଛ କାରିଗରି ଦେଖି ଭଞ୍ଜରାଜା ଆଶ୍ଚର୍ଯ୍ୟଚକିତ ହେବା ସହ ଏହାକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିଲେ । ଏପରିକି ରାଜା ଖୁସି ହୋଇ୬୦ ଭରଣ ଜମି ପ୍ରକାଶ ମହାରଣାଙ୍କ ପୂର୍ବଜ ଭିକାରି ମହାରଣାକୁ ପ୍ରଦାନ କରିଥିବାର ପ୍ରମାଣ ଏହି ତାମ୍ରପତ୍ର ଲେ ଖନୀକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି । ପିତ୍ତଳ ମାଛର କାରିଗରି ଭିନ୍ନ ଥିବାରୁ ଏହାକୁ ଉପହାର ସ୍ୱରୂପ ପ୍ରଦାନ କରାଯାଉଛି ।

ଦେଶ ତଥା ଦେଶ ବାହାରେ ରହୁଥିବା ଲୋକେ ମଧ୍ୟ ଏହାକୁ ଦେଖି କିଣି ନେଉଛନ୍ତି । ଏହି ପିତଳ ମାଛକୁ ଜିଆଇ ଟ୍ୟାଗ ମାନ୍ୟତା ଦେବାପାଇଁ ପ୍ରୟାସ ଆରମ୍ଭ କରାଯାଇଛି । ମାନ୍ୟତା ମିଳିଲେ ଏହି କଳା ଅନ୍ତଃଜାତୀୟ ସ୍ତରରେ ପହଞ୍ଚି ପାରିବ ବୋଲି ଆଶା ରଖିଛନ୍ତି କାରିଗରମାନେ ।