ଏମିତି ଭାଇ ଭାଗ୍ୟରେ ଥିଲେ ମିଳେ, ମାଆ ପରି କରୁଛି ଦୁଇ ଭଉଣୀଙ୍କ ସେବା

ରୋଷଇ କରି ଦୁଇ ଭଉଣୀ ଖାଇବା ବି ବାଢ଼ିଦିଏ ଭାଇ । ଆଉ ମାଆ ଟିଏ ପରି ପାଖରେ ଜଗବି ବସେ ।

Humanity

ବାପା ନାହାନ୍ତି କି ମାଆ ନାହାନ୍ତି । ବଡ ଭାଇ ଶ୍ୱଶୁର ଘରେ ରହୁଛନ୍ତି । କିନ୍ତୁ ନିଜ ଘରେ ରହୁଛନ୍ତି ତିନି ଭାଇଭଉଣୀ । ଦୁଃଖ ଯେମିତି ୟାଙ୍କ ଭାଗ୍ୟରେ ଲେଖାଅଛି । ବଡଭାଇ ସିନା ସ୍ୱାର୍ଥପର ହୋଇଗଲା ହେଲେ ସାନଭାଇ କିନ୍ତୁ ଦୁଇ ଭଉଣୀଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛି । ଯେଉଁ ବୟସରେ ନିଜ ପାଇଁ କିଛି ସ୍ୱପ୍ନ ଦେଖିବାର କଥା ସେହି ବୟସରେ ଭଉଣୀମାନଙ୍କ ପାଇଁ ସାନ ଭାଇ ଦେଖୁଛି ସୁନେଲୀ ସ୍ୱପ୍ନ ।

ଶ୍ରୀତମ ପାତ୍ର । ଘରର ସାନ ପୁଅ । ଦୁଇ କୁନି ଭଉଣୀ ଶ୍ରୀୟା ପାତ୍ର ଓ ସମ୍ପୂର୍ଣ୍ଣା ପାତ୍ରଙ୍କ ସହ ରହୁଛନ୍ତି ବାପ ଘରେ । ଘର କହିଲେ ତାଙ୍କର ଏକ ଭଙ୍ଗା ଦଦରା କୁଡ଼ିଆ ଘଟଟିଏ । ଦୁଇ ଭଉଣୀର ପେଟକୁ ଦି ମୁଠା ଖାଇବାକୁ ଦେବ ବୋଲି ସାନ ଭାଇ ଶ୍ରୀତମ ଦିନରାତି ପରିଶ୍ରମ କରୁଛି । ଏମିତିକି ଭଉଣୀମାନଙ୍କ ପାଇଁ ରୋଷେଇ ବି କରୁଛି । ଭାଇ ଚାଉଳରୁ ଗୋଡି ବାଛୁଥିବା ବେଳେ ଜଣେ ଭଉଣୀ ତାକୁ ସାହାଯ୍ୟ କରୁଛି । ଆଉ ଜଣେ ଭଉଣୀ କୂଅରୁ ପାଣି କାଢ଼ି ଆଣୁଛି । ରୋଷଇ କରି ଦୁଇ ଭଉଣୀ ଖାଇବା ବି ବାଢ଼ିଦିଏ ଭାଇ । ଆଉ ମାଆ ଟିଏ ପରି ପାଖରେ ଜଗବି ବସେ ।

ଖାଲି ସେତିକି ନୁହେଁ ଶ୍ରୀତମ ଦୁଇ ଭଉଣୀଙ୍କର ମୁଣ୍ଡ କୁଣ୍ଡାଇ ଦେବା ଠାରୁ ଆରମ୍ଭ କରି ତାଙ୍କୁ ପାଠ ପଢିବାକୁ ଉତ୍ସାହିତ ବି କରିଥାଏ । ଶ୍ରୀତମ ମାଟ୍ରିକ ପାସ କରିଥିଲେ ମଧ୍ୟ ଦୁଇ ଭଉଣୀକୁ ପାଳି ପୋଷି ମଣିଷ କରିବା ଲାଗି ନିଜର ପାଠ ପଢାରେ ଡୋରି ବାନ୍ଧି ଦେଇଛନ୍ତି । ଏମିତି ଚାଲେ ତାଙ୍କ ଭାଇଭଉଣୀଙ୍କ ସଂସାର ।

ବାପା ବିକ୍ରମ ପାତ୍ର ପେଟ ରୋଗରେ ପ୍ରାଣ ହରାଇବା ପରେ ୟାଙ୍କ ଭାଗ୍ୟରେ ଯେମିତି ଦୁଃଖ ଲେଖା ହୋଇଗଲା । ଆଜକୁ ୩ ବର୍ଷ ହେବ ସାନ ଭାଇ ଶ୍ରୀତମ ଦୁଇ କୁନି ଭଉଣୀଙ୍କ ଦାୟିତ୍ୱ ନେଇଥିଲେ ମଧ୍ୟ ଦୁଇ ଭଉଣୀ ଏବେ ସରକାରଙ୍କ ସାହାଯ୍ୟ ସହଯୋଗ ଲୋଡିଛନ୍ତି । ବାପା ମାଆ ଛେଉଣ୍ଡ ତିନି ଭାଇ ଭଉଣୀ ଏବେ ଭାଗ୍ୟକୁ ଆଦରି ଏମିତି ଜୀବନ ବିତାଉଛନ୍ତି ।

କେତେବେଳେ ଖାଇବାକୁ ପାଉଛନ୍ତି ତ ଆଉ କେତେବେଳେ ଉପାସ ରହୁଛନ୍ତି । ସରକାରଙ୍କ ପକ୍ଷରୁ ତାଙ୍କୁ କିଛି ଚାଉଳ ମିଳୁଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନାହିଁ । ଏଭଳି ପରିସ୍ଥିତିରେ ସରକାର ଭଉୟ ଭଉଣୀଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇବାକୁ ପାଖ ପଡୋଶୀ ଦାବି କରିଛନ୍ତି । ଅନ୍ୟପଟେ ଦୁଇ କୁନି ଭଉଣୀକୁ ଏକ ଆଶ୍ରମ ସ୍କୁଲରେ ଥଇଥାନ କରି ସେମାନଙ୍କ ଭବିଷ୍ୟତ ଗଢିବାକୁ ସବୁ ପ୍ରକାର ସାହାଯ୍ୟ କରିବେ ବୋଲି କନ୍ଧମାଳ ଚାଇଲ୍ଡ ଲାଇନର ନିର୍ଦ୍ଦେଶକ କହିଛନ୍ତି । କଥାରେ ଅଛି ଭାଇ ଥିବ ଯାହାର ଆଉ କାହାକୁ ଡର ନଥିବ ତାହାର। ଏ କଥାକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରି ଦେଖାଇଛନ୍ତି ଶ୍ରୀତମ । ସତରେ ଏମିତି ଭାଇ ଭାଗ୍ୟରେ ଥିଲେ ମିଳେ।

(ରିପୋର୍ଟ- ଅଜିତ୍‌ ନାୟକ, ବାଲିଗୁଡା)