Sanitary Napkins
କଦଳୀ ପାଟୁକାରୁ ସାନିଟାରି ପ୍ୟାଡ୍। ତାହା ବି ପୁନଃବ୍ୟବହାର ଯୋଗ୍ୟ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି, ହେଲେ ସତ। ମାତା ଅମୃତାନନ୍ଦମୟୀ ମଠ ପକ୍ଷରୁ 'ସୌଖ୍ୟମ' ଅଭିଯାନ ଅଧିନରେ ତିଆରି ହୋଇଛି ଏଭଳି ପ୍ୟାଡ୍। ଯାହା ଶସ୍ତାରେ ଉପଲବ୍ଧ। ସ୍ୱାସ୍ଥ୍ୟକର ଓ ପରିବେଶ ଅନୁକୂଳ ବି। ଖୁବ୍ଶୀଘ୍ର ଓଡ଼ିଶାରେ ବି ତିଆରି ହେବ ଏହି ରି-ୟୁଜେବଲ ପ୍ୟାଡ୍।
କଦଳୀ ପାଟୁକା ବା କଦଳୀ ଗଛର ତନ୍ତୁରୁ ତିଆରି ହୋଇଛି ସାନିଟାରି ପ୍ୟାଡ୍। ତା’ପୁଣି ରି-ୟୁଜେବଲ, ଅର୍ଥାତ୍ ଏକାଧିକ ଥର ବ୍ୟବହାର କରିହେବ। ଅତିକମରେ ୩ରୁ ୪ ବର୍ଷ ଯାଏଁ ବ୍ୟବହାର କରିହେବ ଏସବୁ ପ୍ୟାଡ୍। ସୌଖ୍ୟମ୍ ରି-ୟୁଜେବଲ ପ୍ୟାଡ୍ସ ଅଭିଯାନ ଅଧିନରେ ଏହାକୁ ତିଆରି କରିଛି ମାତା ଅମୃତାନନ୍ଦମୟୀ ମଠ। ପ୍ୟାଡ୍ ଓମ୍ୟାନ୍ ଭାବେ ପରିଚିତ ତଥା ସୌଖ୍ୟମ ରିୟୁଜେବଲ ପ୍ୟାଡ୍ସର ପରିଚାଳନା ନିର୍ଦ୍ଦେଶିକା ଅଞ୍ଜୁ ବିଷ୍ଟ କହିଛନ୍ତି, ଏହି ପ୍ୟାଡର ବିଶେଷତ୍ତ୍ୱ ହେଉଛି, ଏହା ପରିବେଶ ଅନୁକୂଳ ଓ ସ୍ୱାସ୍ଥ୍ୟ ଉପଯୋଗୀ। ଅନ୍ୟ ସାଧାରଣ ଡିସପୋଜେବଲ ପ୍ୟାଡରେ ବ୍ୟବହାର ହେଉଥିବା ସେଲ୍ୟୁଲାର ଫାଇବର ପାଇଁ ପ୍ରତିବର୍ଷ ହଜାର ହଜାର ଗଛ ବଳି ପଡ଼ିଥାଏ। ଏମିତିକି ସେଗୁଡ଼ିକରେ କେମିକାଲ ବ୍ୟବହାର ହୁଏ, ଯାହା ଶରୀର ଉପରେ କୁପ୍ରଭାବ ପକାଇଥାଏ।
ସାଧାରଣତଃ ପ୍ୟାଡ୍ ମାଟିରେ ମିଶିବାକୁ ଶହଶହ ବର୍ଷ ନେଇଥାଏ। କିନ୍ତୁ ସୌଖ୍ୟମ ପ୍ୟାଡ୍କୁ କଦଳୀ ଗଛର ପାଟୁକା ତନ୍ତୁରୁ ପ୍ରସ୍ତୁତ କରାଯାଇଛି। ଯାହା ଶରୀର ପ୍ରତି ଖରାପ ନୁହେଁ କି ପରିବେଶ ନଷ୍ଟ ହେବାର ଆଶଙ୍କା ବି ନାହିଁ।
ସାଧାରଣତଃ ଡିସପୋଜେବଲ ପ୍ୟାଡ୍ କିଣାରେ ଜଣେ ମହିଳା ମାସକୁ ୪୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିଥାନ୍ତି। ଅର୍ଥାତ୍ ସାନିଟାରୀ ପ୍ୟାଡ୍ ପାଇଁ ଜୀବନ କାଳ ଭିତରେ ଜଣଙ୍କୁ ପାଖାପାଖି ୪୦-୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। କିନ୍ତୁ ମାତ୍ର ୩୫୦ ଟଙ୍କାରେ ଉପଲବ୍ଧ କଦଳୀ ପାଟୁକାରେ ତିଆରି ହେଉଥିବା ସୌଖ୍ୟମ ରିୟୁଜେବଲ ସାନିଟାରୀ ପ୍ୟାଡ୍ ସେଟ୍କୁ ଜଣେ ୩ରୁ ୪ ବର୍ଷ ବ୍ୟବହାର କରିପାରିବ। ପ୍ରଶ୍ନ ଉଠୁଛି, ରିୟୁଜେବଲ ପ୍ୟାଡ୍ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇବନି ତ ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ବାନାନା ଫାଇବର୍ ପିଲାଙ୍କ ଡାଇପର ଓ ଟି’ ଫିଲ୍ଟର ବ୍ୟାଗରେ ବ୍ୟବହାର ହୁଏ। ଏହା ଶରୀର ପାଇଁ ସ୍ୱାସ୍ଥ୍ୟକର। ସୌଖ୍ୟମ ରିୟୁଜେବଲ ପ୍ୟାଡ୍ସ ଏବେ ଓଡ଼ିଶାରେ ବି କଦଳୀ ପାଟୁକାରୁ ପ୍ୟାଡ୍ ତିଆରି ନିଷ୍ପତ୍ତି ନେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710948569.jpg)