ସେଦିନ ଥିଲା ଜୁନ୍-୨ , ଶୁକ୍ରବାର । ସମୟ ସଂଧ୍ୟା ପ୍ରାୟ ୭ଟା । ମେନ୍ ଲାଇନ୍ରେ ଗ୍ରୀନ ସିଗ୍ନାଲ ଥିବାରୁ ଘଂଟାପ୍ରତି ୧୨୮ କିମି ବେଗରେ ସାଲିମାରରୁ ଚେନ୍ନାଇ ଯାଉଥିଲା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍ । ବାଲେଶ୍ୱର ଅତିକ୍ରମ କରିବା ପରେ ଭଦ୍ରକ୍ରେ ଅଟକିବାର ଥିଲା । ଯେହେତୁ ସିଗ୍ନାଲ କ୍ଲିୟର ଥିଲା ତେଣୁ ନିର୍ଦ୍ଧାରିତ ସ୍ପିଡରେ ଆଗକୁ ବଢୁଥିଲା ଟ୍ରେନ୍ । ହେଲେ ବାହାନଗା ବଜାର ପାଖରେ ହଠାତ୍ ଅପ୍ ଲୁପ୍ ଲାଇନ୍କୁ ପ୍ରବେଶ କରିଥିଲା କରମଣ୍ଡଳ । ସଂଧ୍ୟା ସମୟ ହୋଇଥିବାରୁ ପ୍ରାୟ ସମସ୍ତେ ଗପସପରେ ବ୍ୟସ୍ତ ଥିଲେ । କିନ୍ତୁ ଏତିକିବେଳେ ଘଟିଥିଲା ଭୟଙ୍କର ଦୁର୍ଘଟଣା । ମାଲଗାଡିକୁ ଭୟଙ୍କର ଭାବରେ ଧକ୍କା ଦେଇଥିଲା କରମଣ୍ଡଳ ।
ବାହାନଗା ଷ୍ଟେସନ ପାଖରେ ଧକ୍କା ଏତେ ଜୋରରେ ଥିଲା ଯେ ଚାହୁଁଚାହୁଁ ଶହଶହ ଲୋକଙ୍କର ଜୀବନ ଚାଲିଯାଇଥିଲା । ଦୁର୍ଘଟଣାଗ୍ରସ୍ତ ଟ୍ରେନ୍କୁ ପୁଣି ଥରେ ଧକ୍କା ଦେଇଥିଲା ଯଶବନ୍ତପୁର-ହାୱଡା ଏକ୍ସପ୍ରେସ୍ । ତେଣୁ ସ୍ଥିତି ଗମ୍ଭୀର ହୋଇଥିଲା । ସେପଟେ ଦୁର୍ଘଟଣା ଖବର ପାଇବା ପରେ ଆହତଙ୍କୁ ଉଦ୍ଧାର ପାଇଁ ଧାଇଁ ଆସିଥିଲେ ସ୍ଥାନୀୟ ଲୋକେ । ପ୍ରଥମେ ତ ଷ୍ଟେସନ ପାଖରେ ଥିବା ମେଡିକାଲକୁ ଯାଇଥିଲେ ଲୋକେ । କିନ୍ତୁ ସେଠି ଯେଉଁ ସ୍ଥିତି ଉପୁଜିଥିଲା ତାହା ଅବର୍ଣ୍ଣନୀୟ ।
Also Read
ମେଡିକାଲ ତ ଥିଲା କିନ୍ତୁ ସେଥିରେ ତାଲା ଥିଲା । ଏତେ ଅବ୍ୟବସ୍ଥା ଭିତରେ ମେଡିକାଲ ରହିଥିଲା ଯେ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ବି ଦେବା ସମ୍ଭବ ନଥିଲା । ସ୍ଥିତି ଏମିତି ହୋଇଥିଲା ଯେ ମେଡିସିନ୍ ଷ୍ଟୋରରେ ବି ଲୋକଙ୍କର କରାଯାଇଥିଲା ଚିକିତ୍ସା । ଜାତୀୟ ରାଜପଥରେ ଦୁର୍ଘଟଣା ହେଲେ ରୋଗୀଙ୍କୁ ତୁରନ୍ତ ଚିକିତ୍ସାସେବା ଯୋଗାଇ ଦେବାକୁ ୧୯୯୬ ମସିହାରେ ୨ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତ ଓ କାର୍ତ୍ତିକ ମହାପାତ୍ର ଏହାକୁ ପ୍ରସ୍ତାବିତ ଦୁର୍ଘଟଣା ଜନିତ ସ୍ୱାସ୍ଥ୍ୟକେନ୍ଦ୍ର ଭାବେ ଶୁଭ ଦେଇଥିଲେ । ରାସ୍ତା କଡରେ ବି ବାହାନଗା ମେଡିକାଲ ନିର୍ମାଣ କରାଯାଇଥିଲା । ଆଉ ଲକ୍ଷ୍ୟ ଥିଲା ଦୁର୍ଘଟଣାର ଶିକାର ହେଲେ ପ୍ରଥମେ ସେହି ମେଡିକାଲରେ ଆହତଙ୍କ ଚିକିତ୍ସା ହେବ । କିନ୍ତୁ ସବୁ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ମେଡିକାଲର ଅବ୍ୟବସ୍ଥା ପାଇଁ ସୋର, ଭଦ୍ରକ ଓ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ରୋଗୀ ଗଲେ ।
ପ୍ରତ୍ୟକ୍ଷଦର୍ଶୀ ଓ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବାହାନଗାରେ ଥିବା ମେଡିକାଲର ଉନ୍ନତି କରୁନାହାନ୍ତି ସରକାର । ଯଦି ଆବଶ୍ୟକୀୟ ଭିତ୍ତିଭୂମି ଥାଆନ୍ତା ତେବେ ଏତେ ଲୋକଙ୍କର ମୃତ୍ୟୁ ହୋଇନଥାନ୍ତି କି ଏତେ ସଂଖ୍ୟାରେ ଲୋକେ ଗୁରୁତର ହୋଇ ନଥାଆନ୍ତେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ପୂରା ବିଶ୍ୱକୁ ଦୋହଲାଇ ଦେଇଥିଲା । ଯଦି ସେଦିନ ଏଇ ମେଡିକାଲରେ ଆହତଙ୍କୁ ଚିକିତ୍ସା ସେବା ମିଳିପାରିଥାଆନ୍ତେ ତେବେ ମୃତ୍ୟୁ ସଂଖ୍ୟା ନିଶ୍ଚୟ କମ୍ ହୋଇଥାଆନ୍ତା ବୋଲି କହୁଛନ୍ତି ଲୋକେ ।