ଓଡ଼ିଶାର ଫଟୋ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ । ବୟସ ଶହେ ଛୁଇଁଲାଣି, ହେଲେ ଏବେବି ପୁରା ଫିଟ ଅଛନ୍ତି ପୂର୍ଣ୍ଣଚନ୍ଦ୍ର । ଶତାୟୁ ପୂର୍ଣ୍ଣଚନ୍ଦ୍ର ପ୍ରକୃତରେ ଜଣେ ପୂର୍ଣ୍ଣ ଚନ୍ଦ୍ର । ସେ ଏକାଧାରରେ ଜଣେ ଫଟୋଗ୍ରାଫର, ସାମ୍ବାଦିକ, ସାହିତ୍ୟିକ, ଅଭିନେତା, ରଥ କାରିଗର ଓ ବାସ୍ତୁବିତ୍ ।
କଥା କହୁଛି ଇତିହାସର କଳା ଧଳା ଫଟୋ । ରାଜା ମହାରାଜା ଓ ଇଂରେଜଙ୍କ ଠାରୁ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଯାଏଁ । ଅମୂଲ୍ୟ ସମ୍ପଦ ହୋଇ ରହିଛି ସବୁକିଛି । କଥାକୁହା ଫଟୋର ଶିଳ୍ପୀ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ । ବୟସ ଶହେ ଛୁଇଁଲାଣି । ହେଲେ ଏବେ ବି ସମ୍ପୂର୍ଣ୍ଣ ନିରୋଗୀ । ଚଲାବୁଲା ସହ ନିଜ କାମ ନିଜେ କରିପାରୁଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ସେ କେବେ ଔଷଧ ଖାଇଛନ୍ତି ତାଙ୍କର ମନେ ନାହିଁ । ଏଥିରୁ ଅନୁମାନ କରିହେଉଛି, ସେ କେତେ ଫିଟ୍, କେତେ ସୁସ୍ଥ ।
ମୟୂରଭଞ୍ଜର ତତକାଳୀନ ମହାରାଜା ଯଦୁନାଥ ଭଞ୍ଜଙ୍କ ସମୟରେ ପୁରୀରୁ ବାରିପଦା ଆସିଥିଲେ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର । ୧୯୨୪ରେ ବାରିପଦା ସହରରେ ଜନ୍ମଲାଭ କରିଥିବା ପୂର୍ଣ୍ଣଚନ୍ଦ୍ର, ଚାଟଶାଳୀରୁ ହାଇସ୍କୁଲ ଯାଏଁ ଏଠାରେ ପଢିଥିଲେ । ଛୋଟ ବେଳୁ ହିଁ ଫଟୋଗ୍ରାଫି ପ୍ରତି ଆକୃଷ୍ଟ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର । ରାଜା ସାହେବ ପ୍ରତାପ ଚନ୍ଦ୍ର ଭଞ୍ଜଙ୍କ ଦୃଷ୍ଟିରେ ପଡ଼ିବା ପରେ ତାଙ୍କୁ ସେ ଫଟୋଗ୍ରାଫିରେ ନିୟୋଜିତ କରିଥିଲେ ।
Also Read
ସେହି ଦିନଠାରୁ ଜଣେ ଫୋଟୋଗ୍ରାଫର ଭାବେ ପରିଚିତ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର । ରାଜ ପରିବାରଠୁ ବ୍ରିଟିଶ ଅଫିସର ଏବଂ ଧନୀ ଶ୍ରେଣୀର ବ୍ୟକ୍ତି ଓ ସାମାଜିକ କାର୍ଯ୍ୟକ୍ରମରେ ସେ ବେଶ ଆଦୃତ ହୋଇପାରିଥିଲେ । ନେପାଳର ରାଜା ପୂର୍ଣ୍ଣଚନ୍ଦ୍ରଙ୍କ ଫଟୋଗ୍ରାଫିରେ ଖୁସି ହୋଇ ତାଙ୍କୁ ଏକ ଜର୍ମାନମେଡ୍ କ୍ୟାମେରା ମଧ୍ୟ ଉପହାର ଦେଇଥିଲେ । ପୂର୍ଣ୍ଣଚନ୍ଦ୍ର ସେ ସମୟର ଏକ ମାତ୍ର ପୋଲିସ ଫୋଟୋଗ୍ରାଫର ହେବାର ଯୋଗ୍ୟତା ଓ ଗୌରବ ହାସଲ କରିଥିଲେ । ଯାହା ପୋଲିସ ୱାଣ୍ଟସ ୟୁଅର ହେଲ୍ପ ପୁସ୍ତକରେ ଲିଖିତ ରହିଛି ।
ଫଟୋଗ୍ରାଫି ସହ ସାମ୍ବାଦିକତା ଓ ପ୍ରେସ ଫଟୋଗ୍ରାଫର ଭାବେ ପୂର୍ଣ୍ଣଚନ୍ଦ୍ର ସାରା ଓଡ଼ିଶାରେ ପରିଚିତ । ଏକାଧିକ ଖବର କାଗଜର ପ୍ରତିନିଧି ଭାବେ ସତ୍ୟ ଓ ନିରପେକ୍ଷ ସମ୍ବାଦ ପାଇଁ ସୁନାମ ଅର୍ଜନ କରିଛନ୍ତି । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏକ ଫୋଟୋଚିତ୍ର ଉତ୍ତୋଳନ କରି ପ୍ରଶଂସାର ପାତ୍ର ହୋଇଥିଲେ ପୂର୍ଣ୍ଣଚନ୍ଦ୍ର । ସେ ଉଠାଇଥିବା ଫୋଟୋ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଲିଖିତ ଏକ ପୁସ୍ତକର କଭର ପେଜରେ ସ୍ଥାନ ପାଇଥିଲା। ପୂର୍ଣ୍ଣଚନ୍ଦ୍ରଙ୍କ ଭାଷାଲିପି ସଂସ୍କାର ପ୍ରସ୍ତାବ ଓଡିଶା ସାହିତ୍ୟ ଏକାଡେମୀର ମୁଖପତ୍ର କୋଣାର୍କର ସପ୍ତମ ସଂଖ୍ୟାରେ ପ୍ରକାଶିତ ହୋଇ ଭାଷାବିତଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା।
ଫଟୋଗ୍ରାଫି ସହ ଓଡ଼ିଆ ଚଳଚ୍ଚିତ୍ରରେ ରହିଛି ପୂର୍ଣ୍ଣଚନ୍ଦ୍ରଙ୍କ ଅଭିନୟର ଜାଦୁ । ଅଭିମାନ ଓ ଫୁଲଚନ୍ଦନ ପରି ଚଳଚିତ୍ରରେ ଅଭିନୟ କରି ପ୍ରଶଂସିତ ହୋଇଛନ୍ତି। ଏଥିସହ ଛଉ କଳାକାର ଭାବେ ମଧ୍ୟ ସେ ବେଶ ପରିଚିତ । ଏତେ ସବୁ ସତ୍ତ୍ୱେ ନିଜ କୌଳିକ ବୃତ୍ତି ରଥ ମିସ୍ତ୍ରୀ କାମକୁ ଛାଡି ନ ଥିଲେ ପୂର୍ଣ୍ଣଚନ୍ଦ୍ର। ରାଞ୍ଚି, ରାଇରଙ୍ଗପୁର, ସାରସକଣା, ଝାରସୁଗୁଡା ଓ ବାଲେଶ୍ୱର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣରେ ସେ ସହାୟତା କରିଛନ୍ତି ।