Kendrapara man found money on road, requests to take with proof
ଆଜିର ସ୍ୱାର୍ଥପର ଦୁନିଆରେ ଯେଉଁଠି ନିଜ ଲୋକ ଆଡ଼ ଆଖିରେ ଚାହୁଁ ନାହାନ୍ତି, ସେଇଠି ବାହାର ଲୋକଙ୍କ କଥା କିଏ ପଚାରେ। ହେଲେ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ପାଇଁ ନିଜ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ। କୌଣସି ଲୋଭର ବଶବର୍ତ୍ତୀ ନହୋଇ କିମ୍ବା କିଛି ପାଇବାର ଆଶା ନରଖି ଏମାନେ ସବୁବେଳେ ସାହାଯ୍ୟ ପାଇଁ ଆଗକୁ ଆସନ୍ତି। ଏଭଳି ମଣିଷ ପଣିଆର ଏକ ଜ୍ୱଳନ୍ତ ଉଦାହରଣ କେନ୍ଦ୍ରାପଡା ଜିଲ୍ଲାରେ ଦେଖିବାକୁ ମିଳିଛି। ମହାକାଳପଡା ବ୍ଲକ୍ ଅନ୍ତର୍ଗତ ବଡିହି ଗାଁର ଜଣେ ଯୁବଚାଷୀ ରାସ୍ତାରୁ ପାଇଥିବା ଲକ୍ଷାଧିକ ଟଙ୍କାକୁ ଫେରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ସୂଚନା ଅନୁସାରେ, ବଡିହି ଗାଁର ଶଙ୍କର୍ଷଣ ବେହେରା ଗତ ଡିସେମ୍ବର ୩୧ ତାରିଖ ମଧ୍ୟାହ୍ନ ସମୟରେ ବିଲକୁ ଧାନ କାଟିବାକୁ ଯାଉଥିଲେ। ବଡିହି-ବିଜୟନଗର ରାସ୍ତା ଦେଇ ଯାଉଥିବାବେଳେ ଏକ ଜରି ବ୍ୟାଗ୍ ପଡ଼ିଥିବାର ଦେଖିବାକୁ ପାଇଥିଲେ। ବ୍ୟାଗ୍ ଉଠାଇ ଦେଖିବା ପରେ ସେଥିରୁ ୫ ଶହ ଟଙ୍କିଆ ୨ଟି ବଣ୍ଡଲ୍ ମିଳିଥିଲା। ଟଙ୍କା ପାଇଲା ପରେ ଶଙ୍କର୍ଷଣ କିଛି ସମୟ ସେହି ସ୍ଥାନରେ ଅପେକ୍ଷା କରିଥିଲେ। ହୁଏତ କେହି ଏହି ହଜି ଯାଇଥିବା ଟଙ୍କା ଭର୍ତ୍ତି ବ୍ୟାଗ୍ ଖୋଜି ସେଠାକୁ ଆସିବେ। ହେଲେ କେହିବି ଆସିନଥିଲେ। ଫଳରେ ଶଙ୍କର୍ଷଣ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଘରକୁ ଫେରିଥିଲେ।
କୌଣସି ବ୍ୟକ୍ତି ଟଙ୍କା ଖୋଜାଖୋଜି କରି ନଆସିବାରୁ ଶଙ୍କର୍ଷଣ ଟଙ୍କାକୁ ନିଜ ପାଖରେ ରଖିଛନ୍ତି। ଏହି ଦୁଇଟି ୫୦୦ ଟଙ୍କିଆ ବଣ୍ଡଲ୍ରେ ୧ ଲକ୍ଷରୁ ଅଧିକ ଟଙ୍କା ଥିବା ଅନୁମାନ କରାଯାଉଛି। ଯାହାର ବି ଏହି ଟଙ୍କା, ସମ୍ପୃକ୍ତ ବ୍ୟକ୍ତି ଉପଯୁକ୍ତ ପ୍ରମାଣ ଦେଖାଇ ଟଙ୍କା ନେଇପାରିବେ ବୋଲି ଶଙ୍କର୍ଷଣ କହିଛନ୍ତି। ଲକ୍ଷାଧିକ ଟଙ୍କା ପାଇ କୌଣସି ଲୋଭର ବଶବର୍ତ୍ତୀ ନହୋଇ ଏହାକୁ ଫେରାଇବା ପାଇଁ ନିଷ୍ପତ୍ତି ନେଇ ସେ ମଣିଷ ପଣିଆର ଉଦାହରଣ ଦେଇଛନ୍ତି।
ଖାଲି ଏତିକି ନୁହେଁ ଟଙ୍କା ହଜିଥିବା ଉକ୍ତ ବ୍ୟକ୍ତିଙ୍କ ମାନସିକ ଅବସ୍ଥା ଏବେ କ’ଣ ଥିବ ? ହୁଏତ ସେ ଘର କାର୍ଯ୍ୟ କିମ୍ବା ମେଡିକାଲରେ ଚିକିତ୍ସା ପାଇଁ ଟଙ୍କା ନେଉଥିବେ ଓ ଏହି ସମୟରେ ଏହା ହଜି ଯାଇଥିବ। ତେଣୁ ସମ୍ପୃକ୍ତ ବ୍ୟକ୍ତି ପାଖରେ ଟଙ୍କା ପହଞ୍ଚିବା ଦରକାର ବୋଲି ଶଙ୍କର୍ଷଣ କହିଛନ୍ତି। ଯଦି କେହି ଦାବିଦାର ନଆସନ୍ତି ତା’ହେଲେ ଏହି ଟଙ୍କା ସରକାରଙ୍କ ରାଜକୋଷକୁ ପ୍ରଦାନ କରିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ, ଲକ୍ଷାଧିକ ଟଙ୍କା ରାସ୍ତାରୁ ପାଇ ଏହାକୁ ଫେରାଇବାକୁ ଶଙ୍କର୍ଷଣ ନେଇଥିବା ନିଷ୍ପତ୍ତିକୁ ସବୁ ମହଲରେ ପ୍ରଶଂସା କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1672734392.jpg)