Advertisment

ନା ଗଛ ଅଛି ନା ତାର ବାଡ଼ : ବନୀକରଣ ନାଁରେ ଟଙ୍କା ବାଟମାରଣା

ପ୍ରଶ୍ନ ଉଠୁଛି, ଯଦି ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ଜଙ୍ଗଲ ବିଭାଗ ଅଧିକାରୀ ଗଛ ନାଁରେ କିକ୍ ବ୍ୟାକ୍ କରିବାକୁ ସାହସ କରୁଛନ୍ତି, ତେବେ ଅନ୍ୟ ଜିଲ୍ଲାରେ କେମିତି ଚାଲିଥିବ ପଥପାର୍ଶ୍ୱ ବନୀକରଣ ?

ଅଦ୍ୟତନ ହୋଇଛି
jojanara Na Hariloot

jojanara Na Hariloot

Advertisment

ଗଛ ଲାଗିଲେ ସବୁଜ ସୁନ୍ଦର ହେବ ପରିବେଶ। ବିଶେଷ କରି ରାସ୍ତାର ଉଭୟ ପାର୍ଶ୍ୱରେ ଗଛ ଲାଗିଲେ ପରିବେଶର ସୁରକ୍ଷା ସହ ଯାତ୍ରୀମାନେ ବି ଛାଇ ପାଇବେ । ଏମିତି କିଛି ଯୋଜନା ପରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଂଜ୍ ର ଦହ୍ୟାଠାରୁ ଶଗଡ଼ା ପର୍ଯ୍ୟନ୍ତ ୧୫ କିଲୋମିଟର ରାସ୍ତାରେ ଗଛ ଲାଗିବା ପାଇଁ ୧୬ ଲକ୍ଷ ଟଙ୍କା ମଞ୍ଜୁର ହେଲା । କାଗଜପତ୍ରରେ ଟଙ୍କା ଖର୍ଚ୍ଚ କରାଯାଇଥିବା ମଧ୍ୟ ଦର୍ଶାଗଲା । ତେବେ ବନ ବିଭାଗ ପ୍ରକୃତରେ ଗଛ ଲଗାଇଥିଲା ନା ନାହିଁ, ନା ଟଙ୍କା ହରିଲୁଟ୍ କରାଗଲା, ସତ୍ୟାସତ୍ୟ ପାଇଁ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିଛି ଓଟିଭି ଟିମ୍ ।

Advertisment

ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଂଜ୍ ର ଦହ୍ୟାଠାରୁ ଶଗଡ଼ା ପର୍ଯ୍ୟନ୍ତ ୧୫ କିଲୋମିଟର ରାସ୍ତାର ଉଭୟ ପାଖରେ ବୃକ୍ଷରୋପଣ ପାଇଁ ଯୋଜନା ହେଲା। ମନରେଗା ଯୋଜନାରେ ୨୦୨୧-୨୨ରେ ନିମ, ଶିଶୁ ଓ ଶିରିଶ ଗଛ ଲାଗିବା ପାଇଁ ମଞ୍ଜୁର ହୋଇଥିଲା ୧୬ ଲକ୍ଷ ୩୬ ହଜାର ଟଙ୍କା । ୧୫ କିଲୋମିଟର ରାସ୍ତାକୁ ଦୁଇଭାଗରେ ବିଭକ୍ତ କରାଯାଇ ରକ୍ସାରୁ ହାତୀମୁଣ୍ଡା ପର୍ଯ୍ୟନ୍ତ ସାଢେ ୭ କିଲୋମିଟର ରାସ୍ତା ପାଇଁ ୮ ଲକ୍ଷ ୧୮ ହଜାର ଟଙ୍କା ମଞ୍ଜୁର ହୋଇଥିଲା । ସେଥିରୁ ଲେବର ଓ ମ୍ୟାଟେରିଆଲ ଖର୍ଚ୍ଚ ମିଶାଇ ୭ ଲକ୍ଷ ୬୯ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ତଥ୍ୟ କହୁଛି। ତେବେ ଆଖି ପାଉଥିବା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଖରେ କୌଣସି ସ୍ଥାନରେ ଗଛର ଚିହ୍ନ ବର୍ଣ୍ଣ ନାହିଁ। ନା ଗଛ ଅଛି ନା ତାର ବାଡ଼ ।

ଯଦି ଏହି ରାସ୍ତାରେ ବୃକ୍ଷରୋପଣ କରାଯାଇଥିଲା, ତେବେ କୁଆଡେ ଗଲା ? କଣ ବର୍ଷକ ଭିତରେ ସବୁ ନଷ୍ଟ ହୋଇଗଲା ? ଏହାର ନିରପେକ୍ଷ ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଦହ୍ୟାରୁ ଶଗଡ଼ା ପର୍ଯ୍ୟନ୍ତ ଯାଇଥିବା ସେହି ସମାନ ରାସ୍ତାର ଦହ୍ୟାରୁ ରକ୍ସା ପର୍ଯ୍ୟନ୍ତ ସାଢେ ୭ କିଲୋମିଟର ରାସ୍ତାରେ ବି ସମାନ ଅବସ୍ଥା । ଏଠି ବି ବ୍ୟୟ ଅଟକଳ ମୂଲ୍ୟ ୮ ଲକ୍ଷ ୧୮ ହଜାର ଟଙ୍କାରୁ ୭ ଲକ୍ଷ ୭୧ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ତଥ୍ୟ କହୁଛି ।

Advertisment

ହେଲେ ହାତ ଗଣତି କାଁ ଭାଁ କେତୋଟି ଗଛ ରହିଥିବା ଦେଖିବାକୁ ମିଳିଛି । କିଛି ସ୍ଥାନରେ ଖାଲି ତାରଜାଲି ଘୂରାଯାଉଛି, କିନ୍ତୁ ତା ଭିତରେ ଗଛ ନାହିଁ ଖାଲି ବାଉଁଶ ରହିଛି । ବୃକ୍ଷରୋପଣ, ତାର ବାଡ଼ ଓ ରକ୍ଷଣାବେକ୍ଷଣ ନାଁରେ ବନ ବିଭାଗର ଅଧିକାରୀ ଲକ୍ଷାଧିକ ଟଙ୍କା ଚଳୁ କରିଥିବା ଲୋକେ ଅଭିଯୋଗ କରିଛନ୍ତି।

ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଜିଲ୍ଲା ବୌଦ୍ଧରେ ବନୀକରଣ ନାଁରେ ଟଙ୍କା ବାଟମାରଣା ଅଭିଯୋଗ ନେଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଜିଲ୍ଲା ବନ ଅଧିକାରୀ କହିଛନ୍ତି, ତଦନ୍ତ ପରେ ଯାହା କିଛି ପଦକ୍ଷେପ ନିଆଯିବ।

Advertisment

ପ୍ରଶ୍ନ ଉଠୁଛି, ଯଦି ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ଜଙ୍ଗଲ ବିଭାଗ ଅଧିକାରୀ ଗଛ ନାଁରେ କିକ୍ ବ୍ୟାକ୍ କରିବାକୁ ସାହସ କରୁଛନ୍ତି, ତେବେ ଅନ୍ୟ ଜିଲ୍ଲାରେ କେମିତି ଚାଲିଥିବ ପଥପାର୍ଶ୍ୱ ବନୀକରଣ ?

Jojanara Na Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ