କାହିଁକି ନିଶାଖୋର ହେଉଛନ୍ତି ଯୁବପିଢ଼ି ?

ରାଜ୍ୟରେ ବଢ଼ୁଛି ନିଶାଡ଼ିଙ୍କ ସଂଖ୍ୟା । ବିଭିନ୍ନ ଜିଲ୍ଲାରେ ନିଶା ନିବାରଣ କେନ୍ଦ୍ର ହାଉସଫୁଲ୍ । କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରାୟ ଶହେ କେନ୍ଦ୍ର ଫୁଲ୍ ପଡ଼ିଛି । ନିଶା ସେବନ ବଦଭ୍ୟାସ ନୁହେଁ ବରଂ ରୋଗ ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ।

ନିଶା କବଳରେ ଯୁବପିଢ଼ି

ବଢୁଛି ନିଶାଡିଙ୍କ ସଂଖ୍ୟା । ରାଜ୍ୟର ଅଧିକାଂଶ ନିଶା ନିବାରଣ କେନ୍ଦ୍ର ଏବେ ହାଉସ୍ ଫୁଲ୍ । ତେଣୁ ଏଭଳି କେନ୍ଦ୍ର ସଂଖ୍ୟା ବି ବଢି ବଢି ଚାଲିଛି । ନିଶାଖୋରଙ୍କ ମଧ୍ୟରେ ୪୦ ପ୍ରତିଶତ ଯୁବପିଢି । ତେବେ କାହିଁକି ନିଶାଖୋର ହେଉଛନ୍ତି ଯୁବପିଢ଼ି ? ଏଥିପଇଁ ଦାୟୀ କିଏ ? କିଭଳି ନିଶାଖୋର ଯୁବକଙ୍କ ପୁଣିଥରେ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ହେଉଛି ପ୍ରୟାସ ।

୧୯୯୬ର ବିଜେବି କଲେଜ ଟପ୍ପର ସ୍ନେହାଶିଷ ନାୟକ । ହେଲେ କଲେଜ୍ ପାଠପଢା ସମୟରେ ହିଁ ନିଶା କାବୁ କରିଦେଇଥିଲା ସ୍ନେହାଶିଷଙ୍କୁ । ନିଶାରେ ଏମିତି ଦିନ ରାତି ବୁଡିରହିଲେ ଯେ, ବୟସ କେତେବେଳେ ୧୭ରୁ ୩୩ ପାର କରିଦେଲା, ଜାଣିହେଲାନି । ନିଶାରେ ନିଶାରେ ପୁରା ଯୌବନ ହଜିଗଲା । ବନ୍ଧୁ, ପରିବାର ସବୁ ଦୂରେଇଗଲେ । ଏମିତିକି ସଫ୍ଟୱେୟାର ଇଞ୍ଜିନିୟର ହୋଇ ବି ବେରୋଜଗାର ହୋଇ ବୁଲିଲେ । ଦୀର୍ଘ ୧୭ ବର୍ଷ ନିଶା କବଳରେ ରହିବା ପରେ ୨୦୧୩ରେ ନିଶା ନିବାରଣ କେନ୍ଦ୍ରକୁ ଆସି ପାଇଥିଲେ ନୂଆ ଜୀବନ ।

ସମାନ ସ୍ଥିତି ସମାନ ଅବସ୍ଥା ପ୍ରଭୁଦତ୍ତ ପଟେଲଙ୍କର । ୧୯୯୮ରେ ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିଲେ, ହେଲେ ସେଠି ନିଶା କବଳରେ ପଡି ପାଠ ପଢି ପାରିନଥିଲେ । ପରିସ୍ଥିତି ଏଭଳି ହୋଇଥିଲା ଯେ, ସେଠାକାର ଏକ ନିଶା ନିବାରଣ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରିବାକୁ ବାଧ୍ୟ ହୋଇଥିଲେ ପରିବାର । ଏବେ ସମୟ ବଦଳିଛି । ନିଶା ଛାଡି ଉଭୟ ସ୍ନେହାଶିଷ ଓ ପ୍ରଭୁଦତ୍ତ ଚଳାଇଛନ୍ତି ନିଶା ମୁକ୍ତି ଅଭିଯାନ । ନିଶାମୁକ୍ତ ସମାଜ ଗଠନରେ ନିଜକୁ ସମର୍ପିଦେବା ସହ ଆରମ୍ଭ କରିଛନ୍ତି ସ୍ୱେଚ୍ଛାସେବୀ ସଂସ୍ଥା ସମର୍ପଣ ।

ଦିନକୁ ଦିନ ନିଶା ପ୍ରତି ଆକର୍ଷିତ ହେଉଛନ୍ତି ଯୁବପିଢି । ସେଥିପାଇଁ ତ ରାଜ୍ୟରେ ବଢି ଚାଲିଛି ନିଶା ନିବାରଣ କେନ୍ଦ୍ର ସଂଖ୍ୟା । କେବଳ କଟକ, ଖୋର୍ଦ୍ଧା ଓ ପୁରୀ ଜିଲାରେ ପାଖାପାଖି ୧୦୦ଟି ନିଶା ନିବାରଣ କେନ୍ଦ୍ର ରହିଛି । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଏବେ ସବୁ ଜିଲାରେ ଗୋଟିଏ ଲେଖାଏଁ ନିଶା ନିବାରଣ କେନ୍ଦ୍ର ଖୋଲାଯାଉଛି । ତଥାପି ନିଶା ନିବାରଣ 
କେନ୍ଦ୍ରଗୁଡିକ ହାଉସଫୁଲ ।

ସେପଟେ ବିଶେଷଜ୍ଞ କହିଛନ୍ତି, ନିଶା ସେବନ ଏକ ଅଭ୍ୟାସ ନୁହେଁ, ରୋଗ । ମାନସିକ ଚିକିତ୍ସା ଦ୍ୱାରା ଜଣେ ନିଶାଠାରୁ ଦୂରେଇ ପାରିବ । ନିଶା ନିବାରଣ କେନ୍ଦ୍ରଗୁଡିକରେ ବିଭିନ୍ନ ସମାଜଧର୍ମୀ କ୍ଲାସ ଓ ଯୋଗଭ୍ୟାସ ସହ ନିଶାଡିଙ୍କୁ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ କରାଯାଉଛି । ନିଶା ନିବାରଣ କେନ୍ଦ୍ରରେ ୩ ମାସ ରଖି ନିଶା ଠାରୁ ଦୂରେଇ ରଖିବାକୁ ଚେଷ୍ଟା କରାଯାଉଛି । ଆବଶ୍ୟକ ସ୍ଥଳେ ମନସ୍ତତ୍ୱବିତଙ୍କ ଜରିଆରେ ମଧ୍ୟ ନିଶାଖୋରଙ୍କ ଅଭ୍ୟାସ ଛଡାଇବା ପାଇଁ ପ୍ରୟାସ କରାଯାଉଛି ।