ଯେଉଁ ବୟସରେ ଖେଳିବା ବୁଲିବା କଥା ସେହି ବୟସରେ ହୁଏ ବାହାଘର...ଜୀବନ କଣ ବୁଝିବା ପୂର୍ବରୁ ବୋହିବାକୁ ପଡେ ସଂସାରର ବୋଝ। ବାଲ୍ୟ ବିବାହ ପ୍ରଥା ଉଚ୍ଛେଦ ହୋଇଥିଲେ ବି ଏମାନଙ୍କୁ ପଡେନି କିଛି ଫରକ। ପରମ୍ପରାକୁ ମାନି ପ୍ରାପ୍ତ ବୟସ୍କ ହେବା ପୂର୍ବରୁ ପୁଅ-ଝିଅଙ୍କୁ ବାହା କରିଦିଅନ୍ଚି ଗାଁ ଲୋକ ।
କାହାକୁ ୧୨ ତ ଆଉ କାହାକୁ ୧୪...୧୫ ବର୍ଷ ପର୍ଯ୍ୟନ୍ତ କେହି ଅପେକ୍ଷା କରନ୍ତି ନାହିଁ । ଝିଅକୁ ୧୫ ବେଳେ ପୁଅକୁ ହୋଇଥାଏ ମାତ୍ର ୧୬ ରୁ ୧୭ ବର୍ଷ । କିନ୍ତୁ ଏଇ ବୟସରେ ଏମାନେ ହୁଅନ୍ତି ପତି-ପତ୍ନୀ । ଜାଣି ଆଶ୍ଚର୍ଯ୍ୟ ହେବେ କି ବାଲ୍ୟ ବିବାହ କରୁଥିବାରୁ ଅଧିକାଂଶ ଅଳ୍ପ ବୟସରେ ବିଧବା ବି ହୁଅନ୍ତି...କେହି କେହି ପିଲାଙ୍କୁ ଚଳେଇବାକୁ ସମର୍ଥ ବି ହୁଅନ୍ତି ନାହିଁ । କିନ୍ତୁ ପରିସ୍ଥିତିର ଦାସ ହୋଇ ସଂସାରର କଷଣ ଭିତରେ ବାକି ଜୀବନ କାଟିବାକୁ ବାଧ୍ୟ ହୁଅନ୍ତି ।
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଖୁଂଟାପଡା ପଂଚାୟତର କୁଲାଡେରାରେ ଏମିତି ଚାଲିଛି ନାବାଳକ-ନାବାଳିକା ବିବାହ । ଯେଉଁଠି ନାବାଳିକା ଝିଅ ହେଉଛନ୍ତି ମାଆ ଓ ନାବାଳକ ପୁଅ ହେଉଛନ୍ତି ବାପା । ଏହି ଅଂଚଳରେ ପ୍ରାୟ ୨୦ ଟି ମହ୍ଲାର ଜନଜାତି ପରିବାରର ଲୋକ ରୁହନ୍ତି । ଜଙ୍ଗଲରୁ ଚେର ମୁଳି, ଲାଖ, ଝୁଣା,ମହୁ ସଂଗ୍ରହକରି ଜୀବିକା ନିର୍ବାହ କରନ୍ତି । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଦିବାସୀ ସଂପ୍ରଦାୟର ହୋଇଥିଲେ ବି ଏଠିକାର ଅନେକ ଲୋକ ଏଯାଏଁ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇନାହାନ୍ତି ।
Also Read
ବାଲ୍ୟ ବିବାହ ପ୍ରଥା ମହ୍ଲାର ଜନଜାତିଙ୍କ ସାମାଜିକ ଓ ଆର୍ଥିକ ସମସ୍ୟାକୁ ଆହୁରି ବିଗାଡି ଦେଇଛି। ଅଳ୍ପ ବୟସରେ ଝିଅମାନେ ମାଆ ହେବା ଏବଂ ଅନେକ ସମୟରେ ବିଧବା ହୋଇଯିବା କାରଣରୁ ପିଲାଙ୍କ ବୋଝ ବୋହିବା ସେମାନଙ୍କ ଲାଗି ଦୁର୍ବିସହ ହୋଇପଡୁଛି। ଗାଁରେ ଏଭଳି ଅନେକ ଅସହାୟ ଯୁବତୀ ଓ ମହିଳା ରହୁଥିଲେ ମଧ୍ୟ ସେମାନଙ୍କ ପାଖରେ ବିଧବା ଭତ୍ତା ଭଳି ସରକାରୀ ଯୋଜନା ପହଞ୍ଚିନାହିଁ। ପେଟ ଖଣ୍ଡଙ୍କ ପାଇଁ ଲଢୁଥିବା ଏଭଳି ପରିବାରର ପିଲାଙ୍କ ସ୍ବାସ୍ଥ୍ୟ ଓ ପାଠ ପଢିବା କଥା ପଚାରେ ବା କିଏ ?
ପୁରୁଣା ପରମ୍ପରା ଓ ପ୍ରଥାର ବିଲୋପ କରି ଆଦିବାସୀଙ୍କୁ ସାମାଜିକ ମୁଖ୍ୟସ୍ରୋତକୁ ଆଣିବାକୁ ବିଭିନ୍ନ ସ୍ତରରେ ପ୍ରୟାସ ହେଉଛି। ମାତ୍ର ତେଲକୋଇ ଅଞ୍ଚଳର ଏହି ଗାଁ ସତେ ଯେମିତି ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ।