୧୩ ବର୍ଷ ବୟସରେ ଜିଭ କାଟି ଧ୍ୟାନରେ ବସିଥିଲେ, ୨୫ ବର୍ଷ ହେଲା ଚାଲିଛି ନିରନ୍ତର ତପ

ବର୍ଷେ କି ଦୁଇବର୍ଷ ନୁହେଁ, ୨୫ ବର୍ଷ ହେଲା ଚାଲିଛି ନିରନ୍ତର ତପ। ଗୋଟିଏ ସ୍ଥାନରେ ଧ୍ୟାନ ମୁଦ୍ରାରେ ବସି କରୁଛନ୍ତି ଭଗବାନ ଶିବଙ୍କ ଆରାଧନା।

Baba Satyanarayan

ଖୋଲା ଆକାଶ ତଳେ ଧ୍ୟାନ ମୁଦ୍ରାରେ ବାବା। ଅହରହ ଚାଲିଛି ଭଗବାନ ଶିବଙ୍କ ଆରାଧନା।.. ଦିନ-ରାତି, ୨୪ ପ୍ରହର ସ୍ଥିର, ନିର୍ବିକାର। ଆଖି ମୁଦି ଯୋଗ ମୁଦ୍ରାରେ ବସିଛନ୍ତି । ଆସ୍ଥାନ ତଳେ ୨୪ ଘଣ୍ଟା ଧୁନି ଜଳୁଛି । ବାବା ସତ୍ୟନାରାୟଣ ଆଜିକୁ ପ୍ରାୟ ୨୫ ବର୍ଷ ହେଲା ନିରନ୍ତର ତପ କରୁଛନ୍ତି । ପ୍ରଚଣ୍ଡ ଖରା, ତୁହାକୁ ତୁହା ବର୍ଷା ଅବା ହାଡଭଙ୍ଗା ଶୀତ, ଯେମିତି କିଛି ବି କାଟୁ କରୁନି ବାବାଙ୍କୁ। ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହେଉଛି, ମନରେ ପ୍ରଶ୍ନ କରୁଛି ସତରେ କଣ ଏହା ସମ୍ଭବ।

ଚର୍ଚ୍ଚାରେ ରହିଛି ବାବାଙ୍କ ଜୀବନଚର୍ଯ୍ୟା। ବାବା କଥା କହନ୍ତିନି। କେବଳ ଠାରରେ ଭାବ ଆଦାନ ପ୍ରଦାନ କରନ୍ତି। ରାତି ଗୋଟାଏରୁ ୩ଟା ମଧ୍ୟରେ ଆଖି ଖୋଲି ପାଣି କିମ୍ବା କ୍ଷୀର ପିଇବାକୁ ସଙ୍କେତ ଦିଅନ୍ତି। ହେଲେ ଆସ୍ଥାନରୁ ଉଠିବା କିମ୍ବା ଶୌଚ କର୍ମ କରିବାକୁ ଯିବାର କେହି କେବେ ଦେଖି ନାହାନ୍ତି। ମନ୍ଦିର ପରିସରରେ ଲାଗିଥିବା ସିସିଟିଭିରେ ବି ଏମିତି କିଛି ଦୃଶ୍ୟ କେବେବି କଏଦ ହୋଇନି। ତେଣୁ ବିନା ଆହାରରେ ସେ କିଭଳି ବର୍ଷ ବର୍ଷ ଧରି ଜୀବନ ଧାରଣ କରିପାରିଛନ୍ତି ତାହା ସମସ୍ତଙ୍କୁ ଚକିତ କରୁଛି।

ଛତିଶଗଡ ରାୟଗଡର କୋଶମନରା ଗାଁରେ ରହିଛି ବାବା ସତ୍ୟନାରାୟଣଙ୍କ ଏହି ଧ୍ୟାନସ୍ଥଳ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଫେବ୍ରୁଆରୀ ୧୯୯୮ରୁ ବାବା ଏମିତି ଧ୍ୟାନରେ ବସିଛନ୍ତି। ପିଲାବେଳୁ ଶିବ ଭକ୍ତ ଥିବା ସତ୍ୟନାରାୟଣ । ୧୩ ବର୍ଷ ବୟସରେ ଏହି ସ୍ଥାନରେ ଜିଭ କାଟି ଧ୍ୟାନରେ ବସିଯାଇଥିଲେ। ସେବେଠାରୁ ଆଉ ଘରକୁ ଫେରିନାହାଁନ୍ତି। ସେତେବେଳେ ଏହି ସ୍ଥାନ ଚାଷ ଜମି ଥିଲା। ଏବେ ମନ୍ଦିର ଓ ଆସ୍ଥାନ ନିର୍ମାଣ ହୋଇଛି। ମନ୍ଦିର ପରିସରରେ ବାବାଙ୍କ କିଶୋର ଅବସ୍ଥାରୁ ଏଯାଏଁ ବିଭିନ୍ନ ସମୟର ଫଟୋ ଚିତ୍ର ରହିଛି।

ବାବା ଧାମ ନାଁରେ ପରିଚିତ ଏହି ସ୍ଥାନକୁ ବର୍ଷ ତମାମ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ତେବେ ଶ୍ରାବଣ ସୋମବାର, ମହାଶିବରାତ୍ରୀ, ଗୁରୁ ପୂର୍ଣ୍ଣିମା ଓ ବାବାଙ୍କ ଜନ୍ମଦିନରେ ଏଠାରେ ମେଳା ଲାଗେ। ଯାହାକୁ ଦେଖିବାକୁ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଭକ୍ତଙ୍କ ଭିଡ଼ ଜମେ।...