ବାପାମାଆ ନାହାନ୍ତି, ସାନ ଭାଇ ଭଉଣୀଙ୍କ କଥା ବୁଝୁଛି୯ ବର୍ଷର ଝିଅ

ଦୁର୍ଦ୍ଦଶାରେ କେନ୍ଦ୍ରାପଡ଼ା ଚାରିପୋଖରୀଆ ଗାଁର ଲକ୍ଷ୍ମୀଙ୍କ ପରିବାର, ସହାୟତା ପାଇଁ ଆଗେଇ ଆସିଲେ ଆଇନସେବା ପ୍ରାଧିକରଣ ସଚିବ

orphan child

କଲମ ଧରିବା ହାତ ଏବେ ଘରର ଝାଡ଼ୁ ଧରିଛି । ନିଜେ ଗେହ୍ଲା ହେବା ବୟସରେ ଭାଇ ଭଉଣୀକୁ ସେହ୍ନରେ ଉଜାଡ଼ି ଦେଉଛି । କଥା କହି ନଶିଖିଲେ କଣ ହେଲା ସେ ଏବେ ସମ୍ଭାଳୁଛି ତିନି ଭାଇ ଭଉଣୀଙ୍କୁ । ଏହି କୁନି କୁନି ହାତରେ ଗାଧୋଇ ଦେଉଛି, ମୁଣ୍ଡ କୁଣ୍ଡେଇ ଦେଉଛି ଆଉ ସବୁ ଅଲିଅଳି ବୁଝୁଛି ଭଉଣୀ । ସେ ଖାଲି ଭଉଣୀ ନୁହେଁ ତ ସେ ମାଆ ଆଉ ସେ ହି ବାପା । କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଚାରିପୋଖରୀଆ ଗାଁର ଲକ୍ଷ୍ମୀ ବାରିକ ଏବେ ଘରର ମୁରବୀ ।

ଲକ୍ଷ୍ମୀ ବାରିକ, ବୟସ ମାତ୍ର ୯ ବର୍ଷ । ହେଲେ ଛୋଟିଆ ବୟସରେ ବଡ଼ ଦାୟିତ୍ୱ ସମ୍ଭାଳିଛି ଲକ୍ଷ୍ମୀ । ବାପା, ମାଆ ନଥିବାରୁ ଏବେ ସେ ହିଁ ଭାଇ ଭଉଣୀଙ୍କ ଭରସା । ତେଣୁ ସକାଳୁ ରାତି ଯାଏଁ ନିଜ ସହ ନିଜ ୩ ସାନ ଭାଇ ଭଉଣୀଙ୍କ ସବୁ କଥା ସେ ହି ବୁଝୁଛି । ବାପା ମାଆ ଛେଉଁଣ୍ଡ ପିଲାଙ୍କ ସମ୍ପର୍କରେ ଖବର ପ୍ରସାରଣ ପରେ ସହାୟତା ପାଇଁ ଆଗକୁ ଆସିଛନ୍ତି ବିଚାରପତି । ଜିଲ୍ଲା ଦୌରାଜଜ୍ ବିଶ୍ୱଜିତ ମହାନ୍ତି ପିଲାଙ୍କ ଥଇଥାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଗାଁକୁ ଯାଇ ପିଲାଙ୍କୁ ଭେଟିଛନ୍ତି । ଶିଶୁଙ୍କ ଖାଇବା ପିଇବା, ବାସସ୍ଥାନ, ପାଠପଢା ଆଦି ବୁଝିବା ସହ ଆୱାସ୍ ଯୋଜନାରେ ସାମିଲ କରିବା ନେଇ ପ୍ରତିଶ୍ରୁତି ଦିଆଯାଇଛି ।

ଲକ୍ଷ୍ମୀଙ୍କ ବାପା ଅମର ବାରିକ ହାଇଦ୍ରାବାଦରେ ସୁରକ୍ଷାକର୍ମୀ ଭାବେ ଚାକିରୀ କରୁଥିଲେ । ସେଠି ନେପାଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ପରେ ଉଭୟଙ୍କ ବିବାହ ହୋଇଥିଲା । ହେଲେ ୮ ମାସ ତଳେ ଅମରଙ୍କ ହଠାତ୍ ମୃତ୍ୟୁ ପରେ ୪ ଛୁଆଙ୍କୁ ଛାଡ଼ି କେଉଁ ଆଡ଼େ ପଲାଇଛନ୍ତି ମାଆ । ଏବେ ବାପା ମାଆ ଛେଉଣ୍ଡ ହେବା ପରେ ବୃଦ୍ଧ ଜେଜେବାପାଙ୍କ ପାଖରେ ରହୁଛନ୍ତି ଲକ୍ଷ୍ମୀ ଓ ତାଙ୍କ ଭାଇ ଭଉଣୀ ।