ଫୁଲୁଛି ମହାନଦୀ ଓ ଏହାର ଶାଖାନଦୀ, ୧୦ ଜିଲ୍ଲାର କଲେକ୍ଟରଙ୍କୁ ଆଲର୍ଟ

ଉପରମୁଣ୍ଡରୁ ହୀରାକୁଦ ପାଣି, ତଳମୁଣ୍ଡରେ ଲଗାଣ ବର୍ଷା କଟକ, ପୁରୀ, ଖୋର୍ଦ୍ଧା ଓ ଜଗତସିଂପୁରରେ ବନ୍ୟାସ୍ଥିତି ।

Flood Water

ତଳମୁଣ୍ଡରେ ଲଗାଣ ବର୍ଷା ଆଉ ଉପରମୁଣ୍ଡରେ ହୀରାକୁଦର ୧୪ଟି ଗେଟ୍ ଖୋଲିବା ପରେ ଫୁଲିଛି ମହାନଦୀ ଓ ଏହାର ଶାଖା ନଦୀ । ଫଳରେ କଟକ, ପୁରୀ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲ୍ଲାର କିଛି ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି । ବିଶେଷକରି ମହାନଦୀର ବ୍ୟାକ୍ ୱାଟର ଯୋଗୁଁ  ବୁଡି ଯାଇଛି ଶହ ଶହ ହେକ୍ଟର ଚାଷ ଜମି । କିଛି ସ୍ଥାନରେ ରାସ୍ତା ଓ ପୋଲ ବୁଡ଼ିବା ସହ ସାମାନ୍ୟ ଜଳବନ୍ଦୀ ହୋଇଛନ୍ତି ଲୋକେ । 

ଲଘୁଚାପ ବର୍ଷା ଆଉ ତା ସହ ମହାନଦୀରେ ହୀରାକୁଦର ବନ୍ୟା ଜଳ ଆସିବା ପରେ କଟକ ଆଠଗଡ଼ ଓ ବାଙ୍କୀ ଅଞ୍ଚଳର ବିସ୍ତୀର୍ଣ୍ଣ ଇଲାକା ଗତକାଲି ରାତିରୁ ଜଳାର୍ଣ୍ଣବ ହୋଇଛି । ଏଠି ଧାନ ଚାଷ ବୁଡ଼ିଛି, ଆଉ ଉଜୁଡିଛି ପରିବା ଫସଲ । ମହାନଦୀର ଶାଖା ରଣନଦୀରେ ବନ୍ୟାଜଳ ପ୍ରବେଶ କରିବାରୁ ସ୍ଥାନୀୟ ବିଲିପଡ଼ା, ତାଳବସ୍ତ, କୁଶପାଙ୍ଗି, ପାଥପୁର ଓ ବହରମପୁରା ପଞ୍ଚାୟତରେ ଶହ ଶହ ହେକ୍ଟର ଧାନ ଓ ପରିବା ଫସଲ ପ୍ରଭାବିତ ହୋଇଛି ।

ବାଙ୍କୀ ବିଲିପଡ଼ାରୁ ତାଳବସ୍ତ ରାସ୍ତାରେ ପ୍ରବାହିତ ହେଉଛି ୨ ଫୁଟ ଉଚ୍ଚର ପାଣି ଚାଲୁଛି । ସେହିଭଳି ତିଗିରିଆ ସୋମପଡ଼ାରୁ ଖଣ୍ଡହତା ଗାଁକୁ ସଂଯୋଗ କରୁଥିବା ରାସ୍ତା ଓ ପୋଲ ଉପରେ ଚାଲୁଛି ପ୍ରାୟ ୨ ଫୁଟର ପାଣି । ହୁଳୁହୁଳା ପୋଲ ଦେଇ ଆସୁଥିବା ମହାନଦୀର ବନ୍ୟାଜଳରେ ତିଗିରିଆ ଓ ଉତ୍ତରବାଙ୍କୀ ଅଞ୍ଚଳର ହଜାର ହଜାର ଏକ ଚାଷ ଜମି ପାଣିରେ ବୁଡିଛି । ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି । ମହାନଦୀର ବ୍ୟାକ୍ ୱାଟର ଦୟା ଓ ରାଜୁଆ ନଦୀ ଦେଇ ପ୍ରବେଶ କରିବାରୁ ଓରବରସିଂହ, ନରଣଗଡ, ଶରଧାପୁର ପଞ୍ଚାୟତରେ ବୁଡ଼ି ଯାଇଛି ଶହ ଶହ ହେକ୍ଟର ଚାଷ ଜମି । ଗତକାଲି ରାତିରୁ ଏ ଅଞ୍ଚଳରେ ବନ୍ୟାଜଳ ବଢୁଥିବାରୁ ଏବେ ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ।

ଏପଟେ ମହାନଦୀର ପଛୁଆ ପାଣିରେ ଜଗତସିଂହପୁର ତିର୍ତ୍ତୋଲ ବ୍ଲକ କୋଟକଣା ଗାଁର କିଛି ପରବିରା ପ୍ରଭାବିତ ହୋଇଛନ୍ତି । ଗାଁର ମୁଖ୍ୟ ରାସ୍ତା ବୁଡ଼ିବାରୁ ଜଳବନ୍ଦୀ ହୋଇଛନ୍ତି ୨୦ରୁ ଉର୍ଦ୍ଧ୍ୱ ପରିବାର । ନୟାଗଡ଼ ଜିଲ୍ଲା ଭାପୁର ଅଞ୍ଚଳରେ ମଧ୍ୟ ମହାନଦୀ ବନ୍ୟାଜଳ ପ୍ରବେଶ କରିଥିବାରୁ ପ୍ରଭାବିତ ହୋଇଛି ଅଞ୍ଚଳର ବହୁ ଚାଷ ଜମି । ବାଚସ୍ପତି ସୁରମା ପାଢ଼ୀ ଆଜି ବନ୍ୟାଞ୍ଚଳ ବୁଲି ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ଆଜି ଅର୍ଥାତ ଶୁକ୍ରବାରଠୁ ହୀରାକୁଦ ଜଳଭଣ୍ଡାରରୁ ମୋଟ ୧୪ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ । ଏପଟେ ତଳମୁଣ୍ଡରେ ବର୍ଷାର ଆଉ ସେତେଟା ପ୍ରଭାବ ନଥିବାରୁ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ତେବେ ମହାନଦୀ ଓ ଏହା ଶାଖା ନଦୀ ସଂଲଗ୍ନ କିଛି ତଳିଆ ଅଞ୍ଚଳରେ ପାଣି ପଶିପାରେ ବୋଲି ସେ ସତର୍କ କରାଇଛନ୍ତି । ଖଇରମାଳରେ ଜଳସ୍ତର କମୁଥିବା ବେଳେ ଏପଟେ ମୁଣ୍ଡଳିରେ ଆଜି ରାତିରେ ପିକ୍ ପାଣି ଅତିକ୍ରମ କରିବାକୁ ଥିବାରୁ ଭାର୍ଗବୀ, ଦୟା ଓ ଧନୁଆର ପାଣି ତଳି ଅଞ୍ଚଳରେ ପଶିବା ଅନୁମାନ କରାଯାଉଛି ।

ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟି ରଖି ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୋଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଭଳି ୧୦ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଜଳସଂପଦ ବିଭାଗର ସୂଚନା ଅନୁସାରେ ଏବେ କେବଳ ବୈତରଣୀର ଜଳସ୍ତର ବଢୁଥିଲେ ବି ବଡ଼ ବର୍ଷା ନଥିବାରୁ ଆଗକୁ ଜଳସ୍ତର ଖସିବା ଅନୁମାନ କରାଯାଉଛି । ସେପଟେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା ଆଦି ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛନ୍ତି ।