ସ୍କୁଲ ଭିତରେ ଆଣ୍ଠୁଏ ପାଣି, ବିଇଓଙ୍କୁ ମଇଳା ପାଣିରେ ଚଲାଇ ଅଭିଭାବକଙ୍କ ପ୍ରତିବାଦ

ବିଦ୍ୟାଳୟ ଶ୍ରେଣୀ ଗୃହ ଭିତରେ ଆଣ୍ଠୁଏ ଆଣ୍ଠୁଏ ଆବର୍ଜନା ପାଣି । ବିଇଓଙ୍କୁ ପାଣି ଭିତରେ ଚଲାଇ ବିଦ୍ୟାଳୟ ବୁଲାଇଲେ ଅଭିଭାବକ ।

BEOଙ୍କୁ ପାଣିରେ ଚଲାଇଲେ

କାମାକ୍ଷାନଗର ବ୍ଲକ୍ ଶିକ୍ଷାଧିକାରୀଙ୍କୁ ପାଣିରେ ଚଲାଇଲେ ଲୋକେ । ଜୋର ଜବରଦସ୍ତ ପାଣିରେ ଚଲାଇ ଦୁର୍ଦ୍ଦଶା ବଖାଣିଲେ ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଅନ୍ତର୍ଗତ ଆଳତୁମା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବିଦ୍ୟାଳୟରେ ପାଣି ଜମି ରହୁଥିବାରୁ ଏପରି ପ୍ରତିବାଦ କରିଛନ୍ତି ଗ୍ରାମବାସୀ ।

ଖାଲି ସେତିକି ନୁହେଁ, ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଆବର୍ଜନାପୂର୍ଣ୍ଣ ପାଣି ଭିତରେ ଚଲାଇଛନ୍ତି ଲୋକେ । ଜୋର ଜବରଦସ୍ତ ପାଣିରେ ନେଇ ଶିକ୍ଷାଧିକାରୀଙ୍କୁ ବିଦ୍ୟାଳୟ ବୁଲାଇଛନ୍ତି ଅଭିଭାବକ । ସୂଚନା ଅନୁସାରେ, ଅସରାଏ ବର୍ଷା ହେଲେ ଦଧିବାମନଜୀଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହ ଭିତରେ ଆଣ୍ଠୁଏ ଆଣ୍ଠୁଏ ଆବର୍ଜନା ପୂର୍ଣ୍ଣ ପାଣି ପଶି ରହୁଛି । ନିକଟରେ ଏନେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ପ୍ରତିବାଦ କରି ଫାଟକରେ ତାଲା ପକାଇଥିଲେ ।

ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରିଥିଲେ । କିନ୍ତୁ ଏହାର କୌଣସି ସମାଧାନ ନହେବାରୁ ଏହାର ପ୍ରତିବାଦରେ ବ୍ଲକ ଶିକ୍ଷାଧିକାରୀ ସରୋଜ କୁମାର ସାହୁଙ୍କୁ ଆବର୍ଜନାପୂର୍ଣ୍ଣ ଜଳ ଭିତରେ ଜୋର ଜବରଦସ୍ତ ନେଇ ବୁଲାଇଥିଲେ । ଘଟଣାର ସ୍ଥାୟୀ ସମାଧାନ ସହ ଖୁବଶୀଘ୍ର ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ ସ୍କୁଲରେ ପାଣି ଜମା ହୋଇଥିବା ବେଳେ ପିଲାମାନେ ମାଛ ଧରୁଥିବା ଦେଖିବାକୁ ମିଳିଛି ।