ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯାଉ । ସଂସଦ ଭବନ ପରିସରରେ ତାଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଉ । ରାଷ୍ଟ୍ରପତିଙ୍କ ନିକଟରେ ଏହି ଦାବି କରିଛି ଉତ୍କଳ ସମ୍ମିଳନୀ । ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଏହି ଦାବି ଉପସ୍ଥାପନ କରିଛନ୍ତି ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ପ୍ରଫେସର ଡକ୍ଟର ଅଦ୍ୱୈତ କୁମାର ପାତ୍ର ।
ଏ ସଂପର୍କରେ ଦିଆଯାଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ସମାଜ ତଥା ଦେଶକୁ ଆଧୁନିକ ଓଡିଶାର ନିର୍ମାତା ମଧୁସୂଦନ ଦାସଙ୍କ ଅବଦାନ ଅତୁଳନୀୟ । ୧୯୨୩ ମସିହାରେ ମଧୁବାବୁଙ୍କ ବଳିଷ୍ଠ ଯୁକ୍ତି ଆଧାରରେ ମହିଳାଙ୍କୁ ସମାନ ଅଧିକାର ଦିଆଯିବା ପାଇଁ ସେଣ୍ଟ୍ରାଲ ଲେଜିସଲେଚରରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଯାହା ଫଳରେ କି ଆଇନଜୀବୀ ଆଇନ ସଂଶୋଧିତ ହୋଇଥିଲା ଓ ଭାରତରେ ମହିଳାମାନେ କୋର୍ଟରେ ଆଇନଜୀବୀ ଭାବେ କେସ୍ ଲଢିବାର ସୁଯୋଗ ପାଇଥିଲେ । ୧୮୯୮ ମସିହାରେ ମଧୁବାବୁ କଟକ କୋପରେଟିଭ୍ ଷ୍ଟୋର ନାମରେ ଦେଶର ପ୍ରଥମ ସମବାୟ ସମିତି ପ୍ରତିଷ୍ଠା କରିଥିଲେ । ୧୯୨୩ ମସିହାରେ ବିହାର ଓ ଓଡିଶା ସ୍ୱାୟତ୍ତ ଶାସନ ଆଇନ ଅଣାଯିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।
ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ଓଡିଆ ଜାତିର ଗର୍ବ ଓ ଗୌରବର ପ୍ରତୀକ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ସେ ଥିଲେ ମୁଖ୍ୟ ପୁରୋଧା । ଓଡିଶାରେ ନୂତନ ରାଜନୈତିକ ଚେତନା ସୃଷ୍ଟି କରି ଓଡିଶାର ଏବଂ ଓଡିଆ ଜାତିର ଉନ୍ନତି ଓ ସ୍ୱାର୍ଥ ରକ୍ଷା ତଥା ସ୍ୱାଭିମାନ ବଜାୟ ରଖିବା ପାଇଁ ମଧୁବାବୁ ସର୍ବସ୍ୱ ତ୍ୟାଗ କରିଥିଲେ । ଛାତ୍ର ଜୀବନଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ଜୀବନ ଥିଲା ସଂଘର୍ଷମୟ । ସେ ସାରାଜୀବନ ଦେଶ ଓ ଜାତି ପାଇଁ ସଂଘର୍ଷ କରି ଭାରତବର୍ଷର ଓଡିଆ ଜାତିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କ ଆପ୍ରାଣ ଉଦ୍ୟ ଫଳରେ ଓଡିଆ ଜାତି ଆଜି ଏକ ସ୍ୱତନ୍ତ୍ର ମର୍ଯ୍ୟାଦାପୂର୍ଣ୍ଣ ଆସନ ହାସଲ କରିପାରିଛି ।
Also Read
ଓଡିଶା ଏବଂ ଓଡିଆଙ୍କ ପାଇଁ ମଧୁବାବୁଙ୍କ ମନ ଭିତରେ ସବୁବେଳେ ଦରଦ ଭରି ରହିଥିଲା । ଓଡିଆ ଭାଷାଭାଷୀ ଅଂଚଳ ଗୁଡିକ ଅବହେଳିତ ଅବସ୍ଥାରେ ଥିବା ସେ ଉବଲବ୍ଧି କରିଥିଲେ । ମଧୁବାବୁଙ୍କ ପ୍ରଚେଷ୍ଟାରେ ୧୯୦୩ ମସିହାରେ ଆହୂତ ହେଲା ଉତ୍କଳ ସମ୍ମିଳନୀ, ଯାହାକି ଓଡିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଢ଼ି ତୋଳିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ତାଙ୍କର ନିଷ୍ଠାପର ଉଦ୍ୟମ ଫଳରେ ତତ୍କାଳୀନ ବଡଲାଟ୍ ଲର୍ଡ କର୍ଜନ ସମ୍ବଲପୁର ଅଂଚଳକୁ ମଧ୍ୟପ୍ରଦେଶରୁ ଅଲଗା କରି ଓଡିଶାରେ ମିଶାଇ ଥିଲେ ।
ମଧୁବାବୁଙ୍କର ଲର୍ଡ କର୍ଜନଙ୍କୁ ସାକ୍ଷାତର ଫଳସ୍ୱରୂପ ତତ୍କାଳୀନ ସରକାରଙ୍କ ପକ୍ଷରୁ ‘ରିସେଲ୍ ସର୍କୁଲାର’ ପ୍ରକାଶ ପାଇଥିଲା । ସେଥିରେ ମଧ୍ୟପ୍ରଦେଶ, ବଙ୍ଗଳା ଏବଂ ମାନ୍ଦ୍ରାଜ ଅଧୀନରେ ଥିବା ଓଡିଆ ଅଂଚଳଗୁଡିକୁ ଓଡିଶା ଡିଭିଜନ୍ରେ ମିଶ୍ରଣ ପାଇଁ ସୁପାରିଶ କରାଯାଇଥିଲା । ମଧୁବାବୁ ୧୯୧୭ ମସିହାରେ ମଂଟେଗୁ-ଚେମସ୍ଫୋର୍ଡକୁ ସାକ୍ଷାତ କରି ଓଡିଆ ଭାଷାଭାଷୀ ଅଂଚଳର ମିଶ୍ରଣ ଓ ସ୍ୱତନ୍ତ୍ର ପ୍ରଦେଶ ଗଠନ ନିମନ୍ତେ ଦାବି ଉପସ୍ଥାପନ କରିଥିଲେ । ପୁନର୍ବାର ୧୯୩୧ ମସିହାରେ ଓଡନେଲ୍ କମିଟି ଆଗରେ ମଧ୍ୟ ଏହି ଦାବିର ପୁନରାବୃତ୍ତି କରିଥିଲେ । ଓଡିଆ ଭାଷାଭାଷୀ ଅଂଚଳର ଏକତ୍ରୀକରଣ ଓ ସ୍ୱତନ୍ତ୍ର ପ୍ରଦେଶ ଗଠନ ତାଙ୍କ ଜୀବନର ମୂଳ ଲକ୍ଷ୍ୟ ଥିଲା । ଏପରିକି ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ମଧୁବାବୁ ଏକାଧିକବାର ଲଣ୍ଡନ ଯାତ୍ରା କରି ସେଠାରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଯଥାର୍ଥତା ସଂପର୍କରେ ବିଲାତ ସରକାରଙ୍କ ନିକଟରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ ।
ବିଚ୍ଛିନ୍ନାଞ୍ଚଳ ସମେତ ସମସ୍ତ ଓଡିଆ ଭାଷାଭାଷୀ ଅଂଚଳର ଏକତ୍ରୀକରଣ ଏବଂ ଓଡିଶାରେ କୁଟୀର ଶିଳ୍ପର ବିକାଶ ସହିତ କୃଷି, ବାଣିଜ୍ୟ, ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଏକ ନୂତନ ଜାଗରଣ ସୃଷ୍ଟି କରିବା ସକାଶେ ଉତ୍କଳ ସମ୍ମିଳନୀ ମାଧ୍ୟମରେ ମଧୁବାବୁ ସର୍ବଦା ଉଦ୍ୟମରତ ଥିଲେ । ତାଙ୍କର ଜୀବନକାଳ ମଧ୍ୟରେ ସେ ଦୁଇଥର ଉତ୍କଳ ସମ୍ମିଳନୀର ସଭାପତି ଭାବେ ମନୋନୀତ ହୋଇଥିଲେ - ପ୍ରଥମେ ୧୯୧୩ ମସିହା ଜାନୁୟାରୀ ୨୦ ତାରିଖରେ ମଧୁବାବୁ ଓଡିଶାର ପ୍ରଜା ପ୍ରତିନିଧି ଭାବେ ବିହାର - ଓଡିଶା ବ୍ୟବସ୍ଥାପକ ସଭାର ସଦସ୍ୟ ଭାବେ ମନୋନୀତ ହୋଇଥିଲେ ଏବଂ ସେହିବର୍ଷ ସେ ଭାରତୀୟ ବିଧାନ ପରିଷଦକୁ ସର୍ବପ୍ରଥମ ଓଡିଆ ସଭ୍ୟ ଭାବେ ମଧ୍ୟ ମନୋନୀତ ହୋଇଥିଲେ ।
୧୯୨୦ ମସିହା ନଭେମ୍ବର ୩୦ ତାରିଖରେ ମଧୁସୂଦନ ଦାସ ବିହାର-ଓଡିଆ ବ୍ୟବସ୍ଥାପକ ସଭାକୁ ନିର୍ବାଚିତ ହୋଇ ୧୯୨୧ ମସିହା ଏପ୍ରିଲ ୨୨ ତାରିଖରେ ବିହାର-ଓଡିଶା ସରକାରରେ ସ୍ୱାୟତ୍ତ ଶାସନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ମଧୁବାବୁ କହୁଥିଲେ “ଶିଳ୍ପର ଉନ୍ନତି ବିନା ଜାତିର ଅର୍ଥନୈତିକ ବିକାଶ ଅସମ୍ଭବ ।” ସେଥିପାଇଁ ସେ ପ୍ରତିଷ୍ଠା କରିଥିଲେ ‘ଉତ୍କଳ ଟ୍ୟାନେରୀ’, ଯେଉଁଥିରୁ ଉତ୍ପାଦିତ ଜୋତାର ସେତେବେଳେ ସମଗ୍ର ଦେଶରେ ଚାହିଦା ଥିଲା । ଆଉ ମଧ୍ୟ କଟକର ସୁନା-ରୂପା ତାରକସୀ କାମର ବିକାଶ ଘଟାଇବା ପାଇଁ ସେ କଟକ ଠାରେ ପ୍ରତିଷ୍ଠା କରିଥିଲେ ‘ଓଡିଶା ଆର୍ଟଓୟାର’, ଯାହାର ଉତ୍ପାଦିତ ସାମଗ୍ରୀକୁ ନେଇ ସେ ବିଲାତ ଠାରେ ଏକ ପ୍ରଦର୍ଶନୀ ଆୟୋଜନ କରିଥିଲେ ଏବଂ ଇଂରେଜମାନଙ୍କୁ ବୁଝାଇ ଦେଇଥିଲେ ଯେ ଓଡିଆ ବଣିଆମାନେ କିଭଳି ବିନା ଯନ୍ତ୍ରପାତିରେ ଧାତୁଦ୍ରବ୍ୟର ଗୁଣ ଜାଣନ୍ତି ।
ଉତ୍କଳ ଟ୍ୟାନେରୀ ପାଇଁ ସେ କରିଥିବା ଋଣ ପରିଶୋଧ କରି ନପାରି ନିଜର କଟକ ଓ ପୁରୀଠାରେ ଥିବା ଜମି ଓ ଘର ବନ୍ଧକ ତଥା ବିକ୍ରି କରି ଦେଇଥିଲେ । ତଥାପି ସେ ଭାଙ୍ଗିପଡି ନଥିଲେ । ଓଡିଆ ଜାତିର ଉନ୍ନତି ତଥା ସ୍ୱାଭିମାନ ପ୍ରତିଷ୍ଠା ପାଇଁ ଅକୁଣ୍ଠିତ ମନରେ ସେ ନିଜର ସର୍ବସ୍ୱ ଦାନ କରି ଯାଇଛନ୍ତି । ଓଡିଆ ଜାତି କିପରି ଦେଶ ବିଦେଶରେ ସମ୍ମାନିତ ହେବ, ଏହା ଥିଲା ତାଙ୍କର ଏକମାତ୍ର ଲକ୍ଷ୍ୟ ।