ଯେଉଁଠି ଆଶା ମରିଯାଏ, ସେଇଠି ଛିଡ଼ା ହୁଏ ଉମିଦେଁ ସଂଗଠନ। ଯେଉଁଠି କର୍କଟ ଭଳି ଦୁରାରୋଗ୍ୟ ଭାଙ୍ଗିଦିଏ ସୁଖର ବନ୍ଧ, ସେଇଠି ଦେବଦୂତ ସାଜେ ସେବା ହୋମ୍। କାରଣ କର୍କଟ ଆକ୍ରାନ୍ତ ଟିକି ପିଲାଙ୍କ ମୁହଁରେ ହସ ଫୁଟାଇବାକୁ ଏବଂ ବ୍ୟୟବହୁଳ ଚିକିତ୍ସା ପାଇଁ ଅଭିଭାବକଙ୍କ ଆନୁସଙ୍ଗିକ ଖର୍ଚ୍ଚ ମୁଣ୍ଡାଇବାକୁ ଏହି ସଂଗଠନ ଆଗେଇ ଆସେ।
କିଏ ଖସଡ଼ାରେ ଖସୁଛନ୍ତି, ତ’ ଆଉ କିଏ ଖେଳଣା ଗାଡ଼ି ଚଲାଉଛନ୍ତି। କିଏ ପୁଣି ଲୁଡୁ ଖେଳରେ ମାତିଛନ୍ତି ତ ଆଉ କିଏ କ୍ୟାରମ୍ ନହେଲେ ବଲ୍ ଧରି ଖେଳୁଛନ୍ତି। ମନ ଖୁସି ଅଛି ସତ। ହେଲେ ଶରୀର ବୋହୁଛି ରୋଗ ଦୁଃଖର ବୋଝ। ଆମେ କହୁଛୁ ୪ରୁ ୧୦ ବର୍ଷ ବୟସର କିଛି ଟିକି ପିଲାଙ୍କ କଥା । ଯାହାଙ୍କ ବିଷୟରେ ଜାଣିଲେ ଆପଣଙ୍କ ମନ ବି ଭାରାକ୍ରାନ୍ତ ହେବ ନିଶ୍ଚୟ। କାରଣ ସେମାନେ ଜଣେ ଜଣେ କର୍କଟ ରୋଗରେ ଆକ୍ରାନ୍ତ ଶିଶୁ।
Also Read
ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ତା’ହେଲେ ସେମାନେ ଏକାଠି ହୋଇ କରୁଛନ୍ତି କ’ଣ ? ସେମାନଙ୍କ ଅଭିଭାବକଙ୍କ କହିବା କଥା, କିଏ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ତ ପୁଣି କିଏ ଚିକିତ୍ସିତ ହେଉଛି ଅନ୍ୟ କ୍ୟାନସର ହସ୍ପିଟାଲରେ। କିଏ କେମୋଥେରାପି ନେଉଛି ତ’ ଆଉ କାହାକୁ ହଠାତ୍ ସମୟ ଅସମୟରେ ଡାକ୍ତରଙ୍କୁ ଦେଖାଇବାକୁ ପଡ଼ୁଛି। ଯାହା ଏକ ଲମ୍ବା ପ୍ରକ୍ରିୟା। ତେଣୁ ପିଲାଙ୍କୁ ଧରି ହସ୍ପିଟାଲ୍ ନିକଟରେ ମାସ ମାସ କାଳ ରହିବାକୁ ପଡୁଛି ।
ସାଧାରଣ ପରିବାରଟିଏ ପାଇଁ ହସ୍ପିଟାଲ୍ ପାଖରେ ଘରଭଡ଼ା ବାବଦକୁ ଏତେ ସମ୍ବଳ ନଥିବାରୁ ଏବଂ ଖାଇବା ପିଇବା ଖର୍ଚ୍ଚ ବହନ ଅସମ୍ଭବ ହେଉଥିବାରୁ ଏକ ସ୍ୱେଛାସେବୀ ସଂଗଠନର ସହାୟତାର ଛାତ ତଳେ ରହିବାକୁ ପଡୁଛି । ଆଉ ସେହି ସଂଠଗନର ନାଁ ହେଉଛି, ଉମିଦେଁ । ଯିଏ ନିଃସ୍ୱାର୍ଥପର ଭାବେ ସେବା ପ୍ରଦାନ କରି ରୋଗଦୁଃଖ ସମୟରେ ଅସଲ ସାଥୀ ସାଜିଥିବା କହିଛନ୍ତି, ଶିଶୁଙ୍କ ଅଭିଭାବକ।
କର୍କଟ ରୋଗରେ ପୀଡ଼ିତ ଶିଶୁଙ୍କ କ୍ଷେତ୍ରରେ ଆରୋଗ୍ୟ ସମ୍ଭାବନା ୮୦ ପ୍ରତିଶତ ଥାଏ। କିନ୍ତୁ ସାଧାରଣ ପରିବାର କ୍ଷେତ୍ରରେ ବୋଝ ହୋଇପଡ଼େ ଚିକିତ୍ସା ପାଇଁ ଆନୁସଙ୍ଗିକ ଖର୍ଚ୍ଚ। ରାଜ୍ୟରେ ଥିବା ୪ଟି ମେଡ଼ିକାଲ ଯଥା, ଭୁବନେଶ୍ୱର ଏମ୍ସ, କଟକ ବଡ଼ମେଡ଼ିକାଲ୍, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍ ଏବଂ ବାଗଚୀ କ୍ୟାନସର ହସ୍ପିଟାଲରେ ଚିକିତ୍ସା ସିନା ମାଗଣାରେ ମିଳିଯାଏ। କିନ୍ତୁ ଚିକିତ୍ସା ପ୍ରକ୍ରିୟା ଭିତରେ ରହଣୀ ଏବଂ ଖାଇବା ଖର୍ଚ୍ଚ ରୋଗର କଷ୍ଟକୁ ବଳିଯାଏ। ଏଭଳି ସ୍ଥିତିରେ ଦେବଦୂତ ସାଜି ୨୦୨୦ରୁ ରୋଗୀ ଏବଂ ଆଟେଣ୍ଡାଣ୍ଟଙ୍କ ରହିବା ଖାଇବା ଖର୍ଚ୍ଚ ନିଜେ ବହନ କରିଆସୁଛି ଏହି ଉମିଦେଁ ସଂଗଠନ।
୨୦୧୫ରୁ ଭୁବନେଶ୍ୱରର ୧୧ ଜଣ ଆଇଟି ଇଞ୍ଜିନିୟର ନିଜ ୱିକେଣ୍ଡରେ ଏଭଳି ସେବା ପାଇଁ ପଥମେ ମନ ବଳାଇଥିଲେ। ସେଇଠୁ ଆରମ୍ଭ ହୋଇଥିଲା ମାନବ ସେବାର ଯାତ୍ରା। ଯାହାର ମଙ୍ଗ ଧରିଥିଲେ ଆଇଟି ଇଞ୍ଜିନିୟର ନିତାଇ ଗୌର ପାଣିଗ୍ରାହୀ। ଇତିମଧ୍ୟରେ ୧୮୯ ଜଣ କ୍ୟାନସର ପୀଡ଼ିତ ଶିଶୁ ଏବଂ ସେମାନଙ୍କ ଅଭିଭାବକଙ୍କୁ ସେବା ଦେଇସାରିଛି ନିତାଇଙ୍କ ଏହି ସେବା ହୋମ୍। ତା’ସହ ରୋଗରୁ ମୁକ୍ତ ଶିଶୁ କିଭଳି ପାଠପଢ଼ି ଆଗକୁ ବଢ଼ିବେ ଏବଂ ସ୍ୱାବଲମ୍ବୀ ହେବେ ସେଦିଗରେ ଆଗକୁ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି ସଂଗଠନ।
କଥାରେ ଅଛି ମାନବ ସେବା ହିଁ ମାଧବ ସେବା। ବୋଧହୁଏ, ଏହି ଭାବ ଆଉ ଆବେଗକୁ ଧରି ସେବାର ହାତ ବଢ଼ାଇ ଆସିଥିବା ଏହି ସଂଗଠନ ଆଜି ସାଧାରଣ ଏବଂ ଗରିବ ପରିବାର ପାଇଁ ପାଲଟି ଯାଇଛି ଦେବଦୂତ।