Advertisment

କଳଙ୍କିତ ତାରିଖ, ବଳିଦାନ ଦିବସ.. କେବେ ମିଳିବ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ନ୍ୟାୟ!

ଆଜିର ଦିନରେ ୧୬ ବର୍ଷ ତଳେ କନ୍ଧମାଳରେ ବେଦାନ୍ତକେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।

ଅଦ୍ୟତନ ହୋଇଛି
undefined

Swami Laxmanananda Saraswati

Advertisment

ଆଜିର ଦିନରେ ୧୬ ବର୍ଷ ତଳେ କନ୍ଧମାଳରେ ବେଦାନ୍ତକେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡର ପୁରୁଣା ଫାଇଲ୍ ଖୋଲିବାକୁ ମୋହନ ସରକାରଙ୍କ ଘୋଷଣା ଓ ବିଶ୍ୱ ହିନ୍ଦୁ ପରିଷଦ ସହ କନ୍ଧମାଳ ସାଂସଦଙ୍କ ସିବିଆଇ ତଦନ୍ତ ଦାବି, ପୁଣି ବଢ଼ାଇଛି ସ୍ୱାମୀଜୀଙ୍କ ଅସଲ ହତ୍ୟାକାରୀଙ୍କୁ ଗିରଫ ଆଶା ।

Advertisment

ରାଜସ୍ୱମନ୍ତ୍ରୀ ବି ସଙ୍କେତ ଦେଲେଣି, ସରକାର ପୁରୁଣା ତଥ୍ୟ ଉଖାରିବାକୁ ନିଶ୍ଚେ ଚେଷ୍ଟା କରିବେ । ତେଣେ ଆଜି ୧୬ ତମ ବଳିଦାନ ଦିବସରେ ସ୍ୱାମୀଜୀଙ୍କୁ ମନେ ପକାଇଛନ୍ତି କନ୍ଧମାଳବାସୀ । ଯେଉଁ ଜଘନ୍ୟ ହତ୍ୟାକାଣ୍ଡ ପାଇଁ ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶା ବିରାଟ କଳଙ୍କ ମୁଣ୍ଡାଇଲା । ଯେଉଁ ଘଟଣାକୁ ନେଇ ସାରା ବିଶ୍ୱରେ ଓଡ଼ିଶା ବଦନାମ୍ ହେଲା ।

ଆଜି ସେଇ କଳଙ୍କିତ ତାରିଖ, ଅଗଷ୍ଟ ୨୩ । ବହୁଚଚ୍ଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ । ଫୁଲବାଣୀରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସ୍ୱାମୀଜୀଙ୍କ ୧୬ତମ ଶ୍ରଦ୍ଧାଞ୍ଜଳି ସଭାରେ ସମାଜ ପ୍ରତି ତାଙ୍କର ଅବଦାନ ନେଇ ଯେତିକି ସ୍ମୃତିଚାରଣ କରାଯାଇଛି, ତାଠୁ ଅଧିକ କ୍ଷୋଭ ପ୍ରକାଶ ପାଇଛି ମାମଲାର ତଦନ୍ତରେ ଚରମ ଅବହେଳା ସାଙ୍ଗକୁ ଅସଲ ହତ୍ୟାକାରୀଙ୍କୁ ଗିରଫ କରାନଯିବା ପ୍ରତିବାଦରେ ।

Advertisment

୨୦୦୮ ମସିହାରେ ସ୍ୱାମୀଜୀଙ୍କୁ ହତ୍ୟା ଓ ତା ପରବର୍ତ୍ତୀ ଦଙ୍ଗାକୁ ନେଇ ଗତ ୧୬ ବର୍ଷ ଭିତରେ ଯେଉଁ ଉପରଠାଉରିଆ ତଦନ୍ତ ହୋଇଛି, ସେ ନେଇ ସିଧାସଖଳ ଗତ ବିଜେଡି ସରକାର ଉପରେ ବର୍ଷିଛନ୍ତି ଉଭୟ ଭିଏଚପି ନେତା ଓ କନ୍ଧମାଳ ସାଂସଦ । କହିଛନ୍ତି ସିବିଆଇ ତଦନ୍ତ ହେଲେ ହିଁ ସ୍ୱାମୀଜୀଙ୍କ ନିର୍ମମ ହତ୍ୟା ପଛର ପ୍ରକୃତ ଷଡ଼ଯନ୍ତ୍ରକାରୀ ଧରା ପଡ଼ିବେ ।

ଅଗଷ୍ଟ ୨୩ ତାରିଖ ଆସିଲେ ଗୁମୁରି କାନ୍ଦେ ସ୍ୱାମୀଜୀଙ୍କ କର୍ମସ୍ଥଳୀ ଜଲେଶପଟା । ଶିହରି ଉଠନ୍ତି ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ୱତୀଙ୍କ ଅନୁଗାମୀ ଓ ଆଶ୍ରମର ଅନ୍ତେବାସୀ । ୨୦୦୮ ମସିହା ଜନ୍ମାଷ୍ଟମୀ ତିଥିରେ କନ୍ଧମାଳ ଜଳେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କ ୪ ସହଯୋଗୀଙ୍କୁ ଯେଉଁଭଳି ନିର୍ମମ ହତ୍ୟା କରାଗଲା, ତାହା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା ।

Advertisment

ଏମିତିକି ସେଇ ଘଟଣାକୁ ନେଇ ୨୦୦୯ରେ ବିଜେପି- ବିଜେଡି ମେଣ୍ଟ ବି ଭାଙ୍ଗିଗଲା । ମୋ ଅସ୍ଥି-ମଜ୍ଜାରେ ଧର୍ମ ନିରପେକ୍ଷ ରହିଥିବା କହି ସେକ୍ୟୁଲାରିଜିମ୍ କାର୍ଡ ଖେଳି ବିଜେପିର ହାତ ଛାଡ଼ି ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଘଟଣାର ପ୍ରଥମେ କ୍ରାଇମବ୍ରାଞ୍ଚ ତଦନ୍ତ, ତା ପରେ ପାଣିଗ୍ରାହୀ କମିଶନ, ଜଷ୍ଟିସ୍ ଶରତ ଚନ୍ଦ୍ର ମହାପାତ୍ର କମିଶନ ଓ ୨୦୧୨ରେ ଜଷ୍ଟିସ୍ ଏ.ଏସ୍. ନାଇଡୁ କମିଶନ ସ୍ୱାମୀଜୀଙ୍କ ହତ୍ୟା କନ୍ଧମାଳ ଦଙ୍ଗାର ତଦନ୍ତ କରିଥିଲେ ।

ଏମିତିକି ଜଷ୍ଟିସ୍ ନାଇଡୁ କମିଶନ ତାଙ୍କ ତଦନ୍ତ ସାରି ୨୨ ଡିସେମ୍ବର ୨୦୧୫ରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ବି ଦେଇଥିଲେ, ହେଲେ ବିଜେଡି ସରକାର ତାକୁ ସାର୍ବଜନୀନ ନକରି ଚାପି ଦେଲେ । ତେବେ ସ୍ୱାମୀଜୀଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ଦେବାଶିଷ ହୋତା ନାମକ ଜଣେ ଆଇନଜୀବୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଗତ ଜାନୁଆରୀ ମାସରେ ନୋଟିସ୍ ଜାରି କରିବା ପରେ ପୁଣି ବଢ଼ିଛି ହତ୍ୟାକାରୀ ଧରାହେବା ଆଶା ।

ତାସହ ଉକ୍ତ ଘଟଣାର ପୁରୁଣା ଫାଇଲ୍ ଖୋଲିବାକୁ ମୋହନ ସରକାର ବି ଘୋଷଣା କରିବା ପରେ ଚେଇଁଚି ଷଡ଼ଯନ୍ତ୍ରକାରୀ ଦଣ୍ଡପାଇବା ଆଶା । ଏମିତିକି ସେତେବେଳେ କନ୍ଧମାଳ ଜନଜାତିଙ୍କ ପକ୍ଷରୁ ଆଇନଜୀବୀ ଭାବେ ସବୁ କମିଶନଙ୍କ ନିକଟରେ ହାଜର ହୋଇ ସିବିଆଇ ତଦନ୍ତ ପାଇଁ ଦାବି ରଖିଥିବା ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି- କ୍ରାଇମବ୍ରାଞ୍ଚ ତଦନ୍ତରେ ତଥ୍ୟ ହାସଲ କମ୍, ନଷ୍ଟ ଅଧିକ କରାଯାଇଛି । ତେଣୁ ଆମ ସରକାର ତା ଉପରେ ବିଚାର କରୁଛନ୍ତି ।

ଜବାବରେ ବିଜେଡି କହିଛି- ପୂର୍ବ ସରକାର କ’ଣ କରିଥିଲେ ତାହା ଆଲୋଚ୍ୟ ବିଷୟ ନୁହେଁ ବରଂ ଏବେକା ସରକାର କଣ କରୁଛନ୍ତି ତାକୁ ଦେଖିବା କଥା । ଏବେ ଦେଖିବାର କଥା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାର ତଦନ୍ତ ରାଜ୍ୟ ସରକାର ନା ସିବିଆଇ କିଏ କରୁଛି ?

Service Death Anniversary Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ