Rebirth of Suka Paika River
ଦୀର୍ଘ ୭୪ ବର୍ଷ ପରେ ଜିଇଁ ଉଠିଲା ମହାନଦୀର ଶାଖାନଦୀ ସୁକ ପାଇକା । ଗପ ପେଡ଼ିରୁ ମୁକୁଳି ସତସତିକା ରୂପ ନେବାକୁ ଯାଉଛି... ସୁପ୍ତ ନଦୀ.. ଲୁପ୍ତ ନଦୀ... ଲକ୍ଷ ଲକ୍ଷ ଗାଉଁଲି ମଣିଷଙ୍କ ଆଶାର ନଦୀ- 'ସୁକ ପାଇକା'। ମୁହାଣ ଖୋଳି ଆନିକଟରୁ ପାଣି ଛଡ଼ାଯିବା ପରେ କଟକ କନ୍ଦରପୁର ଆୟତ୍ତପୁର ଅଞ୍ଚଳରେ ଏବେ ଖୁସିର ଲହରି। ଲୁପ୍ତପ୍ରାୟ ନଦୀର ପୁନରୁଦ୍ଧାର ପରେ ଶହ ଶହ ଏକର ଜମିକୁ ଜଳସେଚନ ଓ ଲକ୍ଷ ଲକ୍ଷ ଲୋକଙ୍କୁ ଜୀବିକା ସୁବିଧା ମିଳିବ ବୋଲି ଆଶା ସୃଷ୍ଟି ହୋଇଛି ।
ମହାନଦୀର ଶାଖା ନଦୀ ସୁକ ପାଇକା। କଟକ ସଦର ନିର୍ବାଚନ ମଣ୍ଡଳୀ କନ୍ଦରପୁର, ଆୟତ୍ତପୁର ଠାରୁ ବାହାରି ବାଙ୍କଳ ଠାରେ ପୁଣି ମହାନଦୀରେ ମିଶିଛି ପ୍ରାୟ ୩୦ କିଲୋମିଟର ଲମ୍ବା ନଈ। ସୁକ ପାଇକା ଏହାର ଅବବାହିକାରେ ରହୁଥିବା ଲୋକଙ୍କର କେବଳ ଜୀବନ ରେଖା ନୁହେଁ, ଇଏ ଥିଲା ସେମାନଙ୍କ ପରିଚୟ। ଆଉ ଦୀର୍ଘ ୭୪ ବର୍ଷ ପରେ ନିଜ ପରିଚୟ ଫେରି ପାଇଥିବାରୁ, ସ୍ଥାନୀୟ ବାସିନ୍ଦାଙ୍କ ଖୁସି କାହିଁରେ କେତେ। ୭ ଦଶନ୍ଧି ଧରି କେଉଁଠି ଶୁଖିଲା ପଡ଼ିଥିଲା, କେଉଁଠି ଦଳରେ ରୁନ୍ଧି ହୋଇଥିଲା, ତ ଆଉ କେଉଁଠି ନିଶ୍ଚିହ୍ନ ହେବାକୁ ବସିଥିଲା ଅଙ୍କାବଙ୍କା ନଈ। ହେଲେ ଏବେ ସତେ ଯେମିତି ମଶାଣି ଭୂଇଁରୁ ଜିଇଁ ଉଠିଛି ଏହି ମୃତବତ୍ ନଦୀ। ପୂଜାର୍ଚ୍ଚନା ସହ ମୁହାଣ ଖୋଳି ଗେଟ୍ ଖୋଲିବା ପରେ, ଶୁଖିଲା ସୁକ ପାଇକାକୁ ମହାନଦୀରୁ ପାଣି ଛଡ଼ାଯାଇଛି। ନଦୀପଥ ପରିଷ୍କାର କରାଯିବା ସହ ପରୀକ୍ଷାମୂଳକ ଭାବେ ୧୫ କିଲୋମିଟର ଯାଏଁ ପାଣି ମାଡ଼ିଛି। ରାଜ୍ୟ ସରକାରଙ୍କ ପୁନରୁଦ୍ଧାର ପଦକ୍ଷେପ ସମ୍ପୂର୍ଣ୍ଣ ହେଲେ ଖାଲି ନଦୀର କାୟା ବଦଳିବନି, ବଦଳିଯିବ ଏ ପୂରା ଅଞ୍ଚଳର କଳେବର। ପ୍ରାୟ ୮ଶହ ଏକର ଜମିକୁ ଜଳସେଚନ ସୁବିଧା ମିଳିବା ସହ, ସୁଧାର ଆସିବ ୧୦ ଲକ୍ଷ ଲୋକଙ୍କ ଜୀବନ ଜୀବିକାରେ।
୧୯୫୨ ମସିହା, ବନ୍ୟାଜଳ ନିୟନ୍ତ୍ରଣ ପାଇଁ ସୁକ ପାଇକାର ଉତ୍ପତ୍ତିସ୍ଥଳରେ ବନ୍ଧ ବାନ୍ଧିଥିଲେ ସେତେବେଳର ସରକାର। ଏ ନିଷ୍ପତ୍ତି ଜୀବନ ବଞ୍ଚାଇଲା ସିନା, ହେଲେ ଛଡ଼ାଇନେଲା ଜୀବିକା। ସୁକ ପାଇକା ସହ ଶୁଖିଗଲା ଲକ୍ଷ ଲକ୍ଷ ଲୋକଙ୍କ ହସ । ନଈ ସତ୍ତା ହରାଇବା ପରେ ନା ଚାଷବାସ ହେଲା, ନା ମାଛମରା ହୋଇପାରିଲା। କଟକ ସଦର, ନିଶ୍ଚିନ୍ତ କୋଇଲି ଓ କନ୍ଦରପୁର- ୩ଟି ବ୍ଲକର ୨୬ଟି ପଞ୍ଚାୟତର ୪୨୫ ଖଣ୍ଡଗାଁ ପ୍ରଭାବିତ ହେବା ସହ ବହୁ ଲୋକଙ୍କୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପଡ଼ୁଥିଲା। ଶେଷରେ ୨୦୧୯ରେ ଜନ୍ମ ନେଇଥିଲା ସୁକ ପାଇକା ବଞ୍ଚାଅ ଅଭିଯାନ। ବହୁ ଧାରଣା, ବିକ୍ଷୋଭ, ଚୂଲାବନ୍ଦ ଆନ୍ଦୋଳନ ସହ ଏହି ଅଭିଯାନ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ଦ୍ବାରସ୍ଥ ହୁଅନ୍ତେ, ୨୦୨୨ରେ ତତ୍କାଳୀନ ରାଜ୍ୟ ସରକାରଙ୍କୁ ବାଜିଥିଲା NGT ଛାଟ। ସୁକ ପାଇକା ମୁହାଣ ଖୋଳିବାକୁ ନିର୍ଦ୍ଦେଶ ଦେଇଥିଲେ ଗ୍ରୀନ୍ ଟ୍ରିବ୍ୟୁନାଲ୍। ଆଉ ଏହାର ପ୍ରାୟ ୩ ବର୍ଷ ପରେ, ସୁକ ପାଇକାକୁ ମିଳିଛି ପୁନର୍ଜନ୍ମ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753526843.jpg)