ଆଳୁ ସମସ୍ୟାର ସମାଧାନ କେବେ ? ଖୁଚୁରା ବଜାରରେ ପୁଣି ୫୦ ଟପିଲା ଦର

ପୁଣି ବଜାରରୁ ଉଭାନ ଆଳୁ । ତିନି ଦିନ ତଳେ କିଲେ ଆଳୁ ୩୦ରୁ ୩୫ ଟଙ୍କାରେ ମିଳୁଥିଲା । ଆଜି ହାଫ୍ ସେଞ୍ଚୁରୀ ମାରିଛି ।

Potato

ଦିନ ଚାରିଟା ଯାଇନି, ପୁଣି ଆଳୁ ପାଇଁ ହାହାକାର ସ୍ଥିତି । ବଜାରରୁ ଉଭାନ ହୋଇଯାଇଛି ଏହି ଅତି ଦରକାରୀ ପରିବା । କିଏ ଅଳ୍ପ ରଖିଛି ତ ଆଉ କାହାର ଦୋକାନ ବନ୍ଦ। ଦର ବି ଉଚ୍ଚା । ତିନି ଦିନ ତଳେ କିଲେ ଆଳୁ ୩୦ରୁ ୩୫ ଟଙ୍କାରେ ମିଳୁଥିଲା । ଆଜି ହାଫ୍ ସେଞ୍ଚୁରୀ ମାରିଛି । ଆଳୁ ଆସୁନଥିବାରୁ ମନ ଇଛା ଦର କଷୁଛନ୍ତି ବ୍ୟବସାୟୀ, ଉପାୟଶୂନ୍ୟ ଗ୍ରାହକ ।

ଇଏ ଭୁବନେଶ୍ୱର ଆଇଗିଣିଆର ଆଳୁ ଗଦି । ଯେଉଁଠି ବସ୍ତା ବସ୍ତା ଆଳୁ ରହୁଥିଲା, ଏବେ ସେଠି ମାଛି ଉଡୁଛି । ଖାଁ ଖାଁ ପଡିଛି ଗୋଦାମ । ଗତ ୩ ଦିନ ହେଲାଣି ଗୋଦାମକୁ ନା ପଶ୍ଚିମବଙ୍ଗ ଆଳୁ ଗାଡ଼ି ଆସିଛି ନା ଉତ୍ତରପ୍ରଦେଶର । କଟକ ଛତ୍ର ବଜାରର ଚିତ୍ର ବି ସମାନ । ପଶ୍ଚିମବଙ୍ଗରୁ ଆମଦାନୀ ବନ୍ଦ ହେବା ପରେ କିଛି ଦିନ ହେଲା ଉତ୍ତର ପ୍ରଦେଶରୁ ଆସୁଥିଲା ଆଳୁ । ପାଖାପାଖି ୧୪୦ ଟ୍ରକ ଆଳୁ ଆସିଛି । ତେବେ ଗ୍ରାହକ କିଣିବାକୁ ପସନ୍ଦ କରୁନଥିବାରୁ ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡିଛି । ସେପଟେ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ବନ୍ଦ ରହିଛି ।

ଚେକ୍ ପୋଷ୍ଟରୁ କୌଣସି ଆଳୁ ଗାଡିକୁ ଓଡ଼ିଶା ଛଡାଯାଉନି । ବ୍ୟବସାୟୀ ସଂଘ କହିଛି, ଏବେ ରାଜ୍ୟରେ ଥିବା ଶୀତଳ ଭଣ୍ଡାରରେ ପାଖାପାଖି ୧୭ ଟନ ଆଳୁ ମହଜୁଦ ରହିଛି । ଯାହା ୩ ଦିନ ପର୍ଯ୍ୟନ୍ତ ଆବଶ୍ୟକତାକୁ ପୂରଣ କରିପାରିବ । ତାପରେ ବଢିପାରେ ସଙ୍କଟ । ଏପଟେ ଆଳୁ ସଙ୍କଟର ମୁକାବିଲା ପାଇଁ ବ୍ୟବସାୟୀ ମହାସଂଘ, ଶୀତଳ ଭଣ୍ଡାର ମାଲିକ, ରିଟେଲର ଏବଂ ନାଫେଡ ସହ ଆଲୋଚନା କରିଛନ୍ତି ଯୋଗାଣ ମନ୍ତ୍ରୀ । ବାହାର ରାଜ୍ୟରୁ କିଭଳି ପର୍ଯ୍ୟାପ୍ତ ପରିମାଣର ଆଳୁ ଆସିପାରିବ ଏବଂ ଖାଉଟିଙ୍କୁ ସୁଲଭ ଦରରେ ଯୋଗାଇ ଦିଆଯିବ ତାଉପରେ ଗୁରୁତ୍ୱ ଦିଆଯାଇଛି । ଖୁବଶୀଘ୍ର ଉପୁଜିଥିବା ଆଳୁ ସଙ୍କଟର ସମାଧାନ ହୋଇଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

ଓଡ଼ିଶାରେ ଆଳୁକୁ ନେଇ ହାହାକାର ସ୍ଥିତି ଭିତରେ ପଶ୍ଚିମବଙ୍ଗରୁ ଆସିଛି ଆଳୁର ଅଭାବୀ ବିକ୍ରିର ଚିତ୍ର । ପଶ୍ଚିମ ମେଦିନିପୁରରେ ବସ୍ତା ବସ୍ତା ଆଳୁ ଉପରେ ଗାଡି ଚଢାଇ ପ୍ରତିବାଦ ଜଣାଇଛନ୍ତି ଚାଷୀ । ତୁରନ୍ତ ଓଡ଼ିଶା, ଝାଡଖଣ୍ଡ ଓ ଅନ୍ୟ ପଡୋଶୀ ରାଜ୍ୟକୁ ଆଳୁ
ରପ୍ତାନୀ କରିବାକୁ ଦାବି କରିଛନ୍ତି । ରାଜ୍ୟରେ କେବେ କମିବ ଆଳୁ ଦର ? ବଜାରରେ ସୁଲଭ ମୂଲ୍ୟରେ କେବେ ମିଳିବ ଆଳୁ ?
କେବେ ସାମାନ୍ୟ ହେବ ସ୍ଥିତି ? ଏ ପ୍ରଶ୍ନ ଏବେ ପ୍ରତି ଖାଉଟିଙ୍କ ମନରେ ଉଙ୍କି ମାରୁଛି ।