Mohan Majhi Govt Completes 100 Days
ବିଜେପି ଶାସନର ଶହେଦିନ ପୂର୍ତ୍ତିରେ ଜନତା ଦରବାରରେ ମୋହନ ସରକାରଙ୍କ ରିପୋର୍ଟ କାର୍ଡ। 'ପୂରା ହୋଇଛି ଅନେକ ପ୍ରତିଶ୍ରୁତି', 'ନିଆଯାଇଛି ବହୁ ଜନମଙ୍ଗଳକାରୀ ପଦକ୍ଷେପ'। ହେଲେ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଉପରେ ନିଜ ଦଳ ଲଗେଇ ଥିବା ଚାର୍ଜସିଟ ଉପରେ କାର୍ଯ୍ୟାନୁଷ୍ଠାନ କେବେ ? କେବେ ପଡିବ ପୂର୍ବ ସରକାରରେ ଦୁର୍ନୀତିଗ୍ରସ୍ତ ନେତା ଏବଂ ଅଧିକାରୀଙ୍କ ହାତରେ ହାତକଡି ? ଗତ ନିର୍ବାଚନରେ ସବୁଠୁ ବଡ ମୁଦ୍ଦା ଥିଲା ପାଣ୍ଡିଆନ, ସରକାରୀ କଳକୁ ହାଇଜାକ୍ କରି ମନମୁଖୀ ଛାୟା ଶାସନ, ଦୁର୍ନୀତିକୁ ପ୍ରୋତ୍ସାହନ, ପଲିଟିକ୍ସରେ ଲଞ୍ଚିଂ ପାଇଁ ରାଜକୋଷର ଅପବ୍ୟୟ, ହେଲିକେପ୍ଟରରେ ବେଆଇନ୍ ଓଡିଶା ଭ୍ରମଣ।
ଆଉ ସବୁ ଅନିୟମିତତାର କିଙ୍ଗପିନ୍ ଭାବେ ପାଣ୍ଡିଆନଙ୍କୁ ଚିତ୍ରଣ କରିଥିଲା ବିଜେପି। ହେଲେ ୧୦୦ ଦିନ ପୂର୍ତ୍ତିରେ ମୋହନ ସରକାର ଯଦିଓ ଅନେକ ପ୍ରତିଶ୍ରୁତି ପୂରା କରିଛନ୍ତି, ଏବେ ବି ପୂର୍ବ ସରକାରର ଦୁର୍ନୀତି, ଅନୀତି ବିରୋଧରେ ଆକ୍ସନ୍ ଅପେକ୍ଷାରେ ଜନତା। ତେବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଅତୀତରେହୋଇଥିବା ଦୁର୍ନୀତିର ବି ତଦନ୍ତ ହେବ ।
ନିର୍ବାଚନ ପୂର୍ବରୁ ମେଣ୍ଟ ଚର୍ଚ୍ଚାରୁ ବାହାରି ବିଜେଡି ସରକାର ବିରୋଧରେ ରଣହୁଙ୍କାର ଦେଇଥିଲା ବିଜେପି। ଆଉ ୨୪ ବର୍ଷର ଲମ୍ବା ଶାସନ ବିରୋଧରେ ଦଳ ତିଆରି କରିଥିଲା ଲମ୍ବା ଚାର୍ଜସିଟ୍ । ୨୫ ବର୍ଷ ପାପ ପେଡି ନାଁରେ ୬୦ ପୃଷ୍ଠାର ଚାର୍ଜ ସିଟରେ ଖାଲି ପାଣ୍ଡିଆନ ନୁହେଁ ବିଜେଡିର ବହୁ ନେତାଙ୍କ ନାଁରେ ଥିଲା ଅଭିଯୋଗ ଆଉ ଅପରାଧର ଲମ୍ବା ତାଲିକା । ବ୍ଲାକରୋଜ ଘଟଣାରେ ତତ୍କାଳୀନ ବିଜେଡିର ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସଂପୃକ୍ତି, ମମିତା ମେହେର ଘଟଣାରେ ଦିବ୍ୟଶଙ୍କର ମିଶ୍ର, ମାହଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପ ଜେନା, ପରୀ ମାମଲାରେ ଅରୁଣ ସାହୁ, ମହିଳାଙ୍କୁ ଅସଦାଚରଣ ମାମଲାରେ ଶ୍ରୀକାନ୍ତ ସାହୁଙ୍କ ଚେହେରାକୁ ମଧ୍ୟ ଚାର୍ଜସିଟରେ ସ୍ଥାନିତ କରିଥିଲା।
ବିଜେଡି ସରକାର ବେଳେ ଖଣି ଦୁର୍ନୀତି, ଚିଟଫଣ୍ଡ୍ ଦୁର୍ନୀତି, ଫାଇଭ ଟି ରୂପାନ୍ତିକରଣ ଯୋଜନାରେ ସ୍ମାର୍ଟ ସ୍କୁଲ ସ୍ମାର୍ଟ ଦୁର୍ନୀତି, ବିଜୁଳି ଦୁର୍ନୀତି, ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଅର୍ଥ ହେରଫେର୍। ଏସବୁରେ ବିଜେଡି ନେତାଙ୍କ ସଂପୃକ୍ତିକୁ ବି ଚାର୍ଜସିଟରେ ଉଲ୍ଲେଖ କରିଥିଲା ଦଳ ପୂର୍ବ ସରକାରର ଅଣ ଓଡିଆ ଠିକାଦାର ପ୍ରୀତି କଥା ଉଲ୍ଲେଖ କରି କ୍ଷମତାକୁ ଆସିଲେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଦୃଢ଼ୋକ୍ତି କରିଥିଲା ବିଜେପି । ରାଜନୈତିକ ସମୀକ୍ଷକଙ୍କ ମତ,ଅନ୍ୟ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ସାଙ୍ଗକୁ ଏସବୁ ଉପରେ ବି ନୂଆ ସରକାର ଧ୍ୟାନ ନଦେଲେ ବ୍ୟାକଫୁଟକୁ ଯାଇପାରନ୍ତି ।
ଶାସନକୁ ଆସିବା ପରଠୁ ଯଦିଓ ନୂଆ ସରକାର ଦୁର୍ନୀତି ଏବଂ ଅନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି । ୧୦୦ ଦିନରେ ୫୮ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କ ଉପରେ ଆକ୍ସନ ନେଇଛନ୍ତି । ହେଲେ ପୂର୍ବ ସରକାରଙ୍କ ଦୁର୍ନୀତି ପଛରେ ଥିବା ବଡ ବଡିଆ ନେତା ଓ ଅଧିକାରୀଙ୍କ ଉପରେ କେବେ ଆକ୍ସନ ହେଉଛି, ତାକୁ ଲୋକେ ଅପେକ୍ଷା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726930874.jpg)