ଗଂଜେଇ ଚୋରା ଚାଲାଣର ହବ୍ ପାଲଟିଛି ଓଡ଼ିଶା, ଲମ୍ବିଥିବା ଚେରର ଫିଟୁଛି ଗୁମର

ଗଂଜେଇ ଚୋରା ଚାଲାଣର ହବ୍ ପାଲଟିଛି କି ଓଡିଶା ? ଗତକାଲି ଗଂଜାମରୁ ଗିରଫ ନିଲୁ ପ୍ରଧାନ ହେଉ ଅବା ପାଣ୍ଡି ବ୍ରଦର୍ସ ।

Ganja Smuggling

ଗଂଜେଇ ଚୋରା ଚାଲାଣର ହବ୍ ପାଲଟିଛି କି ଓଡିଶା ? ଗତକାଲି ଗଂଜାମରୁ ଗିରଫ ନିଲୁ ପ୍ରଧାନ ହେଉ ଅବା ପାଣ୍ଡି ବ୍ରଦର୍ସ । ଅନ୍ତଃରାଜ୍ୟ ଗ୍ୟାଙ୍ଗ ସହ ଓଡ଼ିଶାର ଏକାଧିକ ମାଫିଆଙ୍କ ଲିଙ୍କ୍ ସାମ୍ନାକୁ ଆସିବା ପରେ ପୁଣି ଥରେ ଉଠିଛି ଏଭଳି ପ୍ରଶ୍ନ । ରାଜ୍ୟରେ ପାଖାପାଖି ୮ଟି ଜିଲ୍ଲାରେ ଗଞ୍ଜେଇ ଚାଷ ହେଉଥିବା ବେଳେ ରାଜ୍ୟ ବାହାରକୁ ଚୋରା ଚାଲାଣ ମାମଲା ଏବଂ ଗଂଜେଇ କାରବାର ଅଭିଯୋଗରେ ଗତ ୨ ବର୍ଷ ମଧ୍ୟରେ ବନ୍ଧା ହେଲେଣି ପ୍ରାୟ ୩ ହଜାର ଜଣ । ଯାହାକୁ ନେଇ ଓଡ଼ିଶା ଏବେ ଜାତୀୟ ତଦନ୍ତକାରୀ ସଂସ୍ଥା ସହ ରାଜ୍ୟ ବାହାରର ପୋଲିସ ସ୍କାନରରେ ରହିଛି ।

ଗଞ୍ଜାମ ଗଞ୍ଜେଇ ମାଫିଆ ନିଲୁ ପ୍ରଧାନକୁ ଗିରଫ ପରେ ଖୋଲୁଛି ଓଡିଶା ଗଞ୍ଜେଇ ନେଟୱାର୍କର ଗୁମର । ନିଲୁର ନେଟୱାର୍କ ଗୁଜୁରାଟ, ତାମିଲନାଡୁ ସମେତ ମାୟାନଗରୀ ମୁମ୍ବାଇ ଯାଏଁ ଲମ୍ବିଥିବା ସାମ୍ନାକୁ ଆସିଛି । କେବଳ ନିଲୁ ନୁହେଁ, ନୀଳଜହର ଜାଲ ବୁଣିଥିବା ଗଞ୍ଜାମ ଜିଲ୍ଲାର କୁଖ୍ୟାତ ଗଞ୍ଜେଇ ମାଫିଆ ବ୍ରଦର୍ସ ସୁନୀଲ ପାଣ୍ଡି ଓ ଅନିଲ ପାଣ୍ଡିର କାରବାର ସଂପର୍କରେ ମଧ୍ୟ ପୂର୍ବରୁ ପର୍ଦ୍ଦାଫାସ୍ ହୋଇଥିଲା ।

ମାଲକାନଗିରି ଗଞ୍ଜେଇର ଡିମାଣ୍ଡ ମାୟାନଗରୀରେ । ଓଡ଼ିଶାର ଶୀଳାବତିର ଚାହିଦା କାହିଁରେ କେତେ । କେବଳ ମୁମ୍ବାଇ ନୁହେଁ, ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାର, ରାଜସ୍ଥାନ ଆଦି ରାଜ୍ୟରେ ଓଡ଼ିଶା ଗଞ୍ଜେଇର ଚାହିଦା ସ୍ୱତନ୍ତ୍ର । ଯେଉଁଥିପାଇଁ ଓଡ଼ିଶା ଉପାନ୍ତର କୋର୍ ଜଙ୍ଗଲରୁ ଚାଲିଛି ଗଂଜେଇ ଚୋରାଚାଲାଣ ।

ରାଜ୍ୟର ପାଖାପାଖି ୮ଟି ଜିଲ୍ଲା- ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ଗଜପତି, ଗଞ୍ଜାମ, ଅନୁଗୁଳ ଓ ମୟୁରଭଞ୍ଜରେ ବେଧଡ଼କ ଚାଲିଛି ଗଞ୍ଜେଇ ଚାଷ ସହ ଚାଲାଣ । ଆଉ ଗୋଟିଏ ପରେ ଗୋଟିଏ ମାମଲାରେ ରାଜ୍ୟ ପୋଲିସ ସହ ଜାତୀୟ ତଦନ୍ତକାରୀ ସଂସ୍ଥା NCB, DRI ହାତରେ ଧରାପଡ଼ିଛନ୍ତି ବହୁ ମାଫିଆ ।

ରାଜ୍ୟ ସରକାରଙ୍କ ଗୃହ ବିଭାଗର ଶ୍ୱେତପତ୍ରର ତଥ୍ୟ କହୁଛି, ୨୦୨୩ରେ ମାଦକ ଦ୍ରବ୍ୟ ଚୋରାଚାଲାଣ ପାଇଁ ୨ହଜାର ୪୧୦ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୧୮ ଶହ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । କେବଳ ମାଲକାନଗିରି ଜିଲ୍ଲା ପୋଲିସ ୨୦୨୩-୨୪ରେ ୧୬୬ଟି ଗଞ୍ଜେଇ ଚୋରାଚାଲାଣ ମାମଲା ରୁଜୁ କରିଥିବା ବେଳେ ୨୦୩ ଜଣଙ୍କୁ ଗିରଫ କରିଛି ।

ତା ସହ ୧୮୦ କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି । ୨୦୨୪ରେ ଏପର୍ଯ୍ୟନ୍ତ ୪୨ଟି ମାମଲାରେ ୧୧୯ ଜଣଙ୍କୁ ଗିରଫ କରି ସାରିଛି ପୋଲିସ । ସେହିଭଳି କୋରାପୁଟ ଜେଲରେ ଏବେ ୧୪୮ ଏବଂ ଜୟପୁର ଜେଲରେ ୮୧ ଗଞ୍ଜେଇ ମାଫିଆ ରହିଛନ୍ତି । ପୂର୍ବରୁ ମାଓବାଦୀ ହାତରେ ଗଞ୍ଜେଇ ଚାଷର ରିମୋଟ ରହୁଥଲା । ଏବେ ମାଓଗଡ଼ ଭାଙ୍ଗିବା ପରେ ଗଞ୍ଜେଇ ମାଫିଆ ସକ୍ରିୟ ହୋଇଛନ୍ତି । ତେଣୁ ଗଞ୍ଜେଇ ଚାଷ ନଷ୍ଟ କରିବା ପାଇଁ ପଦକ୍ଷେପ ନ ନେଲେ ଏହାକୁ ରୋକିବା ଅସମ୍ଭବ ବୋଲି ମତପ୍ରକାଶ ପାଇଛି ।