ଖୁବଶୀଘ୍ର ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଯାଞ୍ଚ ହେବ। ଯେଉଁମାନଙ୍କ ପାଖରେ ଓଡ଼ିଶା କିମ୍ବା ଭାରତରେ ରହିବା ପାଇଁ ବୈଧ ପ୍ରମାଣ ପତ୍ର ନଥିବ, ସେମାନଙ୍କୁ ନିଜ ଦେଶକୁ ପ୍ରତ୍ୟାର୍ପଣର ବ୍ୟବସ୍ଥା କରାଯିବ । ବାଂଲାଦେଶୀ ଅନୁପ୍ରବେଶ ଉଦ୍ୟମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯେଉଁମାନେ ପୂର୍ବରୁ ଶରଣାର୍ଥୀ ହୋଇ ଆସିଛନ୍ତି, CAA ଆଇନ ପ୍ରାବଧାନ ଅନୁଯାୟୀ ସେମାନଙ୍କୁ ସୁରକ୍ଷା ଓ ସୁବିଧା ଯୋଗାଇ ଦିଆଯିବ ।
କିନ୍ତୁ ବହୁ ବାଂଲାଦେଶୀ ପଶ୍ଚିମବଙ୍ଗ ଓ ସମୁଦ୍ର ପଥ ଦେଇ ଓଡ଼ିଶା ଭିତରକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି । ସେହି ଅନୁପ୍ରବେଶକାରୀଙ୍କୁ
ଅଟକାଇବା ପାଇଁ ବର୍ଡର ପୋଲିସ, କୋଷ୍ଟ ଗାର୍ଡ ଓ ସାମୁଦ୍ରିକ ପୋଲିସ ମୁତୟନ ପାଇଁ ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ ସାରିଛନ୍ତି । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଫଳ ହେବେ ବୋଲି କୁହାଯାଇଛି ।
Also Read
ବାଂଲାଦେଶରେ ଅସ୍ଥିରତା ପରେ ଓଡ଼ିଶାକୁ ବଢ଼ିଛି ଅନୁପ୍ରବେଶ ଚିନ୍ତା । କାରଣ ଜଳପଥ ଦେଇ ରାଜ୍ୟର ଉପକୂଳ ଜିଲ୍ଲାକୁ ବାଂଲାଦେଶୀ ନାଗରିକ ପଶି ଆସିବାର ଆଶଙ୍କା ଥିବାରୁ ରାଜ୍ୟର ସମସ୍ତ ସାମୁଦ୍ରିକ ଥାନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ସେହି ଅନୁସାରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଆଦି ଜିଲ୍ଲାର ମେରାଇନ ଥାନା ପୋଲିସ ସମୁଦ୍ର ଉପକୂଳରେ ସଜାଗ ରହିଛନ୍ତି । କେତେବେଳେ ଗଭୀର ସମୁଦ୍ର ତ ଆଉ କେତେବେଳେ ଉପୂକଳ ଅଞ୍ଚଳ ବୁଲି ତନ୍ନ ତନ୍ନ ଯାଞ୍ଚ କରୁଛି ମେରାଇନ୍ ପୋଲିସ । ଆବଶ୍ୟକସ୍ଥଳେ ସନ୍ଦିଗ୍ଧଙ୍କ ସମ୍ପର୍କରେ ସୂଚନା ଦେବାକୁ ମତ୍ସ୍ୟଜୀବୀମାନଙ୍କୁ ବି ନିବେଦନ କରାଯାଇଛି ।
ଓଡ଼ିଶା ସରକାରଙ୍କ ୨୦୨୩ ତଥ୍ୟ ଅନୁସାରେ, ରାଜ୍ୟରେ ଏବେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ବାଂଲାଦେଶୀ ଶରଣାର୍ଥୀ ଭାବେ ରହିଛନ୍ତି । ତା ଛଡ଼ା ରାଜ୍ୟ ବିଭିନ୍ନ ଜିଲ୍ଲାରେ ବେଆଇନ୍ ଭାବେ ମଧ୍ୟ ଅନେକ ବାଂଲାଦେଶୀ ନାଗରିକ ବସବାସ କରୁଛନ୍ତି । ଆଉ ବର୍ତ୍ତମାନ ପରିସ୍ଥିତିର ଏମାନଙ୍କ ଜରିଆରେ ଆହୁରି ବାଂଲାଦେଶୀଙ୍କ ଆଗମନ ଓ ଅନୁପ୍ରବେଶ ଆଶଙ୍କା ଥିବାରୁ ଏଭଳି ପରିସ୍ଥିତିରେ ଅଧିକ କଠୋର ହୋଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ରହୁଥିବା ବାଂଲାଦେଶୀଙ୍କୁ ତୁରନ୍ତ ଚିହ୍ନଟ କରାଯିବ, ଯଦି କେହି ବିନା ଡକ୍ୟୁମେଣ୍ଟରେ ରହୁଥାନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ତା ସହ ଓଡ଼ିଶାକୁ ଏବେ କେହି ଅନୁପ୍ରବେଶ କରିଥିବା ଖବର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ।