Balanga burn victim dies at AIIMS‑Delhi
ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା। ହସ୍ପିଟାଲ ବେଡରେ ୧୪ ଦିନ ଜୀବନ ମରଣ ସହ ସଂଗ୍ରାମ ପରେ ଗତକାଲି ଆଖି ବୁଜିଥିଲେ ପୀଡ଼ିତା। ଦିଲ୍ଲୀ ଏମ୍ସରୁ ଆଜି ମୃତଦେହକୁ ଓଡ଼ିଶା ଅଣାଯାଉଛି। ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ମରଶରୀର। ଜନ୍ମମାଟି ବାୟାବରରେ କବର ଦେବାକୁ ସମସ୍ତ ପ୍ରସ୍ତୁତି ସରିଛି। ପୀଡ଼ିତାଙ୍କ ବାପା କହିଛନ୍ତି, ଝିଅ ଭାଗ୍ୟରେ ନଥିଲା। କାହାକୁ ସେମାନେ ଦୋଷ ଦେଉ ନାହାନ୍ତି। ରାଜନୀତି ନକରିବାକୁ ନିବେଦନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ତଦନ୍ତରୁ ଘଟଣାରେ ଆଉ କାହାର ସଂପୃକ୍ତି ନଥିବା ପୋଲିସ ସ୍ପଷ୍ଟ କରିବା ପରେ ଅନେକ ଅସମାହିତ ପ୍ରଶ୍ନବାଚୀ ଭିତରେ ସୀମିତ ରହିଗଲା ବଳଙ୍ଗା କାଣ୍ଡ। ପୀଡ଼ିତାଙ୍କ ଅକାଳ ବିୟୋଗରେ ସାରା ବଳଙ୍ଗା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ପୀଡ଼ିତାଙ୍କ ଅକାଳ ବିୟୋଗରେ ସାରା ବଳଙ୍ଗା ଅଞ୍ଚଳରେ ଶୋକର ଛାୟା। ଶୂନଶାନ ବାୟାବର ଗାଁ। ସବୁଠି ନୀରବତା। ପୀଡ଼ିତାଙ୍କ ଶେଷକୃତ୍ୟ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। କବରସ୍ତାନରେ ଖୋଳା ସରିଛି କବର। ବାୟାବର ଗାଁରେ ସୁରକ୍ଷା ବି କଡ଼ାକଡ଼ି। ପୋଲସ ପଇଁତରା ମାରୁଥିବା ବେଳେ ପୀଡ଼ିତାଙ୍କ ଘରେ ଆଗରେ ମୁତୟନ ହୋଇଛନ୍ତି ଫୋର୍ସ। ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ବଳଙ୍ଗା ଥାନାରେ ରିଜର୍ଭରେ ୨ ପ୍ଲାଟୁନ୍ ପୋଲିସ ଅଛନ୍ତି। ପ୍ରାଥମିକ ଭାବେ ପୀଡ଼ିତାଙ୍କୁ ୩ ଜଣ ଦୁର୍ବୃତ୍ତ କିରାସିନି ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ହେଲେ ଘଟଣାରେ ଅନ୍ୟ କାହାରି ସମ୍ପୃକ୍ତି ନଥିବା ନେଇ ଓଡ଼ିଶା ପୋଲିସ ଗତକାଲି ସ୍ପଷ୍ଟ କରିଦେଇଛି। ପୀଡ଼ିତାଙ୍କ ବାପା ବି କହିଥିଲେ ମାନସିକ ଚିନ୍ତା ଯୋଗୁଁ ଜୀବନ ନେଇଛି ଝିଅ। ଏହି ମାମଲାରେ ଭୁବନେଶ୍ବର ଏମ୍ସରେ ଥରେ ଓ ଦିଲ୍ଲୀ ଏମ୍ସରେ ତିନି ଥର ପୀଡ଼ିତାଙ୍କ ବୟାନ ବି ରେକର୍ଡ ହୋଇଥିଲା। ଏକାଧିକ ଲୋକଙ୍କୁ ହୋଇଥିଲା ଜେରା। ବାରମ୍ବାର ପରିବାର ଲୋକଙ୍କୁ ବି ଜେରା କରୁଥିଲା ପୋଲିସ।
ଜୁଲାଇ ୧୯ରେ ବଳଙ୍ଗା ଅଞ୍ଚଳରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଅଣାଯାଇଥିଲା ଭୁବନେଶ୍ବର ଏମ୍ସ। ପୀଡ଼ିତାଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଇଥିଲେ। ଜୁଲାଇ ୨୦ରେ ଅଧିକ ଚିକିତ୍ସା ଲାଗି ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା। ଜୁଲାଇ ୨୬ରେ ଦିଲ୍ଲୀ ଏମସରେ ପୀଡ଼ିତାଙ୍କ ଅସ୍ତ୍ରୋପଚାର ସହ କରାଯାଇଥିଲା ସ୍କିନ୍ ଗ୍ରାଫଟିଂ। ତେବେ କାହିଁକି ନିଜ ଦେହରେ ନିଆଁ ଲଗାଇଥିଲେ ପୀଡ଼ିତା ? ବାପାଙ୍କ କଥା ଅନୁସାରେ ମାନସିକ ଚିନ୍ତା କଣ ଥିଲା ? ପୀଡ଼ିତାଙ୍କ ମୃତ୍ୟୁ ପରେ ଏମିତି ଅନେକ ପ୍ରଶ୍ନ ଅକୁହା ହୋଇ ରହିଗଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754241530.jpg)