ଫାଇନ୍ ଫାଙ୍କୁଛନ୍ତି ୨୩ ଖଣି ମାଲିକ, ବାକି ପଡ଼ିଛି ୨୭୨୩ କୋଟି ଜରିମାନା

ବିଧାନସଭାରେ ସାରଦା ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ବିଭୁତି ଜେନାଙ୍କ ଉତ୍ତର । ଶାହା କମିଶନଙ୍କ ତଦନ୍ତ ପରେ ଫାଇନ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

Mines

ଜରିମାନା ଦେଉ ନାହାନ୍ତି ୨୩ ଖଣି ମାଲିକ । ବାକି ପଡ଼ିଛି ୨୭୨୩ କୋଟି ଟଙ୍କାର ଜରିମାନା ଅର୍ଥ । ଏହି ଖଣି ମାଲିକମାନଙ୍କ ବିରୋଧରେ ସାର୍ଟିଫିକେଟ କେସ ଦାୟର କରିଛନ୍ତି ରାଜ୍ୟ ସରକାର । ବିଧାନସଭାରେ ସ୍ୱାଧୀନ ବିଧାୟକ ଶାରଦା ନାୟକଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା ।

ଖଣି ଦୁର୍ନୀତି ନେଇ ଜଷ୍ଟିସ ଶାହା କମିଶନଙ୍କ ତଦନ୍ତ ପରେ ଜରିମାନା ଅର୍ଥ ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ୧୩୩ଟି ଖଣି ମାଲିକ ୧୮ ହଜାର କୋଟି ଟଙ୍କାର ଜରିମାନା ଦେବା ପାଇଁ କହିଥିଲେ ରାଜ୍ୟ ସରକାର । କିନ୍ତୁ ବର୍ତ୍ତମାନ ସୁଦ୍ଧା ୨ହଜାର ୭୨୩ 
କୋଟି ଟଙ୍କାର ଜରିମାନା ଅର୍ଥ ଆଦାୟ ହୋଇ ପାରିନି । 

ସେପଟେ ଭିକେ ପାଣ୍ଡିଆନଙ୍କ ପ୍ରଚାର ପାଇଁ ଖର୍ଚ୍ଚ ହୋଇଛି ୧୫ କୋଟିରୁ ଅଧିକ ଟଙ୍କା । ବିଜ୍ଞାପନରେ ଭିକେ ପାଣ୍ଡିଆନଙ୍କ ଫଟୋ ଲାଗିବା ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି ୧୫ କୋଟି ୨୬ ଲକ୍ଷ ୯୧ ହଜାର ୯୩୩ ଟଙ୍କା । ବିଧାନସଭାରେ ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଲିଖିତ ଉତ୍ତର ଦେଇଛନ୍ତି । ସେହିପରି ପାଞ୍ଚ ବର୍ଷରେ ପ୍ରଚାର ପାଇଁ ପୂର୍ବତନ ବିଜେଡି ସରକାର ଖର୍ଚ୍ଚ କରିଥିଲେ ୪ଶହ ୫୨ କୋଟି ୯୬ ଲକ୍ଷ ଟଙ୍କା ବିଧାନସଭାରେ BJP ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।