ମୁଖ୍ୟମନ୍ତ୍ରୀ KCRଙ୍କୁ ଜୋତା ଉପହାର ଦେଇ ଶର୍ମିଲାଙ୍କ ଚ୍ୟାଲେଞ୍ଜ, ଆସନ୍ତୁ ମୋ ସହ ଚାଲିବେ...

ଗଣମାଧ୍ୟମ ଆଗରେ ଏକ ନୂଆ ଜୋତା ଦେଖାଇ କହିଥିଲେ, ମୁଖ୍ୟମନ୍ତ୍ରୀ ପଦଯାତ୍ରରେ ସାମିଲ ହେଲେ ମୁଁ ଏହାକୁ ଉପହାର ଦେବି ।

KCR

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଓପନ ଚ୍ୟାଲେଞ୍ଜ ! କହିଲେ ଦମ୍‌ ଅଛି ତ ମୋ ସହ ପଦଯାତ୍ରାରେ ଆସନ୍ତୁ । ଏଭଳି ଓପନ ଚ୍ୟାଲେଞ୍ଜ କରିଛନ୍ତି ଯୁବଜନ ଶ୍ରମିକ ରିଥୁ ତେଲାଙ୍ଗାନା ପାର୍ଟି ମୁଖ୍ୟ ୱାଇ ଏସ୍‌ ସର୍ମିଲା । ସେ ସିଧାସଳଖ ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ଉଦେଶ୍ୟରେ ଗଣମାଧ୍ୟମ ଆଗରେ ଚ୍ୟାଲେଞ୍ଜ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦମ୍‌ ଅଛନ୍ତି ତ ମୋ ସହ ପଦଯାତ୍ରାରେ ଯୋଗ ଦିଅନ୍ତୁ । ଏହି ପଦଯାତ୍ରା ଯେଉଁଠି ସରିଥିଲା ସେଇଠୁ ହିଁ ଆରମ୍ଭ ହେବ । ଏହାସହ ଗଣମାଧ୍ୟମ ଆଗରେ ଏକ ନୂଆ ଜୋତା ଦେଖାଇ କହିଥିଲେ, ମୁଖ୍ୟମନ୍ତ୍ରୀ ପଦଯାତ୍ରରେ ସାମିଲ ହେଲେ ମୁଁ ଏହାକୁ ଉପହାର ଦେବି । ଗୁରୁବାର ସେ ଏହି ଚ୍ୟାଲେଞ୍ଜ କରିଛନ୍ତି ।

 

କଥା ସେତିକିରେ ସରି ନାହିଁ । କେସିଆର୍‌ଙ୍କ ବୟାନ୍‌କୁ ନେଇ ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘କେସିଆର କହୁଛନ୍ତି ଆମ ରାଜ୍ୟରେ ଲୋକଙ୍କର ସମସ୍ୟା ନାହିଁ । ସେ ମୋ ସହ ଆସନ୍ତୁ ମୁଁ ତାଙ୍କୁ ଲୋକଙ୍କର ଅନେକ ସମସ୍ୟା ରହିଥିବା ପ୍ରମାଣ ଦେବି । ଆଉ ଯଦି ପ୍ରମାଣ ନଦେଇ ପାରିଲି ତେବେ ରାଜନୀତି ଛାଡ଼ିଦେବି ।’ ଶର୍ମିଲା ଏହା ମଧ୍ୟ କହିଛନ୍ତି ଯେ, ‘ଯଦି ମୁଁ ଲୋକଙ୍କର ସମସ୍ୟା ସାମ୍ନାକୁ ଆଣିଲି ତେବେ କେସିଆର୍‌ ନିଜ କଥା ରଖି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ତ ? କେସିଆର୍‌ ନିଜେ କହିଥିଲେ ଲୋକଙ୍କର ସମସ୍ୟା ଥିଲେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଜଣେ ଦଳିତଙ୍କୁ ତାଙ୍କ ସ୍ଥାନରେ ବସାଇବେ । ଏହା କରିପାରିବେ ତ କେସିଆର୍‌ ?’ ଗଣମାଧ୍ୟମ ଆଗରେ ଏଭଳି କଡ଼ା ଭାଷାରେ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଶର୍ମିଲା ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ଏଣ୍ଟ୍ରି ମାରିବାକୁ KCRଙ୍କ ବ୍ଲୁ ପ୍ରିଣ୍ଟ୍, ନବନିର୍ମାଣ କୃଷକ ସଂଗଠନ ଦେଇପାରେ ସମର୍ଥନ...

ଏହି ଘଟଣା ପରେ ସାରା ରାଜ୍ୟରେ ରାଜନୀତି ସରଗରମ ହୋଇଛି । ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି । ତେବେ ଶର୍ମିଲାଙ୍କ କଥା ଏତିକିରେ ବି ସରିନଥିଲା । ସେ ଗଣମାଧ୍ୟମ ଆଗରେ ସିଧାସଳଖ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଯାହା ଯାହା ଲୋକଙ୍କ ପାଇଁ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ତାହା ସେ କରି ନାହାନ୍ତି ।