ବିଚ ବଜାରରେ ସ୍ୱାମୀଙ୍କୁ ନିର୍ଦ୍ଧୁମ୍‌ ମାଡ଼ : ମଉକା ଦେଖି ଘଟଣାସ୍ଥଳରୁ ଫୁର୍‌ ହୋଇଗଲା ଗର୍ଲଫ୍ରେଣ୍ଡ୍‌

ସ୍ତ୍ରୀ ମାଡ଼ରେ ସ୍ୱାମୀ ଘାଇଲା । ପରକୀୟା ପ୍ରୀତି ଧରାପଡ଼ିବା ପରେ ଛେଚା ଖାଇଲେ ।

ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି

ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି । ବିଚ୍‌ ବଜାରରେ ସ୍ତ୍ରୀ ଠାରୁ ନିର୍ଦ୍ଧୁମ ଛେଚା ଖାଇଲେ ଯୁବକ । ଉତ୍ତରପ୍ରଦେଶର ଔରେୟାରେ ସ୍ୱାମୀଙ୍କୁ ପ୍ରେମିକା ସହିତ ଦେଖି ସ୍ତ୍ରୀ ରାଗି ପାଚି ଲାଲ୍ । ରାଗରେ ସମସ୍ତଙ୍କ ସାମ୍ନାରେ ସ୍ୱାମୀଙ୍କୁ ଦେଲେ ପେଟେଣ୍ଟ୍‌ ମେଡିସିନ୍‌ । ତେବେ ସ୍ତ୍ରୀ ଠାରୁ ମାଡ଼ ଖାଇବା ପରେ ସ୍ୱାମୀ ଜଣକ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ବଜାରରେ ଦମ୍ପତିଙ୍କ କଳି ଦେଖି ଉପସ୍ଥିତ ଲୋକେ ମହିଳାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ସେ ସ୍ୱାମୀଙ୍କୁ ଛାଡ଼ୁ ନଥିଲେ । ସେପଟେ ସ୍ୱାମୀସ୍ତ୍ରୀଙ୍କ ଖଣ୍ଡଯୁଦ୍ଧ ମଧ୍ୟରେ ଗର୍ଲଫ୍ରେଣ୍ଡ ମଉକା ଦେଖି ଘଟଣାସ୍ଥଳରୁ ଫେରାର ମାରିଥିଲା ।

ଔରେୟାର ବେଧୁନା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି । ଜଣେ ବିବାହିତ ଯୁବକ ନିଜ ପ୍ରେମିକା ସହିତ ବୁଲିବା ସମୟରେ ହଠାତ୍‌ ପହଞ୍ଚି ଯାଇଥିଲେ ସ୍ତ୍ରୀ । ଆଖି ସାମ୍ନାରେ ସ୍ତ୍ରୀକୁ ଦେଖି ଯୁବକଙ୍କ ଅକଲ୍‌ ଗୁଡ଼ୁମ୍‌ ହୋଇଯାଇଥିଲା । ତାଙ୍କର ପ୍ରେମ ରଙ୍ଗ ସବୁ ଯେପରି ଫିକା ପଡ଼ିଗଲା । ଏପଟେ ସ୍ୱାମୀଙ୍କୁ ଅନ୍ୟ ଝିଅ ସହ ଦେଖି ରାଗରେ ପଞ୍ଚମ ସ୍ତ୍ରୀ । ସ୍ୱାମୀ ଉପରେ ବିଧା, ଗୋଇଠା ଯାହା ଇଚ୍ଛା ହେଲା ମାରି ଚାଲିଲେ ।

ଆଉ ସ୍ତ୍ରୀ ମାଡ଼ରେ ସ୍ୱାମୀ ଆହତ ହୋଇ ଯାଇଥିଲେ । କାନରୁ ରକ୍ତ ବାହାରିବାରେ ଲାଗିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସ୍ତ୍ରୀ ଛାଡ଼ିନଥିଲେ । ତାଙ୍କ କାଳୀ ରୂପ ଦେଖି ଲୋକେ ବି ଡରି ଯାଇଥିଲେ । ଝଗଡ଼ା ବଢ଼ିଯିବା ପରେ ନିକଟସ୍ଥ କିଛି ଦୋକାନୀ ମଧ୍ୟ ଆସି ଉଭୟଙ୍କୁ ଅଲଗା କରିବାକୁ ଚେଷ୍ଟା କରିଥିଲେ । ତେବେ ଏହାରି ଭିତରେ ପ୍ରେମିକା ଜଣକ କୁଆଡ଼େ ଯେ ଅରନ୍ତଧ୍ୟାନ ହୋଇ ଯାଇଥିଲେ, କେହି ତାହାର ଟେର୍‌ ବି ପାଇଲେନି ।

ମହିଳା ଅନୁସାରେ, ତାଙ୍କ ସ୍ୱାମୀଙ୍କ ଯେଉଁ ମହିଳାଙ୍କ ସହ ବୁଲୁଥିଲେ ସେ ତାଙ୍କ ଭାଇଙ୍କ ସ୍ତ୍ରୀ । ଉଭୟଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଛି । ଏହି କାରଣରୁ ମୋ ସ୍ୱାମୀ ମୋତେ ଘରେ ଅନେକ ଥର ମାଡ ମାରିଥିଲେ ଏବଂ ଘଟଣାକୁ ମିଛ ବୋଲି କହୁଥିଲେ । ଆଖିରେ ଦେଖିଲେ ହିଁ କହିବୁ ବୋଲି ଧମକାଉ ଥିଲେ । ହେଲେ ଗୁରୁବାର ଦିନ ସେ ମୋ ହାବୁଡ଼ରେ ପଡ଼ିଗଲେ । ଗୋଟିଏ ଦିନ ପୂର୍ବରୁ ଏହି ଘଟଣାକୁ ନେଇ ଝଗଡ଼ା ହୋଇଥିବା ବେଳେ ସ୍ୱାମୀ ମୋତେ ମାଡ଼ ମାରିଥିଲେ ବୋଲି ସେ କହିଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ ପାଖରେ କୌଣସି ଅଭିଯୋଗ କରାଯାଇ ନାହିଁ । ସେହି ସମୟରେ ଭିଡିଓ ଭାଇରାଲ ହେବା ପରେ ଘଟଣା ଚର୍ଚ୍ଚାର ପରିଧିକୁ ଆସିଛି ।