ବିବାହରେ ବିରଳ ଉପହାର : କରୋନାରେ ଜୀବନ ହାରିଥିବା ବାପାଙ୍କ ୱାକ୍ସ ଷ୍ଟାଚ୍ୟୁ ଦେଖି କାନ୍ଦି ପକାଇଲା ଝିଅ

ବାପାଙ୍କୁ ହରାଇବା ପରେ ବି ନିକଟରେ ପାଇଲେ

ବାପାଙ୍କୁ ହରାଇବା ପରେ ବି ନିକଟରେ ପାଇଲେ

ବିବାହରେ ବାପାଙ୍କ ଶୂନ୍ୟତା ପୂରଣ କଲା ୱାକ୍ସ ଷ୍ଟାଚ୍ୟୁ । ଶରୀର ସିନା ନାହିଁ କିନ୍ତୁ ସେ ମହମ ମୂର୍ତ୍ତି ଭିତରେ ଅଛନ୍ତି । ବିବାହରେ ଭଉଣୀକୁ ସ୍ୱତନ୍ତ୍ର ଉପହାର ଦେଲା ଭାଇ । ଆଉ ଉପହାର ଦେଖି ଭାବବିହ୍ୱଳ ହୋଇଗଲେ କନ୍ୟା । ତେଲେଙ୍ଗାନା ୱାରଙ୍ଗଲର ସୁବମର୍ଣ୍ଣମ ପରିବାର ବାପାଙ୍କୁ ହରାଇବା ପରେ ବି ପାଖରେ ତାଙ୍କୁ ପାଇଛନ୍ତି । ମହମ ମୂର୍ତ୍ତି ମାଧ୍ୟମରେ ବାପାଙ୍କୁ ଭଉଣୀ ବିବାହରେ ସାମିଲ କରାଇଛି ପୁଅ । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଗତ ବର୍ଷ କରୋନା ଯୋଗୁ ବିବାହ କରିବାକୁ ଯାଉଥିବା ଯୁବତୀଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ମାଆ, ଦୁଇ ଭଉଣୀ ଓ ଗୋଟିଏ ଭାଇର ପରିବାର ଏକୁଟିଆ ହୋଇଯାଇଥିଲା । ପ୍ରତିଟି ଉତ୍ସବରେ ତାଙ୍କୁ ଖୋଜୁଥିଲେ । ଗତକାଲି ସାନ ଭଉଣୀଙ୍କ ବିବାହ ଥିଲା । ଏହାପୂର୍ବରୁ ସାନ ଭଉଣୀକୁ ବଡ଼ ଭାଇ ସପ୍ରାଇଜ୍ ଦେଇଥିଲେ । ବାହାଘର ଦିନ ସେ ବାପାଙ୍କ ଅନୁପସ୍ଥିତିକୁ ସବୁଠାରୁ ଅଧିକ ଅନୁଭବ କରୁଥିବାରୁ ତାଙ୍କ ଭାଇ ଅଭିନବ ଉପାୟରେ ଏହାକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି । ଏଥିପାଇଁ ସେ ବାହାଘର ମଣ୍ଡପରେ ହିଁ ତାଙ୍କ ଭଉଣୀଙ୍କୁ ଦିବଂଗତ ବାପାଙ୍କ ମହମ ପ୍ରତିମୂର୍ତ୍ତି ଉପହାର ଆକାରରେ ଦେଇଛନ୍ତି ।

 

ଆଉ ଯେତେବେଳେ ବିବାହ ମଣ୍ଡପକୁ କନିଆଁ ବେଶରେ ଯୁବତୀ ଜଣଙ୍କ ତାଙ୍କ ମା’, ଭାବୀ ସ୍ୱାମୀ ଓ ଅନ୍ୟମାନଙ୍କ ସହ ପ୍ରବେଶ କରିଥିଲେ ଠିକ୍‌ ସେତିକି ବେଳେ ତାଙ୍କ ଭାଇ ମହମ ପ୍ରତିମୂର୍ତ୍ତି ଆଗକୁ ଆଣିଥିଲେ । ସେ ନିଜ ସାମ୍ନାରେ ଅବିକଳ ବାପାଙ୍କ ଚେହେରାକୁ ଦେଖି କାନ୍ଦି ପକାଇଥିଲେ।

ମହମ ମୂର୍ତ୍ତି ଅବିକଳ ତାଙ୍କ ବାପାଙ୍କ ପରି ଦେଖାଯାଉଥିଲା । ତାଙ୍କୁ ନୂଆ କୁର୍ତ୍ତା ପିନ୍ଧାଇ ମଣ୍ଡପ ପାଖରେ ବସାଇ ଦିଆଗଲା । ସମସ୍ତେ ବାପାଙ୍କୁ ଯେପରି ନିକଟରେ ହିଁ ପାଇଥିଲେ । ଶେଷରେ ତାଙ୍କ ବାପାଙ୍କ ୱାକ୍ସ ଷ୍ଟ୍ୟାଚ୍ୟ ଦ୍ୱାରା ହିଁ କନ୍ୟାଦାନ କରାଯାଇଥିଲା ।