ବହୁ ବାଦବିବାଦ ପରେ ଆଇନ୍ରେ ପରିଣତ ହୋଇଛି ୱକଫ୍ ସଂଶୋଧିତ ବିଲ୍। ସଂସଦର ଉଭୟ ଗୃହରେ ବିଲ୍ଟି ପାସ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ମଞ୍ଜୁରୀ ଦେଇଛନ୍ତି। ତେବେ ୧୯୯୫ର ୱାକଫ ସମ୍ପତ୍ତି ପରିଚାଳନା ଆଇନରେ ସଂଶୋଧନ ପାଇଁ ଅଣାଯାଇଥିବା ଏହି ବିଲ୍କୁ ନେଇ ବିରୋଧୀ ଦଳଗୁଡ଼ିକ ବିରୋଧ କରି ଆସୁଛନ୍ତି। କେନ୍ଦ୍ର ସରକାର ୱାକଫ୍ ବୋର୍ଡର କାର୍ଯ୍ୟକୁ ବ୍ୟବସ୍ଥିତ କରିବା ସହିତ ୱାକଫ୍ ସମ୍ପତ୍ତିର ଦକ୍ଷ ସୁପରିଚାଳନା ପାଇଁ ୱାକଫ୍ ସଂଶୋଧନ ବିଲ୍ ୨୦୨୪ ଏବଂ ମୁସଲମାନ ୱାକଫ୍ (ପ୍ରତ୍ୟାହାର) ବିଲ୍ ୨୦୨୪ ଆଗତ କରିଛନ୍ତି।
ଏହି ବିଲ୍ ୮ ଅଗଷ୍ଟ ୨୦୨୪ରେ ଲୋକସଭାରେ ଆଗତ କରାଯାଇଥିଲା। ପରେ ବିଲ୍ ଉପରେ ଅଧିକ ଆଲୋଚନା ପାଇଁ ଏହାକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇଥିଲା। ଏହି ବିଧେୟକ ଲୋକସଭାରେ ପାରିତ ହେବା ପରେ ରାଜ୍ୟ ସଭାରେ ଆଗତ ହୋଇଛି। ଏହି ବିଧେୟକକୁ ପାସ୍ କରିବାକୁ ସଂସଦରେ ସାରାରାତି ଚାଲିଲା ବିତର୍କ।
Also Read
୨୦୨୪ ଅଗଷ୍ଟ ୮ ତାରିଖରେ ଲୋକସଭାରେ ଦୁଇଟି ବିଲ୍ ଆଗତ ହୋଇଥିଲା। ୱାକଫ୍ (ସଂଶୋଧନ) ବିଲ୍, ୨୦୨୪ ଏବଂ ମୁସଲମାନ ୱାକଫ୍ (ରଦ୍ଦ) ବିଲ୍, ୨୦୨୪। ଏହି ବିଲ୍ ଗୁଡ଼ିକ ୱାକଫ୍ ବୋର୍ଡଗୁଡ଼ିକୁ ଅଧିକ ସୁରୁଖୁରୁରେ କାର୍ଯ୍ୟ କରିବା ଏବଂ ୱାକଫ୍ ସମ୍ପତ୍ତିଗୁଡ଼ିକୁ ଭଲ ଭାବରେ ପରିଚାଳନା କରିବା ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି। ମୁସଲମାନ ୱାକଫ୍ (ରଦ୍ଦ) ବିଲ୍, ୨୦୨୫ ମାଧ୍ୟମରେ ମୁସଲମାନ ୱାକଫ୍ ଆକ୍ଟ, ୧୯୨୩କୁ ଉଚ୍ଛେଦ କରାଯିବାର ଲକ୍ଷ୍ୟ ରହିଛି, ଯାହା ବ୍ରିଟିଶ ଶାସନ ସମୟରେ ସୃଷ୍ଟି ହୋଇଥିଲା ଏବଂ ବର୍ତ୍ତମାନ ନିଜର ପ୍ରାସଙ୍ଗିକତା ହରାଇଛି। ଏହି ପୁରୁଣା ଆଇନକୁ ହଟାଇବା ଦ୍ୱାରା ପୁରୁଣା ଆଇନ ଦ୍ୱାରା ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରି ଓ୍ବକଫ୍ ଆଇନ, ୧୯୯୫ ଅଧୀନରେ ଏକ ଅଧିକ ନିରନ୍ତର, ସ୍ୱଚ୍ଛ ଏବଂ ଉତ୍ତରଦାୟୀ ବ୍ୟବସ୍ଥା ସୃଷ୍ଟି କରିବାରେ ସହାୟକ ହେବ।
ପୂର୍ବ ଆଇନର ତ୍ରୁଟିକୁ ଦୂର କରିବା ଏବଂ ଆଇନର ନାମ ପରିବର୍ତ୍ତନ ଭଳି ପରିବର୍ତ୍ତନ ଆଣି ୱକଫ ବୋର୍ଡର ଦକ୍ଷତା ବୃଦ୍ଧି କରିବା। ପଞ୍ଜୀକରଣ ପ୍ରକ୍ରିୟାରେ ଉନ୍ନତି ଆଣିବା ସହିତ ୱକଫ୍ ରେକର୍ଡ ପରିଚାଳନାରେ ପ୍ରଯୁକ୍ତିବିଦ୍ୟାର ଭୂମିକା ବୃଦ୍ଧି କରିବା। ରାଜ୍ୟ ୱକଫ ବୋର୍ଡ (ଏସଡବ୍ଲ୍ୟୁବି) ପ୍ରତ୍ୟେକ ରାଜ୍ୟରେ ୱକଫ୍ ସମ୍ପତ୍ତିର ପରିଚାଳନା ଏବଂ ସୁରକ୍ଷା ଦେଇଥାଏ। ୱକଫ୍ ନ୍ୟାୟାଳୟର ନିଷ୍ପତ୍ତିକୁ ଉଚ୍ଚ ଅଦାଲତରେ ଚାଲେଞ୍ଜ୍ କରାଯାଇପାରିବ ନାହିଁ। ଏହା ୱାକଫ୍ ପରିଚାଳନାରେ ସ୍ୱଚ୍ଛତା ହ୍ରାସ କରିଥାଏ। ତେବେ, ଏହାର ପ୍ରଭାବ ଅନେକ ସମୟରେ ପରିଚାଳନାଗତ ଅବ୍ୟବସ୍ଥା, ଜବରଦଖଲ ଏବଂ ସ୍ୱଚ୍ଛତାର ଅଭାବ କାରଣରୁ ହ୍ରାସ ପାଇଛି।
ଏସବୁ ସମସ୍ୟା ଦୂର କରିବା ନୂଆ ବିଲର ଉଦ୍ଦେଶ୍ୟ। କେତେକ ରାଜ୍ୟ ୱାକଫ୍ ବୋର୍ଡ ସେମାନଙ୍କ କ୍ଷମତାର ଅପବ୍ୟବହାର କରିଛନ୍ତି, ଯାହା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିଛି। ୱାକଫ୍ ଆଇନ ଧାରା ୪୦ର ବ୍ୟାପକ ଅପବ୍ୟବହାର କରାଯାଇ ଘରୋଇ ସମ୍ପତ୍ତିକୁ ୱାକଫ୍ ସମ୍ପତ୍ତି ବୋଲି ଘୋଷଣା କରାଯାଇଛି, ଯାହା ଆଇନଗତ ଲଢ଼େଇ ଏବଂ ଅଶାନ୍ତି ସୃଷ୍ଟି କରିଛି। ୩୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ସୂଚନା ଅନୁଯାୟୀ, କେବଳ ୮ଟି ରାଜ୍ୟ ଦ୍ୱାରା ତଥ୍ୟ ଦିଆଯାଇଛି ଯେଉଁଠାରେ ଧାରା ୪୦ ଅନୁଯାୟୀ ୫୧୫ଟି ସମ୍ପତ୍ତିକୁ ୱାକଫ ଭାବେ ଘୋଷଣା କରାଯାଇଛି।
କାହିଁକି ଏହା ପ୍ରଚଳିତ ହେଲା
ପ୍ରଭାବିତ ଅଂଶୀଦାରଙ୍କ ସମସ୍ୟାର ସମାଧାନ ପାଇଁ ଆଇନରେ ଉପଯୁକ୍ତ ସଂଶୋଧନ କରିବା ପାଇଁ ସହମତି ପ୍ରକାଶ ପାଇଥିଲା। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ବିଭିନ୍ନ ଅଂଶୀଦାରଙ୍କ ସହ ପରାମର୍ଶ କରିଥିଲା। ଯେଉଁଥିରେ ସଚ୍ଚର କମିଟିର ରିପୋର୍ଟ, ଜନ ପ୍ରତିନିଧି, ଗଣମାଧ୍ୟମ ଏବଂ ସାଧାରଣ ଜନତାଙ୍କ ଦ୍ୱାରା ଅପବ୍ୟବହାର, ୱକଫ୍ ଆଇନର କ୍ଷମତାର ଅପବ୍ୟବହାର ଏବଂ ୱକଫ୍ ଅନୁଷ୍ଠାନଗୁଡ଼ିକ ଦ୍ୱାରା ୱକଫ୍ ସମ୍ପତ୍ତିର ଅପବ୍ୟବହାର ବିଷୟରେ ଚିନ୍ତା ବ୍ୟକ୍ତ କରାଯାଇଥିଲା। ମନ୍ତ୍ରଣାଳୟ ରାଜ୍ୟ ୱକଫ ବୋର୍ଡ ସହିତ ମଧ୍ୟ ପରାମର୍ଶ କରିଥିଲା। ମନ୍ତ୍ରଣାଳୟ ୱାକଫ୍ ଆଇନ, ୧୯୯୫ର ବ୍ୟବସ୍ଥାଗୁଡ଼ିକର ସମୀକ୍ଷା ପ୍ରକ୍ରିୟା ଆରମ୍ଭ କରିଥିଲା ଏବଂ ଅଂଶୀଦାରମାନଙ୍କ ସହିତ ପରାମର୍ଶ କରିଥିଲା।
ୱକଫ୍ ଆଇନରେ ସଂଶୋଧନ ପୂର୍ବରୁ ସରକାର ଯୁଗ୍ମ ସଂସଦୀୟ କମିଟି ଗଠନ କରିଛନ୍ତି। ଏଥିରେ ସଦସ୍ୟ ଥିବା ୨୧ ଲୋକସଭା ଏବଂ ୧୦ ରାଜ୍ୟସଭା ସାଂସଦ ବିଲକୁ ଅନୁଧ୍ୟାନ କରିବା ସହିତ ବିଭିନ୍ନ ଅଂଶୀଦାରଙ୍କ ସହ ୩୬ଟି ବୈଠକରେ ଆଲୋଚନା କରିଛନ୍ତି। କମିଟିକୁ ମୋଟ୍ ୯୭ ଲକ୍ଷ ୨୭ ହଜାର ୭୭୨ଟି ସ୍ମାରକପତ୍ର ମିଳିଛି। କମିଟି ୨୪ଟି ରାଜ୍ୟ ୱକଫ୍ ବୋର୍ଡ ସହ ଆଲୋଚନା କରିଛି। ଯୁଗ୍ମ ସଂସଦୀୟ କମିଟି ଜାନୁଆରୀ ୩୧ ତାରିଖରେ ରିପୋର୍ଟ ଦାଖଲ କରିଥିବା ବେଳେ ୧୩ ଫେବୃଆରୀ ୨୦୨୫ରେ ଏହି ରିପୋର୍ଟ ସଂସଦର ଉଭୟ ସଦନରେ ଦାଖଲ କରାଯାଇଛି। ସେପ୍ଟେମ୍ବର ୨୦୨୪ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ୫, ୯୭୩ଟି ସରକାରୀ ସମ୍ପତ୍ତିକୁ ୱକଫ୍ ସମ୍ପତ୍ତି ଭାବେ ଘୋଷଣା କରାଯାଇଥିବା ୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ବୋର୍ଡ ଘୋଷଣା କରିଛନ୍ତି।
ମହିଳା ସଶକ୍ତିକରଣକୁ ଗୁରୁତ୍ବ
ଅନେକ ପିଢ଼ି ଧରି, ୱକଫ୍ ସାମାଜିକ ଓ ଆର୍ଥିକ ସହାୟତା, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଜୀବିକା ପାଇଁ ଆର୍ଥିକ ସହାୟତାର ଏକ ସ୍ତମ୍ଭ ହୋଇ ରହିଛି। ତଥାପି ଏହାର ଲାଭ ପ୍ରାୟତଃ ମହିଳାଙ୍କୁ ମିଳିପାରି ନାହିଁ, ଯାହା ସେମାନଙ୍କୁ ସମ୍ବଳ ଏବଂ ନିଷ୍ପତ୍ତି ନେବାରେ ସୀମିତ ପ୍ରବେଶ ଦେଇଥାଏ। ୱକଫ୍ (ସଂଶୋଧନ) ବିଲ୍, ୨୦୨୫, ଏହାକୁ ପରିବର୍ତ୍ତନ କରିବାକୁ ବ୍ୟବସ୍ଥା କରିଛି। ଏହି ବିଲ୍ ମୁସଲମାନ ମହିଳାଙ୍କୁ ଉତ୍ତରାଧିକାରର ଉଚିତ ଅଂଶ ସୁରକ୍ଷିତ କରିବା, ଆର୍ଥିକ ସହାୟତା ପ୍ରଦାନ କରିବା ଏବଂ ପ୍ରଶାସନରେ ସେମାନଙ୍କର ଭୂମିକା ବୃଦ୍ଧି କରିବା ପାଇଁ, ନିରପେକ୍ଷତା ଓ ଅନ୍ତର୍ଭୂକ୍ତିକରଣ ଉପରେ ଧ୍ୟାନ ଦେବା ପାଇଁ ସଂସ୍କାର ନିମନ୍ତେ ବ୍ୟବସ୍ଥା କରିଛି।
ୱକଫ୍ (ସଂଶୋଧନ) ବିଲ୍, ୨୦୨୫ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ପାରିବାରିକ ୱକଫ୍ (ୱକଫ୍-ଅଲ-ଉଲାଦ) ଅଧୀନରେ ମହିଳାଙ୍କ ଉତ୍ତରାଧିକାରର ସୁରକ୍ଷା। ଏହି ବିଲ୍ ବିଧବା, ଛାଡପତ୍ର ପ୍ରାପ୍ତ ମହିଳା ଏବଂ ଅନାଥଙ୍କ ପାଇଁ ଆର୍ଥିକ ସହାୟତା ଅନ୍ତର୍ଭୁକ୍ତ କରିବା ପାଇଁ ୱକଫ୍-ଅଲ୍-ଉଲାଦର ପରିସରକୁ ବିସ୍ତାର କରେ। ଏହି ବିଲ୍ ମୁସଲମାନ ମହିଳାମାନଙ୍କ ମଧ୍ୟରେ ଆର୍ଥିକ ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା ପାଇଁ ଧନ୍ଦାମୂଳକ ତାଲିମ କେନ୍ଦ୍ର ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ପ୍ରତିଷ୍ଠା ପାଇଁ ସୁବିଧା ପ୍ରଦାନ କରିଥାଏ। ଏହି ପଦକ୍ଷେପଗୁଡିକ ମହିଳାମାନଙ୍କୁ ସ୍ୱାସ୍ଥ୍ୟସେବା, ଉଦ୍ୟୋଗ ପ୍ରତିଷ୍ଠା ଏବଂ ଫ୍ୟାଶନ ଡିଜାଇନ୍ ସମେତ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ହାସଲ କରିବାରେ ସାହାଯ୍ୟ କରିବ।
ବିଲ୍କୁ ନେଇ ମତ ଓ ମନ୍ତବ୍ୟ
ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଛି ବହୁ ପ୍ରତୀକ୍ଷିତ ୱକଫ ସଂଶୋଧନ ବିଲ୍। ସଂସଦୀୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିଲ୍ ଆଗତ କରିଛନ୍ତି। ବିଲ୍ ଉପସ୍ଥାପନ କରି ଏହାର କୌଣସି ଧାର୍ମିକ ବ୍ୟବସ୍ଥା ସହ ସମ୍ପର୍କ ନାହିଁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଲ୍ ଆଗତ ସମୟରେ ବିରୋଧୀ ପ୍ରବଳ ହୋ ହାଲ୍ଲା କରିଥିଲେ। ୧୯୯୫ରେ ଏପରି ନଥିଲା। ୨୦୧୩ରେ ପରିବର୍ତ୍ତନ ହୋଇଥିଲା। ବର୍ତ୍ତମାନ ଆମେ ଏହି ବ୍ୟବସ୍ଥାକୁ ପୁନଃସ୍ଥାପିତ କରିଛୁ।
କମିଟି ଏହା ଉପରେ ସୁବିଚାରିତ ରୂପରେ ମତ ରଖିଥିଲେ। ଏହା କ୍ୟାବିନେଟକୁ ଯାଇଥିଲା। ଏହା ସଂଶୋଧନ ହୋଇ ଆସିଲା। ଏହାକୁ ନେଇ ଜେପିସି ବନାଇବାକୁ ବିରୋଧୀ ହିଁ ଆଗ୍ରହୀ ଥିଲେ। ସେହିପରି ସଂଶୋଧନ ବିଲ୍କୁ ସମର୍ଥନ ନେଇ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ)ରେ ଫାଟ ସୃଷ୍ଟି ହୋଇଛି। ଦଳୀୟ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରି ଜେଡିୟୁର ୫ ନେତା ଇସ୍ତଫା ଦେଲେଣି। ଏହି ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା ରହିଛି। ଜନ ସୁରଜ ପାର୍ଟି ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବିଲ୍କୁ ଦୁର୍ଭାଗ୍ୟଜନକ କହିଛନ୍ତି। ଏହାକୁ ମୁଁ ହିନ୍ଦୁ ମୁସଲିମ ବିରୋଧରେ ଦେଖୁନାହିଁ।
ସଂସଦରେ ହଙ୍ଗାମା, କଂଗ୍ରେସର ବିରୋଧ
ବହୁ ପ୍ରତୀକ୍ଷିତ ୱକଫ ସଂଶୋଧନ ବିଲ୍ ଉପସ୍ଥାପିତ ହୋଇଛି। ଏହା ପୂର୍ବରୁ ବିଲ୍କୁ ଜୋରଦାର ବିରୋଧ କରିଛନ୍ତି ବିରୋଧୀ। ସଂସଦ ଆଗରେ ବିକ୍ଷୋଭ କରିଛନ୍ତି। କଂଗ୍ରେସ କଳା କୁର୍ତ୍ତା ପିନ୍ଧି ସଂସଦ ବାହାରେ ହଙ୍ଗାମା କରିଛନ୍ତି। ସାଂସଦ ଇମରାନ୍ ପ୍ରତାପଗ୍ରାହୀ ସଂସଦ ମକର ଦ୍ବାର ନିକଟରେ ହାତରେ ରିଜେକ୍ଟ ୱକଫ୍ ବିଲ୍ ଲେଖାଥିବା ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜେପି ସରକାର ରାଜନୀତି ପାଇଁ ତରବରିଆ ଭାବେ ଏହି ଆଇନ୍ ଆଣିଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ।
ୱକଫ ବିଲ୍ : ସୁପ୍ରିମକୋର୍ଟରେ ମାମଲା
କଂଗ୍ରେସ ଏବଂ ଏଆଇଏମ୍ଆଇଏମ୍ ନେତା ଅସାଦୁଦ୍ଦିନ ଓଓ୍ବାଇସି ବିବାଦୀୟ ବିଲ୍କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବାବେଳେ ଆମ୍ ଆଦ୍ମୀ ପାର୍ଟି (ଆପ୍) ବିଧାୟକ ଅମାନତୁଲ୍ଲା ଖାନ୍ ବିରୋଧ କରି ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେହିପରି ଏନ୍ଜିଓ ଆସୋସିଏଶନ ଫର୍ ଦି ପ୍ରୋଟେକ୍ଶନ ଅଫ୍ ସିଭିଲ୍ ରାଇଟ୍ସ (ଏପିସିଆର୍) ମଧ୍ୟ ବିଲ୍ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିଛି।
ୱକଫ୍ ସଂଶୋଧନ ବିଲ୍ କ’ଣ ?
୧୯୫୪ରେ ଜବାହାରଲାଲ ନେହେରୁଙ୍କ ସରକାର ସମୟରେ ୱକଫ୍ ବିଲ୍ ଆଇନ୍ ପାରିତ ହୋଇଥିଲା। ସେବେଠୁ ଆଇନରେ ଏକାଧିକ ସଂଶୋଧନ ହୋଇ ସାରିଛି। ୱକଫ୍ ବୋର୍ଡରେ ଏକ ସର୍ଭେ କମିଶନ ରହିଛି ଯାହା ଦାନ ସମ୍ପତ୍ତିର ହିସାବ ରଖେ। ବୋର୍ଡରେ ମୁସଲିମ ସାଂସଦ, ମୁସଲିମ ଆଇଏଏସ ଅଧିକାରୀଙ୍କୁ ସାମିଲ କରାଯାଏ। ୱକଫ୍ର ସମ୍ପତ୍ତି ସମ୍ପର୍କିତ ମାମଲାରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ଓ ଭୂମିକା ରହିବ। ସମ୍ପତ୍ତି ୱକଫ୍ର କି ନୁହେଁ, ତାହା ସ୍ଥିର କରିବାକୁ ରାଜ୍ୟ ସରକାର ଜିଲାପାଳଙ୍କ ଉପର ଅଧିକାରୀଙ୍କୁ ନିଯୁକ୍ତି କରିପାରନ୍ତି। ଜଣେ ୫ ବର୍ଷ ଇସଲାମ ଧର୍ମ ପାଳନ କରିଥିଲେ ହେଁ ନିଜ ସମ୍ପତ୍ତି ୱକଫ୍ କରିପାରିବେ। ୱକଫ୍ ପରିଷଦରେ ଦୁଇ-ଜଣ ଅଣ ମୁସଲମାନ ସଦସ୍ୟ ରହିବେ। ପୂର୍ବରୁ ୱକଫ୍ ସମ୍ପତ୍ତିର ସର୍ବେକ୍ଷଣ ଓ ତଦାରଖ ଜିଲାପାଳ କରୁଥିଲେ। ଏବେ ଜଣେ ବରିଷ୍ଠ ଅଧିକାରୀ ଏହା କରିପାରିବେ।
ଦେଶବାସୀଙ୍କୁ ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ
୧୩ ଘଣ୍ଟାର ମାରାଥନ ବିତର୍କ ପରେ ଅତି ସୁନ୍ଦର ନିଷ୍କର୍ଷ ବାହାରିଛି। ଏହାର ଫାଇଦା ଜନସାଧାରଣ ଏଣିକି ନେବେ। ସରକାରୀ ହେଉ କିମ୍ବା ବେସରକାରୀ ସମସ୍ତ ଜମି ଯାଞ୍ଚ ହେବା ଉଚିତ। ବଞ୍ଚିବାର ଅଧିକାର ସମସ୍ତଙ୍କର ରହିଛି। ଏକ ଭୁଲ୍ ଆଇନ୍ ଯୋଗୁଁ ଅନେକ ସମସ୍ୟା ଭୋଗିବାକୁ ପଡ଼ୁଥିଲା। ୧୯୧୩ରୁ ୨୦୧୩ ପର୍ଯ୍ୟନ୍ତ ୱକଫ ବୋର୍ଡର ମୋଟ ୧୮ ଲକ୍ଷ ଏକର ଜମି ଥିଲା। ୨୦୧୩ରୁ ୨୦୨୫ ପର୍ଯ୍ୟନ୍ତ ଆଇନର ପ୍ରଭାବରେ ଆଉ ନୂଆ ୨୧ ଲକ୍ଷ ଏକର ଜମି ବୃଦ୍ଧି ପାଇଥିଲା। ତାମିଲନାଡୁର ୧୫୦୦ ବର୍ଷ ପୁରୁଣା ତିରୁଚେନ୍ଦୁର ମନ୍ଦିରର ୪୦୦ ଏକର ଭୂମିକୁ ୱାକଫର ସମ୍ପତ୍ତି ଘୋଷଣା କରାଯାଇଥିଲା।
୨୦୦୧ରୁ ୨୦୧୨ ମଧ୍ୟରେ ୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ୱକଫ ସମ୍ପତ୍ତି ଘରୋଇ ପ୍ରତିଷ୍ଠାନକୁ ୧୦୦ ବର୍ଷ ପାଇଁ ଲିଜ୍ରେ ଦିଆଯାଇଛି। ଶେଷରେ ବେଙ୍ଗାଲୁରୁରେ ହାଇକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଯାହାଦ୍ୱାରା ୬୦୨ ଏକର ଜମି ଅଧିଗ୍ରହଣକୁ ରୋକାଯାଇଥିଲା। କଂଗ୍ରେସ ଏହି ବିଲ୍କୁ ଦୃଢ଼ ଭାବେ ବିରୋଧ କରୁଥିଲେ ବି ଦେଶବାସୀଙ୍କ ମଙ୍ଗଳ ପାଇଁ ଏହି ବିଲ୍ ଆଗତ କରାଯାଇଛି। ତେବେ ସମୟ ହିଁ କହିବ, ଏହି ପରିବର୍ତ୍ତିତ ବିଲ୍ ଲୋକଙ୍କ ହିତରେ ଆସୁଛି କି ନାହିଁ।
(ବି.ଦ୍ର- ଏହି ଲେଖାରେ ଥିବା ସମସ୍ତ ଆଲୋଚନା ସଂପୃକ୍ତ ଲେଖିକାଙ୍କ ନିଜସ୍ୱ ମତ)
Email id : : serveforthenation@gmail.com