ପରମବୀର ଚକ୍ର ବିଜେତା ସହିଦ ବିକ୍ରମ ବାତ୍ରା : ରିୟଲ୍ ’ଶେରଶାହ’ଙ୍କ ବୀରତ୍ୱର ଗାଥା

ଆଜି ତାଙ୍କ ଜନ୍ମତିଥିରେ ମନେପଡ଼େ ସହିଦ ବୀର ଯବାନଙ୍କ ବୀରତ୍ୱର ଗାଥା । କାରଗିଲ୍ ଯୁଦ୍ଧରେ ତାଙ୍କର କୋଡ୍ ଥିଲା ’ଶେରଶାହ’ । ଶତ୍ରୁର ଘନଘନ ଗୁଳିବର୍ଷା ଭିତରେ ମୁକ୍ତିର ରଙ୍ଗକୁ ସେ ଫିକା ପଡ଼ିବାକୁ ଦେଇନଥିଲେ । ଦେଶମାତୃକା ଆଉ ସମାଜ ପାଇଁ କାରଗିଲ ହିରୋ ନିଜ ଜୀବନକୁ ଅର୍ଘ୍ୟ ଦେଇ ଦେଇଥିଲେ

Vikram Batra

Vikram Batra Birth Anniversary: ପରମବୀର ଚକ୍ର ବିଜେତା ସହିଦ ବିକ୍ରମ ବାତ୍ରା । ମୃତ୍ୟୁକୁ ଆଖିରେ ଆଖି ମିଶାଇ କଥା କହୁଥିଲେ ସାହସୀ ପୁତ୍ର । ଜଣେ ନିଡର ଆଉ ନିର୍ଭୟ ବୀର ଯବାନ । ଆଜି ତାଙ୍କ ଜନ୍ମତିଥିରେ ମନେପଡ଼େ ତାଙ୍କ ବୀରତ୍ୱର ଗାଥା । କାରଗିଲ୍ ଯୁଦ୍ଧରେ ତାଙ୍କର କୋଡ୍ ଥିଲା ’ଶେରଶାହ’ । ଶତ୍ରୁର ଘନଘନ ଗୁଳିବର୍ଷା ଭିତରେ ମୁକ୍ତିର ରଙ୍ଗକୁ ସେ ଫିକା ପଡ଼ିବାକୁ ଦେଇନଥିଲେ । ଦେଶମାତୃକା ଆଉ ସମାଜ ପାଇଁ କାରଗିଲ ହିରୋ ନିଜ ଜୀବନକୁ ଅର୍ଘ୍ୟ ଦେଇ ଦେଇଥିଲେ । ସଂଗ୍ରାମୀ ରକ୍ତରେ ଲାଲ୍ ହୋଇଯାଇଥିଲା ଘାଟି । ଆଉ ଶେଷରେ ସାଥୀ ଯବାନଙ୍କୁ ବଞ୍ଚାଇବା ପାଇଁ ହସି ହସି ପ୍ରାଣବଳୀ ଦେଇ ଦେଇଥିଲେ ।

ବିକ୍ରମ ବାତ୍ରା, ସେତେବେଳ ଜଣେ ୨୪ ବର୍ଷର ଯୁବକ, ଯାହାଙ୍କ ପ୍ରତିଟି ରକ୍ତ ବିନ୍ଦୁରେ ବହୁଥିଲା ଦେଶପ୍ରେମ । ମୁଁ କେତେବେଳେ କି କୌଣସି ପରିସ୍ଥିତିରେ ଅଟକି ପାରିବି ନାହିଁ । ତାଙ୍କର ୟେ ଦିଲ୍ ମାଙ୍ଗେ ମୋର୍ ଡାଇଲଗ୍ ସାଥୀ ଯବାନଙ୍କୁ ଅଧିକ ଉତ୍ସାହିତ କରୁଥିଲା । ଆଉ ତାଙ୍କ ଯୋଶ୍ ଦେଖି ସାଥୀମାନେ ଶତ୍ରୁ ଉପରେ କହର ବର୍ଷା କରୁଥିଲେ । ବୀର ପୁତ୍ରର ଅବିସ୍ମରଣୀୟ ସାହସର ଉଦାହରଣ ସବୁଦିନ ପାଇଁ ଇତିହାସ ପୃଷ୍ଠାରେ ଅମର ହୋଇ ରହିଛି । ଏବେ ବି ବିକ୍ରମ ବାତ୍ରାଙ୍କ କାହାଣୀ ଲକ୍ଷ ଲକ୍ଷ ଯୁବକଙ୍କୁ ପ୍ରେରଣା ଦିଏ ।

ଭାରତୀୟ ସେନାର ବୀର ଅଫିସର୍ କ୍ୟାପଟେନ ବିକ୍ରମ ବାତ୍ରା । ୧୯୯୯ରେ କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଏହି ସାହସୀ ସହିଦ ସେପ୍ଟେମ୍ବର ୯, ୧୯୭୪ରେ ଜନ୍ମଗ୍ରହଣ କରିଥିଲେ । ହିମାଚଳ ପ୍ରଦେଶର ପାଲାମପୁରରେ ଜନ୍ମଗ୍ରହଣ କରିଥିଲେ ଭାରତ ମାତାର ସୁପୁତ୍ର ବିକ୍ରମ ବାତ୍ରା । ସେତେବେଳ ସମୟରେ ସମସ୍ତଙ୍କ ଘରେ ଟିଭି ନଥିଲା। ଆଉ ବିକ୍ରମ ତାଙ୍କ ଯାଆଁଳା ଭାଇ ବିଶାଲଙ୍କ ସହ ପଡୋଶୀଙ୍କ ଘରକୁ ଟିଭି ଦେଖିବା ପାଇଁ ଯାଉଥିଲେ । ସେହି ସମୟରେ ଦୂରଦର୍ଶନରେ 'ପରମବୀର' ଧାରାବାହିକ ପ୍ରସାରିତ ହେଉଥିଲା । ଆଉ ଏହାର କାହାଣୀ ଭାରତୀୟ ସେନାର ସାହସିକତାର ଉପରେ ଆଧାରିତ ଥିଲା । ପିଲାବେଳୁ ଏହି ସିରିଏଲର କାହାଣୀ ବିକ୍ରମଙ୍କ ଉପରେ ଗଭୀର ଛାପ ଛାଡ଼ିଥିଲା । ଖେଳିବା ବୟସରେ ସେ ଜୀବନର ଲକ୍ଷ୍ୟ ସ୍ଥିର କରିନେଇଥିଲେ । ସେନାରେ ଯୋଗ ଦେଇ ପରମବୀର ହେବାକୁ ଚାହୁଁଥିଲେ ବିକ୍ରମ୍ ବାତ୍ରା ।

ସାହସୀ ବୀର ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପିଲାଦିନୁ ଉଦ୍ୟମ ଆରମ୍ଭ କରିଦେଇଥିଲେ । ଛୋଟବେଳେ ନିଜ ସାହସ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିଲେ ବିକ୍ରମ । ପଢ଼ାପଢ଼ିରେ ଅତ୍ୟନ୍ତ ମେଧାବୀ ହେବା ସହ ସେ ମର୍ଚାଣ୍ଟ ନେଭିରେ ଚାକିରି ପାଇଁ ମନୋନୀତ ହୋଇଥିଲେ । ହେଲେ ମୋଟା ଅଙ୍କର ଦରମା ତାଙ୍କୁ ଲକ୍ଷ୍ୟସ୍ଥଳରୁ ବିଚ୍ୟୁତ କରିପାରି ନଥିଲା । ସେନାରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ୧୯୯୫ରେ ସେ IMA ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ସେପ୍ଟେମ୍ବର ୬, ୧୯୯୭ ରେ ଜମ୍ମୁର ସୋପୋରରେ ସେନାର ୧୩ ଜମ୍ମୁ କାଶ୍ମୀର ରାଇଫଲରେ ଲେଫ୍ଟନାଣ୍ଟ ଭାବରେ ନିଯୁକ୍ତ ହୋଇଥିଲେ ବିକ୍ରମ ବାତ୍ରା । ସେ ୧୯୯୯ ରେ କମାଣ୍ଡୋ ଟ୍ରେନିଂ ସହିତ ଅନେକ ଟ୍ରେନିଂ ମଧ୍ୟ ନେଇଥିଲେ । ୧ ଜୁନ୍ ୧୯୯୯ରେ ତାଙ୍କ ସେନା ଟୁକଡିକୁ କାରଗିଲ ଯୁଦ୍ଧକୁ ପଠାଯାଇଥିଲା । ହମ୍ପ ଏବଂ ରାକି ବିଜୟ ପରେ ବିକ୍ରମଙ୍କୁ କ୍ୟାପଟେନକୁ ପ୍ରମୋସନ୍ କରାଯାଇଥିଲା ।

କାରଗିଲ ଯୁଦ୍ଧ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ବିକ୍ରମ ଘରକୁ ଯାଇଥିଲା । ଆଉ ସେଠାରେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ସତର୍କ ରହିବାକୁ କହିଥିଲେ । ଆଉ ଏହାର ଉତ୍ତରରେ ବିକ୍ରମ କହିଥିଲେ - ବ୍ୟସ୍ତ ହଅନା, ତ୍ରିରଙ୍ଗା ଲହରେଇ ଆସିବି କିମ୍ବା ତ୍ରିରଙ୍ଗାରେ ଗୁଡ଼େଇ ହୋଇ ଆସିବି । କିନ୍ତୁ ନିଶ୍ଚୟ ଫେରିବି ।

କାରଗିଲରେ ତାଙ୍କ କମାଣ୍ଡିଂ ଅଫିସର କର୍ଣ୍ଣେଲ ଯୋଗେଶ ଯୋଶୀ ତାଙ୍କୁ ୫୧୪୦ ଆଉଟପୋଷ୍ଟ ଜୟ କରିବାର ଦାୟିତ୍ୱ ଦେଇଥିଲେ । ଆଉ ତାଙ୍କର କୋଡ୍ ନେମ୍ ଥିଲା ଶେରଶାହ । କ୍ୟାପଟେନ୍ ବାତ୍ରାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଅପରେସନ । ତେବେ ୫୧୪୦ ଶିଖରକୁ ଅକ୍ତିଆର କରିବା ସହ ତ୍ରିରଙ୍ଗା ଲହରାଇବା ପରେ ବିକ୍ରମ ନିଜ ଅଫିସରଙ୍କୁ ବାର୍ତ୍ତା ପଠାଇଥିଲେ, 'ୟେ ଦିଲ ମାଙ୍ଗେ ମୋର୍ । ତାଙ୍କର ସେହି ଡାଏଲଗ୍ ଆଜି ବି ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଲୋକପ୍ରିୟ ।

ବନ୍ଧୁଙ୍କୁ ବଞ୍ଚାଇବା ପାଇଁ ଗୁଳି ଖାଇଥିଲେ

ଅପରେସନ ଦ୍ରାସରେ ଭାରତୀୟ ଯବାନମାନେ ପଥର ଆଢ଼ୁଆଳରେ ରହି ଉପରୁ ଗୁଳିବର୍ଷା କରୁଥିବା ଶତ୍ରୁକୁ ଆକ୍ରମଣ କରୁଥିଲେ । ଆଉ ସେତିକିବେଳେ ତାଙ୍କର ଜଣେ ସାଥୀଙ୍କୁ ଗୁଳି ଲାଗିଥିଲା । ବୀର ବିକ୍ରମ ସାଥୀଙ୍କୁ କହିଥିଲେ, ଆମେ ଆମର ଆହତ ସାଥୀଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେଇଯିବା । ତେବେ ଏହାର ଉତ୍ତରରେ ତାଙ୍କ ଯବାନ ସାଥୀ କହିଥିଲେ, ଆହତ ଯବାନ ବଞ୍ଚି ପାରିବେ ପରି ଲାଗୁନି । ଏହା ଶୁଣି ବିକ୍ରମ ବହୁତ ରାଗି ଯାଇଗଲେ ଏବଂ କହିଲେ, ତୁମେ ଭୟ କରୁଛ ? ଆଉ ସାଥୀଙ୍କୁ କହିଥିଲେ ଯେ ତୁମର ପରିବାର ଏବଂ ପିଲାମାନେ ଅଛନ୍ତି । ମୁଁ ବର୍ତ୍ତମାନ ଅବିବାହିତ ଏହା କହି ସେ ଶତ୍ରୁ ଗୁଳିକୁ ଖାତିର ନକରି ସାଥୀଙ୍କୁ ବଞ୍ଚାଇବାକୁ ଆଗେଇ ଚାଲିଥିଲେ । ଆଉ ସେତେବେଳେ ତାଙ୍କୁ ଗୁଳି ଲାଗିଥିଲା ।