ଖୁନୀ ସଜାଇଲା ପବଜି ! ମା’କୁ ମାରି ମୃତଦେହ ସହ ୩ ଦିନ ରହିଲା ପୁଅ

ମୋବାଇଲରେ ଗେମ ଖେଳିବାକୁ ମନା କରିବାରୁ ମା’ଙ୍କୁ ଗୁଳି କରି ହତ୍ୟା କରିଛି ନାବାଳକ ପୁଅ

ପବଜି ପାଇଁ ମା’କୁ ନିର୍ମମ ହତ୍ୟା

ପବଜି ପାଇଁ ଖୁନୀ ଷଡ଼ଯନ୍ତ୍ର ରଚିଲା ପୁଅ । ମୋବାଇଲ ଗେମିଂର କୁଅଭ୍ୟାସ ମା’ର ଜୀବନ ନେଇଗଲା । ପବଜି ଖେଳିବା ପାଇଁ ମନା କରିବାରୁ ମା’ଙ୍କୁ ଗୁଳି କରି ହତ୍ୟା କଲା ନାବାଳକ ପୁଅ । ମଙ୍ଗଳବାର ରାତିରେ ଲକ୍ଷ୍ନୌର ଯମୁନାପୁରମ୍ କଲୋନୀରୁ ପୋଲିସ୍ କଣ୍ଟ୍ରୋଲ୍ ରୁମକୁ ଏକ କଲ୍‌ କରାଯାଇଥିଲା । ପଡୋଶୀ ଘରୁ ପ୍ରବଳ ଗନ୍ଧ ଆସୁଥିବା ଘର ଦେଇଥିଲେ ପଡ଼ୋଶୀ । ଖବର ପାଇ ଅଭିଯୁକ୍ତ ଘରେ ପହଞ୍ଚିଥିଲା ପୋଲିସ । ତେବେ କବାଟ ଖୋଲିବା ପରେ ପୋଲିସ୍‌ ବାବୁଙ୍କର ମଧ୍ୟ ହୋସ୍‌ ଉଡ଼ିଯାଇଥିଲା ।

୧୬ ବର୍ଷ ପିଲାଟି ତା’ ବାପାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକକୁ ଗୁଳି ଚଳାଇ ମା’କୁ ମାରି ଦେଇଥିଲା । ତେବେ ସେତିକି ନୁହେଁ, ମାକୁ ମାରିବା ପରେ ସେ ମୃତଦେହ ସହ ପ୍ରାୟ ୩ ଦିନ ପର୍ଯ୍ୟନ୍ତ କଟାଇଥିଲା । ସାଙ୍ଗରେ ଭଉଣୀ ଥିଲେ ସୁଦ୍ଧା ତାକୁ ମଧ୍ୟ ସେ ଧମକାଇ ରଖିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ମୋବାଇଲ ଗେମ୍‌ର ଭୟବହତାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି।

ପବଜି ଖେଳିବା ପାଇଁ ମନା କରୁଥିଲେ ମା’

ମୋବାଇଲ୍ ଖେଳର ନିଶା ପୁଅକୁ ଏକପ୍ରକାର ପାଗଳ କରି ଦେଇଥିଲା । ଏଥିପାଇଁ ନାବାଳକର ମା’ ସବୁବେଳେ ତାଙ୍କୁ ବାରଣ କରୁଥିଲେ । ଆଉ ଏଥିରେ ଉତକ୍ଷିପ୍ତ ହୋଇ ଏପରି ଚରମ ପଦକ୍ଷେପ ଉଠାଉଥିଲେ ପୁଅ । ତେବେ ଏହି ଘଟଣା ସମ୍ପର୍କରେ ପଚରାଉଚରା କରିବା ପରେ ଅଭିଯୁକ୍ତ ନାବାଳକ ନିଜ ଦୋଷ ସ୍ୱୀକାର କରିଛି ।

ମା’କୁ ହତ୍ୟା ପରେ ଭଉଣୀକୁ ଅନ୍ୟ କୋଠରୀରେ ତାଲା ପକାଇ ଦେଇଥିଲା

ଅଭିଯୁକ୍ତର ବାପା ପଶ୍ଚିମବଙ୍ଗରେ ଜଣେ ଯବାନ ଭାବେ କାମ କରୁଥିଲେ । ଘରେ ମା’ ଓ ପୁଅ, ଝିଅ ରହୁଥିଲେ । ତେବେ ପୁଅ ବାରମ୍ବାର ପବଜି ଖେଳୁଥିବାରୁ ମା ବିରକ୍ତ ହେଉଥିଲେ । ଖେଳିବା ପାଇଁ ମନା କରିବା ପରେ କ୍ରୋଧିତ ହୋଇ ଅଭିଯୁକ୍ତ ରବିବାର ମଧ୍ୟରାତ୍ରିରେ ମା’ଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲା । ଆଉ ତା’ ପରେ ମୃତ ଶରୀରକୁ ଏକ କୋଠରୀରେ ବନ୍ଦ କରିବା ସହ ସାନ ଭଉଣୀକୁ ଧମକ ଦେଇ ଅନ୍ୟ କୋଠରୀରେ ତାଲା ପକାଇ ଦେଇଥିଲା । ଆଉ ୩ ଦିନ ପର୍ଯ୍ୟନ୍ତ ମା’ର ମୃତ ଶରୀର ସହ ନିଜେ ରହିଥିଲା ।

ଦୁର୍ଗନ୍ଧ ହେବାରୁ ପଡ଼ୋଶୀଙ୍କୁ ସନ୍ଦେହ ହେଲା

ତେବେ ତିନି ଦିନ ହେବା ପରେ ମଧ୍ୟ ଘରୁ କେହି ବାହାରୁ ନଥିଲେ । ଧୀରେ ଧୀରେ ଘରୁ ଦୁର୍ଗନ୍ଧ ମଧ୍ୟ ବାହାରିଲା । ତେବେ ଦୁର୍ଗନ୍ଧ ନହେବା ପାଇଁ ଅଭିଯୁକ୍ତ ମା’ର ମୃତ ଶରୀର ଉପରେ ସବୁବେଳେ ରୁମ୍‌ ଫ୍ରେସନର୍‌ ମାରୁଥିଲେ । ହେଲେ ମୃତ ଶରୀରର ଦୁର୍ଗନ୍ଧ ଅସହ୍ୟ ହେବାରୁ ପଡ଼ୋଶୀ ଘରର ଲୋକେ ପୋଲିସ୍‌କୁ ଫୋନ୍‌ କରିଥିଲେ । ଆଉ ତା’ପରେ ପୋଲିସ୍‌ ପହଞ୍ଚିବା ପରେ ଘଟଣା ଉପରୁ ପରଦା ଉଠିଥିଲା ।