ଲୁହରେ ଲୁହରେ ଅନ୍ତିମ ବିଦାୟ । ହାତରେ ତ୍ରିରଙ୍ଗା, ହୃଦୟରେ ଗର୍ବ ଆଉ ଦୁଃଖ । ତାମିଲନାଡୁର ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ସହ ହେଲିକପ୍ଟର ଦୁର୍ଘଟଣାରେ ସହିଦ୍ ହୋଇଥିବା ବ୍ରିଗେଡିୟର ଲଖଓ୍ୱିନ୍ଦର ସିଂ ଲିଡରଙ୍କୁ ତାଙ୍କ ପତ୍ନୀ ଏବଂ ଝିଅ ଅନ୍ତିମ ବିଦାୟ ଜଣାଇଛନ୍ତି । ଦିଲ୍ଲୀ କ୍ୟାଣ୍ଟରର ବେରାର ସ୍କୋୟାରରେ ବ୍ରିଗେଡିୟର୍ ଲିଡରଙ୍କ ପତ୍ନୀ ଏବଂ ଝିଅ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତେବେ ଶ୍ରଦ୍ଧାଞ୍ଜଳି ଅର୍ପଣ କର ସମୟରେ ପତ୍ନୀ ପ୍ରଥମେ କଫିନକୁ ଚୁମ୍ବନ ଦେଇ ଫୁଲ ଅର୍ପଣ କରିଥିଲେ । ଆଉ ଦୀର୍ଘ ସମୟ ଧରି କଫିନକୁ ଜାବୁଡ଼ି ଧରି କାନ୍ଦୁଥିଲେ ।
ଆଉ ଅନ୍ତିମ ସଂସ୍କାର ପାଇଁ ନେବା ପୂର୍ବରୁ ଲିଡରଙ୍କ ମରଶରୀର ଉପରେ ଘୋଡ଼ାଯାଇଥିବା ତ୍ରିରଙ୍ଗା ସ୍ତ୍ରୀଙ୍କୁ ଅର୍ପଣ କରାଯାଇଥିଲା । ଆଉ ସେତିକିବେଳେ ସେ ନିଜକୁ ଆଉ ସମ୍ଭାଳି ପାରିଲେନି । ସାହସୀ ବ୍ରିଗେଡିୟରଙ୍କ ପତ୍ନୀ ହୋଇଥିଲେ ସୁଦ୍ଧା କୁନି ପୁଲାଙ୍କ ପରି କଇଁ କଇଁ କାନ୍ଦି ପକାଇଥଇଲେ । ଆଉ ତ୍ରିରଙ୍ଗାକୁ ଧରି ସ୍ୱାମୀଙ୍କ ଉଦ୍ଦେଶ୍ୟରେ ମଥାନତ କରିଥିଲେ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ମନ ଭରି କାନ୍ଦିଥିଲେ । ସ୍ୱାମୀଙ୍କୁ ହରାଇବାର ଦୁଃଖ ଏବଂ ଦେଶ ସେବା କରି ନିଜକୁ ଉତ୍ସର୍ଗ ହୋଇଥିବାର ମିଶ୍ରିତ ଅଭିବ୍ୟକ୍ତି ତାଙ୍କ ମୁହଁରେ ଦେଖାଯାଉଥିଲା ।
୧୩ ବର୍ଷର ଝିଅ ଅହାନା ଏବଂ ପତ୍ନୀଙ୍କୁ ଛାଡିଥିବା ଲିଡର୍ ନିକଟରେ ମେଜର ଜେନେରାଲ୍ ପଦବୀକୁ ପ୍ରମୋସନ୍ ହେବାର ଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଏହି ସମୟ ବ୍ରିଗେଡିୟଙ୍କୁ ପରିବାରକୁ ସାନ୍ତ୍ୱନା ଜଣାଉଥିବା ଦେଖିବାକୁ ମିଳିଥିଲା ।
ବ୍ରିଗେଡିୟର ଲଖଓ୍ୱିନ୍ଦର ସିଂ ଲିଡରଙ୍କୁ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ବ୍ରାର ସ୍କୋୟାରରେ ଦିବଂଗତ ବ୍ରିଗେଡିୟରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରଓ୍ୱଣେ, ନୌସେନା ମୁଖ୍ୟ ଆଡମିରାଲ୍ ଆର. ହରି କୁମାର ଓ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ବି. ଆର. ଚୌଧୁରୀ ମଧ୍ୟ ଲିଡରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ମଧ୍ୟ ବ୍ରାର୍ ସ୍କୋୟାରରେ ପହଞ୍ଚି ବ୍ରିଗେଡିୟର ଲିଡରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।