ଭୂସ୍ଖଳନ ପରଠୁ ଥରହର ହେଉଛି ଦେବଭୂମି : ଯୋଶୀମଠ ପରେ କାନ୍ଦୁଛି କର୍ଣ୍ଣପ୍ରୟାଗ

୩୦ରୁ ଅଧିକ ଘରେ ଫାଟ ପରେ ଥଇଥାନକୁ ନେଇ ଜନ ଅସନ୍ତୋଷ, ଯୋଶୀମଠ ବିପନ୍ନଙ୍କୁ ପ୍ରାଥମିକ ଭାବେ ଦେଢ଼ ଲକ୍ଷ ଲେଖାଏଁ ସହାୟତା

କର୍ଣ୍ଣପ୍ରୟାଗରେ ମଧ୍ୟ ଯୋଶୀମଠ ପରି ଅବସ୍ଥା

ଦେବଭୂମି ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାର କର୍ଣ୍ଣପ୍ରୟାଗ ସହର । ଯୋଶୀମଠ ଠାରୁ ଦୂରତା ୮୦ କିଲୋମିଟର । ଏଇଠି ବି ମାଟି ଦବିଛି, ଘର ଫାଟିଛି । ଯୋଶୀମଠ ଭଳି ଏଇଠି ବି ଶୁଭୁଛି ଧ୍ୱଂସର ପଦଧ୍ୱନୀ ।

କର୍ଣ୍ଣପ୍ରୟାଗର ଗବ୍ବର୍ ସିଂ କଷ୍ଟ ଉପାର୍ଜିତ ଟଙ୍କାରେ ଘର ଖଣ୍ଡେ କରିଥିଲେ । କିନ୍ତୁ ତାହା ଏବେ ଧରାଶାୟୀ ହେବାର ଅଶଶଙ୍କା ଦେଖାଦେଇଛି । ବେଡରୁମରୁ ବାରଣ୍ଡା ଯାଏଁ ଲମ୍ବିଯାଇଛି ବିପଦପୂର୍ଣ୍ଣ ଫାଟ । ଫାଟ ଦେଖି ଛାତିରେ ଛନକା ପଶିଯାଉଛି । ରାତିରେ ନିଦ ନାହିଁକି ପେଟରେ ଭୋକ ନାହିଁ । କାରଣ ପାଦ ତଳେ ଆଁ କରିଛି ମୃତ୍ୟୁର ଯନ୍ତା ।

କର୍ଣ୍ଣପ୍ରୟାଗରେ କେବଳ ଏହି ଗୋଟିଏ ଯୋଡ଼ିଏ ଘର ନୁହଁ । ଏଭଳି ଭାବେ ପ୍ରାୟ ୩୦ଟି ଘରେ ଏଭଳି ଫାଟ ସୃଷ୍ଟି ହୋଇଛି । ଏଠାକାର ଲୋକେ ସାଧାରଣତଃ ଗୋପାଳନ ଏବଂ ଦୁଗ୍ଧ ଚାଷ କରି ଜୀବିକା ନିର୍ବାହ କରନ୍ତି । ବର୍ଷ ବର୍ଷ ଧରି ରହି ଆସୁଛନ୍ତି ଏଠାରେ । କିନ୍ତୁ ଏଭଳି ବିପଦଜନକ ସ୍ଥିତି କେବେ ଉପୁଜିନଥିବା ଲୋକେ କହିଛନ୍ତି । ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯେଉଁ ସହଯୋଗ ମିଳିବା କଥା, ତାହା ମିଳିପାରୁନଥିବା ଅଭିଯୋଗ କରୁଛନ୍ତି । ସୁରକ୍ଷିତ ଥଇଥାନ ଏବଂ କ୍ଷତିପୂରଣ ପାଇଁ ଲୋକେ ଧାରଣା ଦେଇଥିବା କଥା ବି କହୁଛନ୍ତି ।

ଅଧିକ ପଢ଼ନ୍ତୁ: ଦବି ଦବି ଯାଉଛି ଯୋଶୀମଠ ସହର, ନଇଁ ଗଲାଣି କୋଠାବାଡ଼ି ! ପୋତି ହୋଇଯିବ କି ସହର..

ଏପଟେ କଟକଣା ସତ୍ତ୍ୱେ ଉତ୍ତରାଖଣ୍ଡର ଯୋଶୀମଠ ଅଂଚଳରେ ବିନା ଅନୁମତିରେ ଖନନ କାର୍ଯ୍ୟ ଚାଲିଛି । ବିଳମ୍ବିତ ରାତିରେ ବେଧଡକ ଖନନ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । କ୍ରସର ଦ୍ୱାରା ଖନନ ପରେ କ୍ରେନ ସହାୟତାରେ ପଥର ନିଆଯାଉଥିବା ଦେଖିବାକୁ ମିଳିଛି । ଯୋଶୀମଠ ଅଂଚଳରେ ୭ଶହରୁ ଅଧିକ ଘରେ ଫାଟ ସୃଷ୍ଟି ହେବା ପରେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏଥିସହ ଖନନ କାର୍ଯ୍ୟ ଉପରେ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି ।

ଯୋଶୀମଠକୁ ସାଧାରଣତଃ ଜ୍ୟୋତିର୍ମଠ ଭାବେ ବି ପରିଗଣିତ କରାଯାଏ । ଏଠାରେ ଆଦି ଶଙ୍କରାଚାର୍ଯ୍ୟଙ୍କ ପୀଠ ବି ରହିଛି । ଭୌଗୋଳିକ ସ୍ଥିତିକୁ ଦେଖି ୧୯୭୬ ମସିହାରେ ଚେତାବନୀ ମଧ୍ୟ ଦିଆଯାଇଥିଲା । ଏବେ ଏହି ଧାର୍ମିକ ଏବଂ ପଯର୍ୟଟନ ସହର ଯୋଶୀମଠ ସବୁଠୁ ବଡ଼ ବିପଦରେ ରହିଛି ।

ବର୍ତ୍ତମାନ ସୁଦ୍ଧା ଯୋଶୀମଠରେ ୭୨୩ଟି ଘରେ ଫାଟ ସୃଷ୍ଟି ହୋଇଥିବାବେଳେ ବିପନ୍ନଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସପ୍ତାହେ ପରେ ସର୍ଭେ କାର୍ଯ୍ୟ ସରିବ ଏବଂ ଏହାପରେ ଆହୁରି ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।