Advertisment

History of Pakistan-Occupied Kashmir: କିପରି ଖଣ୍ଡ ବିଖଣ୍ଡିତ ହେଲା କାଶ୍ମୀର,କ'ଣ କହୁଛି ଇତିହାସ ?

ଜାତିସଂଘରେ ପ୍ରସ୍ତାବ ଗୃହୀତ ହେବା ସତ୍ତ୍ୱେ ପାକିସ୍ତାନୀ ସେନା ପିଓକେରୁ ପ୍ରତ୍ୟାହାର କରି ନଥିଲା । ସେପ୍ଟେମ୍ବର ୧୯୫୨ରେ ଆଉ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହା ଅନୁଯାୟୀ ପାକିସ୍ତାନର ୩ ରୁ ୬ ହଜାର ସୈନିକ ଏବଂ ଭାରତର ୧୨ ରୁ ୧୮ ହଜାର ସୈନିକ କାଶ୍ମୀରରେ ରହିପାରିବେ।

ଅଦ୍ୟତନ ହୋଇଛି
କାଶ୍ମୀର କାହାଣୀ

କାଶ୍ମୀର କାହାଣୀ

Advertisment

ପୃଥିବୀର ସ୍ୱର୍ଗ ଭାବେ ଗୌରବ ବହନ କରେ କାଶ୍ମୀର । ନୈସର୍ଗିକ ସୌନ୍ଦର୍ଯ୍ୟ, ଐତିହ୍ୟ, ସମୃଦ୍ଧ ସଂସ୍କୃତି, ମନୋରମ ଉପତ୍ୟକା ଏବଂ କାଶ୍ମିର ଲୋକଙ୍କ ଆତିଥ୍ୟତା ପାଇଁ କାଶ୍ମୀର ଜଣାଶୁଣା  । ଦିନ ଥିଲା କାଶ୍ମୀର ଉପତ୍ୟକା ସୁଖ, ଶାନ୍ତି, ସମୃଦ୍ଧିର ପ୍ରତୀକ ଥିଲା । ହେଲେ ବିଭାଜନ ପରେ ଭାରତ ପରି ଏହି ଅଞ୍ଚଳ ମଧ୍ୟ ଖଣ୍ଡ ଖଣ୍ଡ ହୋଇଯାଇଥିଲା  । ପାକିସ୍ତାନର କୁଚକ୍ରାନ୍ତରେ ଲହୁଲୁହାଣ ହୋଇଯାଇଥିଲା ଅପରୂପ ଶୋଭାରେ ପରିପୂର୍ଣ୍ଣ କାଶ୍ମୀର।

Advertisment

ଗଡ଼ଜାତ ରାଜ୍ୟ ଗୁଡ଼ିକୁ ନିଜ ଇଚ୍ଛା ମୁତାବକ ଭାରତ କିମ୍ବା ପାକିସ୍ତାନରେ ମିଶିପାରିବେ ବୋଲି ଦେଶ ନିର୍ମାତାମାନେ ଅଧିକାର ପ୍ରଦାନ କରିଥିଲେ  । ଆଉ ଜମ୍ମୁ ଓ କାଶ୍ମୀରର ତତ୍କାଳୀନ ରାଜା ହରି ସିଂହ କାଶ୍ମୀରର ଉପତ୍ୟକାକୁ ସ୍ୱାଧୀନ ରହିବାକୁ ନିଷ୍ପତ୍ତି ନେଇଥିଲେ  । ହେଲେ ତାଙ୍କର ସ୍ୱପ୍ନ ପୂରଣ ହେବା ପୂର୍ବରୁ ପାକିସ୍ତାନ ଏହାକୁ ଛଡ଼ାଇ ନେବା ପାଇଁ ଏକ ଷଡ଼ଯନ୍ତ୍ର ରଚିଥିଲା । କାଶ୍ମୀରର ୭୮ ହଜାର ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳ ପାକିସ୍ତାନ ଦ୍ୱାରା ଅବୈଧ ଭାବରେ କବଜା କରି ନିଆଯାଇଥିଲା ଏବଂ ଏହାକୁ ପାକିସ୍ତାନ ଆଜାଦ କାଶ୍ମୀର ବୋଲି କହୁଛି । କିନ୍ତୁ ସତ୍ୟ ହେଉଛି ଏହା ସ୍ୱାଧୀନ କାଶ୍ମୀର ନୁହେଁ ବରଂ ଏହି ଅଞ୍ଚଳ ହେଲା ପାକିସ୍ତାନ ଅଧିକୃତ କାଶ୍ମୀର, ଯାହାକୁ ଆମେ ପିଓକେ କହୁ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯେତେବେଳେ ଉତ୍ତେଜନା ସୃଷ୍ଟି ହୁଏ, ପିଓକେର ନାମ ନିଶ୍ଚିତ ଭାବରେ ଆସେ। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ଲୋକ ପ୍ରାଣ ହରାଇଲେ। ଏହା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଥିଲା, କିନ୍ତୁ ବର୍ତ୍ତମାନ ଉଭୟ ଦେଶ ଯୁଦ୍ଧବିରତି ଘୋଷଣା କରିଛନ୍ତି ଏବଂ ଏବେ ଶାନ୍ତି ପ୍ରତିଷ୍ଠା ହୋଇଛି।

Advertisment

ହେଲେ ଏବେ ପୁଣି ପିଓକେକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି  ।   ଜମ୍ମୁ-କାଶ୍ମୀର ସହିତ ଜଡ଼ିତ ଯେକୌଣସି ପ୍ରସଙ୍ଗ ଦ୍ୱିପାକ୍ଷିକ, ସେଥିପାଇଁ କାଶ୍ମୀରକୁ ନେଇ ମଧ୍ୟସ୍ତତା କରାଯିବ ନାହିଁ। ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)କୁ ପାକିସ୍ତାନ ବର୍ତ୍ତମାନ ଖାଲିକରୁ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରୋକଠୋକ ଶୁଣାଇ ଦେଇଛନ୍ତି  ।  

କିପରି ଅସ୍ତିତ୍ୱ ପାଇଲା ପିଓକେ ?

୧୫ ଅଗଷ୍ଟ ୧୯୪୭ରେ ଭାରତକୁ ସ୍ୱାଧୀନତା ମିଳିଥିଲା ଏବଂ ସ୍ୱାଧୀନତା ସହିତ ଦେଶ ଦୁଇଟି ଭାଗରେ ବିଭକ୍ତ ହୋଇଥିଲା  । ଏହି ବିଭାଜନ ପରେ ଅଖଣ୍ଡ ଭାରତ ଭୂମି ଭାରତ ଏବଂ ପାକିସ୍ତାନ ଦୁଇଟି ପୃଥକ ଦେଶ ହୋଇଗଲା। ସେତେବେଳେ ଭାରତ ୫୦୦ ରୁ ଅଧିକ ଛୋଟ ଏବଂ ବଡ଼ ଗଡ଼ଜାତ ରାଜ୍ୟରେ ବିଭକ୍ତ ଥିଲା, କିନ୍ତୁ କିଛି ଗଡ଼ଜାତ ରାଜ୍ୟ ଥିଲେ, ଯେଉଁଗୁଡ଼ିକ ଭାରତ କିମ୍ବା ପାକିସ୍ତାନ ସହିତ ଯିବାକୁ ଚାହୁଁ ନଥିଲେ  । ଜମ୍ମୁ ଏବଂ କାଶ୍ମୀର ଗଡ଼ଜାତ ରାଜ୍ୟ ସେ ରାଜ୍ୟ ମଧ୍ୟରୁ ଗୋଟିଏ ଥଲା । ଏହି ରାଜ୍ୟର ଅଧିକାଂଶ ଜନସଂଖ୍ୟା ମୁସଲମାନ ଥିଲେ ଏବଂ ରାଜ୍ୟର ମହାରାଜା ହରି ସିଂହ ଥିଲେ ହିନ୍ଦୁ ।  ମହାରାଜା ହରି ସିଂହଙ୍କ ନିଷ୍ପତ୍ତି କ୍ରମେ ଜମ୍ମୁ ଏବଂ କାଶ୍ମୀର ସ୍ୱାଧୀନ ରାଜ୍ୟ ରହିଥିଲା ଏବଂ ଏହା ଭାରତ କିମ୍ବା ପାକିସ୍ତାନର ଅଂଶ ହେଲାନାହିଁ  । 

Advertisment

ହେଲେ ଭାରତ ବିଭାଜନ ପର ଠାରୁ କାଶ୍ମୀର ଉପରେ ପାକିସ୍ତାନର ଲୋଲୁପ ଦୃଷ୍ଟି ଥିଲା ଏବଂ କଳେ ବଳେ କୌଶଳେ ଏହାକୁ କବଜା କରିବାକୁ ଚାହୁଁଥିଲା  । ୨୨ ଅକ୍ଟୋବର ୧୯୪୭ରେ ପାକିସ୍ତାନରୁ ହଜାର ହଜାର ପସ୍ତୁନ ଜନଜାତିର ଲୋକେ ଶହ ଶହ ଟ୍ରକ ଯୋଗେ ଆସି କାଶ୍ମୀରରେ ପ୍ରବେଶ କରିଥିଲେ  । ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା ଯେ କୌଣସି ପ୍ରକାରେ କାଶ୍ମୀରକୁ ପାକିସ୍ତାନରେ ମିଶ୍ରଣ କରିବା । ଏହି ଜନଜାତିମାନଙ୍କୁ ପାକିସ୍ତାନ ସରକାର ଏବଂ ସେନାର ସମର୍ଥନ ମିଳିଥିଲା ।

କାଶ୍ମୀରକୁ କବଜା କରିନେଲେ ପସ୍ତୁନ ଜନଜାତି

ଦିନ ପରେ ଦିନ ବିତିଗଲା ଏବଂ ଏହି ଜନଜାତିର ଲୋକମାନେ ସ୍ୱାଧୀନ କାଶ୍ମୀର ରାଜ୍ୟର ବିଭିନ୍ନ ଅଂଶ ଦଖଲ କରି ଚାଲିଲେ। ପରିସ୍ଥିତି ଯେତେବେଳେ ନିୟନ୍ତ୍ରଣ ବାହାରକୁ ଚାଲିଗଲା, ଜମ୍ମୁ ଏବଂ କାଶ୍ମୀର ରାଜ୍ୟର ମହାରାଜା ହରି ସିଂହ ଭାରତଠାରୁ ସାହାଯ୍ୟ ଲୋଡ଼ିଲେ ଏବଂ ୨୭ ଅକ୍ଟୋବର ୧୯୪୭ରେ ମହାରାଜା ହରି ସିଂହ ଭାରତ ସହିତ ତାଙ୍କ ରାଜ୍ୟର ମିଶ୍ରଣର ଦଲିଲରେ ସ୍ୱାକ୍ଷର  କରିଥିଲେ  । ପରଦିନ ଅର୍ଥାତ୍ ୨୮ ଅକ୍ଟୋବରରେ ଭାରତୀୟ ସେନା କାଶ୍ମୀରରେ ପ୍ରବେଶ କରି ସମସ୍ତ ପାକିସ୍ତାନୀ ଜନଜାତିଙ୍କୁ ଘଉଡ଼ାଇବା ଆରମ୍ଭ କରିଥିଲା ।

ଜାତିସଂଘ ପର୍ଯ୍ୟନ୍ତ ପହଞ୍ଚିଗଲା ମାମଲା

ସେହି ସମୟରେ ଭାରତ ଏବଂ ପାକିସ୍ତାନ ଉଭୟର ସେନାମୁଖ୍ୟ ବ୍ରିଟିଶ ଥିଲେ ଏବଂ ତତ୍କାଳୀନ ଭାରତର ଗଭର୍ଣ୍ଣର ମାଉଣ୍ଟବ୍ୟାଟେନ ଭାରତ ଉପରେ ଚାପ ପକାଇଥିଲେ ଏବଂ ତାଙ୍କ ପରାମର୍ଶ କ୍ରମେ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଜାନୁଆରୀ ୧, ୧୯୪୮ ରେ ଏହି ମାମଲାକୁ ଜାତିସଂଘରେ ଉପସ୍ଥାପନ କରିଥିଲେ। ଏହି ପ୍ରସଙ୍ଗରେ ଜାତିସଂଘରୁ ଚାରୋଟି ପ୍ରସ୍ତାବ ଆସିଥିଲା, ଯାହା ମଧ୍ୟରୁ ପ୍ରଥମ ପ୍ରସ୍ତାବ ନମ୍ବର-୩୮ ଥିଲା, ଯେଉଁଥିରେ ଉଭୟ ପକ୍ଷଙ୍କୁ ସ୍ଥିତି ସ୍ୱାଭାବିକ କରିବା ପାଇଁ ଅପିଲ କରାଯାଇଥିଲା ଏବଂ ଏହା ମଧ୍ୟ କୁହାଯାଇଥିଲା  ସୁରକ୍ଷା ପରିଷଦର ସଦସ୍ୟମାନେ ଉଭୟ ଦେଶର ପ୍ରତିନିଧିଙ୍କୁ ଡାକି ସିଧାସଳଖ ଆଲୋଚନା କରିବା ଉଚିତ ।

ଏହା ପରେ, ୨୦ ଜାନୁଆରୀ ୧୯୪୮ରେ ପ୍ରସ୍ତାବ ନମ୍ବର-୩୯ ଆସିଥିଲା, ଯେଉଁଥିରେ ନିଷ୍ପତ୍ତି ନିଆଯାଇଥିଲା ଯେ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯିବ ଏବଂ ଭାରତ ଏବଂ ପାକିସ୍ତାନରୁ ଜଣେ ଲେଖାଏଁ ସଦସ୍ୟ ରହିବେ ଏବଂ ଉଭୟ ତୃତୀୟ ସଦସ୍ୟଙ୍କୁ ବାଛିବେ। ୨୧ ଏପ୍ରିଲ୍ ୧୯୪୮ରେ ପ୍ରସ୍ତାବ ନମ୍ବର ୪୭ ଗୃହୀତ ହୋଇଥିଲା, ଯେଉଁଥିରେ କାଶ୍ମୀରରେ ଏକ ଜନମତ ସଂଗ୍ରହ ପାଇଁ ସହମତି ପ୍ରକାଶ ପାଇଥିଲା।  ଅନ୍ୟପକ୍ଷରେ ପାକିସ୍ତାନୀ ଜନଜାତିମାନେ କାଶ୍ମୀରରୁ ଫେରିଯିବେ ବୋଲି ସର୍ତ୍ତ ରଖାଯାଇଥିଲା  । 

ପିଓକେ ଗଠନର କାହାଣୀ

ଶେଷରେ ଜୁନ୍ ୩, ୧୯୪୮ରେ, ପ୍ରସ୍ତାବ ନଂ ୫୧ ଗୃହୀତ ହୋଇଥିଲା  । ମିଳିତ ଜାତିସଂଘ କମିଶନ ଭାରତ-ପାକିସ୍ତାନ ଉଭୟ ଦେଶକୁ ପଠାଯିବ ବୋଲି ଏଥିରେ ନିଷ୍ପତ୍ତି ହୋଇଥିଲା। ଡିସେମ୍ବର ୧୯୪୮ରେ ଏହି କମିଶନ ତାଙ୍କର ରିପୋର୍ଟ ଦାଖଲ କରିଥିଲେ, ଯେଉଁଥିରେ ଜନମତ ଏବଂ ଯୁଦ୍ଧବିରତି ବିଷୟରେ ଆଲୋଚନା କରାଯାଇଥିଲା  । ଜାତିସଂଘରେ ଏହି ସମସ୍ତ ପ୍ରସଙ୍ଗର ସମାଧାନ ହେଉଥିବା ସମୟରେ ପାକିସ୍ତାନୀ ଜନଜାତିମାନେ କାଶ୍ମୀରର ଏକ ବଡ଼ ଅଞ୍ଚଳକୁ ଅବୈଧ ଭାବରେ ଦଖଲ କରି ନେଇଥିଲେ।

ଜାତିସଂଘର ମଧ୍ୟସ୍ଥତାରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଥିଲା  । କିନ୍ତୁ ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା, କାଶ୍ମୀରର ଯାହା ଅଂଶ ଭାରତର ଅଛି ତାହା ଭାରତ ପାଖରେ ରହିବ ଏବଂ ପାକିସ୍ତାନ ଦ୍ୱାରା ଅଧିକୃତ ଅଂଶ ଉପରେ ତା’ର ଅଧିକାର ରହିବ। 

କେବଳ ଏତିକି ନୁହେଁ ଜାତିସଂଘର ନିଷ୍ପତ୍ତି କ୍ରମେ ପାକିସ୍ତାନ କବଜାରେ ଥିବା ଅଞ୍ଚଳକୁ ଜମ୍ମୁ-କାଶ୍ମୀର ବିରୋଧରେ ବ୍ୟବହାର ନକରିବାକୁ ଏହି ରିଜୋଲ୍ୟୁସନରେ ଉଲ୍ଲେଖ କରାଯାଇଥିଲା । ହେଲେ ସମସ୍ତ ନିଷ୍ପତ୍ତିକୁ ଅମାନ୍ୟ କରି ପାକିସ୍ତାନ ଆଜିବି ପିଓକେ ଠାରେ ଆତଙ୍କବାଦୀଙ୍କ ପାଇଁ ଟ୍ରେନିଂ କ୍ୟାମ୍ପ କରି ଭାରତ ସହ ଜମ୍ମୁ-କାଶ୍ମୀରରେ ଅଶାନ୍ତିର ବାତାବରଣ ସୃଷ୍ଟି କରାଉଛି।

ବିଭାଜନ କିପରି ହେଲା?

କେନ୍ଦ୍ର ସରକାରଙ୍କ ଅନୁଯାୟୀ ପାକିସ୍ତାନ କାଶ୍ମୀରର ୭୮ ହଜାର ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳକୁ ଅବୈଧ ଭାବରେ ଦଖଲ କରି ରଖିଛି  । ଏହା ବ୍ୟତୀତ ୨ ମାର୍ଚ୍ଚ ୧୯୬୩ରେ ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଏକ ଚୁକ୍ତି ଅନୁଯାୟୀ ପାକିସ୍ତାନ ୫ ହଜାର ୧୮୦ ବର୍ଗ କିଲୋମିଟର ପିଓକେ ଚୀନ୍କୁ ଦେଇଥିଲା, ଯାହାକୁ ଅକ୍ସାଇ ଚୀନ୍ କୁହାଯାଏ। ପିଓକେ ପ୍ରକୃତରେ ଦୁଇଟି ଭାଗରେ ବିଭକ୍ତ। ପ୍ରଥମ- ଯାହାକୁ ପାକିସ୍ତାନ ଆଜାଦ କାଶ୍ମୀର ଏବଂ ଦ୍ୱିତୀୟ- ଗିଲଗିତ- ବଲ୍ଟିସ୍ତାନ ବୋଲି କହୁଛି। ଆଜାଦ କାଶ୍ମୀରର ଅଂଶ ଭାରତୀୟ କାଶ୍ମୀର ସଂଲଗ୍ନ ଥିବାବେଳେ ଗିଲଗିତ-ବଲ୍ଟିସ୍ତାନ କାଶ୍ମୀରର ଉତ୍ତର ଭାଗରେ ଲଦାଖ ସୀମାରେ ସ୍ଥିତ।

କାହିଁକି ସ୍ୱତନ୍ତ୍ର POK?

ରାଜନୈତିକ ଦୃଷ୍ଟିକୋଣରୁ ପିଓକେ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ ଏହାର ସୀମା ଅନେକ ଦେଶ ସହ ସଂଲଗ୍ନ। ପଶ୍ଚିମ ଦିଗରେ ଏହା ପାକିସ୍ତାନର ପଞ୍ଜାବ ପ୍ରଦେଶ ଏବଂ ଖାଇବର-ପଖତୁନଖ୍ୱା ସହିତ ସୀମାବଦ୍ଧ। ଉତ୍ତର-ପଶ୍ଚିମରେ ଆଫଗାନିସ୍ତାନର ୱାଖାନ କରିଡର, ଉତ୍ତରରେ ଚୀନ୍ ଏବଂ ପୂର୍ବରେ ଭାରତର ଜମ୍ମୁ ଏବଂ କାଶ୍ମୀର ସହିତ ସୀମାବଦ୍ଧ। ୧୯୪୯ ମସିହାରେ ପିଓକେର ନେତା ଏବଂ ପାକିସ୍ତାନ ସରକାରଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା, ଯାହାକୁ କରାଚୀ ଚୁକ୍ତିନାମା କୁହାଯାଏ।

ଏହି ଚୁକ୍ତିନାମା ଅନୁଯାୟୀ, ଆଜାଦ ଜମ୍ମୁ ଏବଂ କାଶ୍ମୀର ବା ପିଓକେର ନେତାମାନେ ଗିଲଗିତ-ବଲ୍ଟିସ୍ତାନକୁ ପାକିସ୍ତାନକୁ ହସ୍ତାନ୍ତର କରିଥିଲେ। ଆଜାଦ ଜମ୍ମୁ କାଶ୍ମୀର ଅର୍ଥାତ୍ ପିଓକେର ନିଜସ୍ୱ ସରକାର ଅଛି କିନ୍ତୁ ଏଠାକାର ସରକାର ଯେକୌଣସି ନିଷ୍ପତ୍ତି ନେବା ପାଇଁ ପାକିସ୍ତାନ ସରକାରଙ୍କ ଉପରେ ନିର୍ଭରଶୀଳ। ଏଠାରେ ଏକ ପୃଥକ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଏବଂ ଏକ ବିଧାନସଭା ମଧ୍ୟ ଅଛି।

ଏବେ ସ୍ଥିତି କ’ଣ?

ଜାତିସଂଘରେ ପ୍ରସ୍ତାବ ଗୃହୀତ ହେବା ସତ୍ତ୍ୱେ ପାକିସ୍ତାନୀ ସେନା ପିଓକେରୁ ପ୍ରତ୍ୟାହାର କରି ନଥିଲା । ସେପ୍ଟେମ୍ବର ୧୯୫୨ରେ ଆଉ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହା ଅନୁଯାୟୀ ପାକିସ୍ତାନର ୩ ରୁ ୬ ହଜାର ସୈନିକ ଏବଂ ଭାରତର ୧୨ ରୁ ୧୮ ହଜାର ସୈନିକ କାଶ୍ମୀରରେ ରହିପାରିବେ। ୧୯୭୧ ଯୁଦ୍ଧ ପରେ ୧୯୭୨ ମସିହାରେ ଦୁଇ ଦେଶ ମଧ୍ୟରେ ସିମଲା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ସିମଲା ଚୁକ୍ତିରେ ନିଷ୍ପତ୍ତି ନିଆଯାଇଥିଲା ଯେ କାଶ୍ମୀର ବିବାଦ ଆଲୋଚନାରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ। ଜାତିସଂଘ ମଧ୍ୟ ଏହି ପ୍ରସଙ୍ଗରେ ମୁଣ୍ଡ ଖେଳାଇବ ନାହିଁ ।

କେବଳ ଭାରତ ଏବଂ ପାକିସ୍ତାନ ମିଶି ଏହି ବିବାଦର ସମାଧାନ କରିବେ। କିନ୍ତୁ ପାକିସ୍ତାନ ଏହି ପ୍ରସଙ୍ଗକୁ ଅନ୍ତର୍ଜାତୀୟକରଣ କରିଚାଲିଲା। ପାକିସ୍ତାନୀ ନେତାମାନେ ପ୍ରାୟତଃ ଜାତିସଂଘରେ ଜାଣିଶୁଣି କାଶ୍ମୀର ପ୍ରସଙ୍ଗ ଉଠାଇଥାନ୍ତି।  ହେଲେ ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି, ଏହା ଦୁଇଟି ଦେଶ ମଧ୍ୟରେ ବିବାଦ ଏବଂ କୌଣସି ତୃତୀୟ ପକ୍ଷ ଏହି ମାମଲାରେ ହସ୍ତକ୍ଷେପ କରିବ ନାହିଁ। କାଶ୍ମୀର ସମସ୍ୟା ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ପାକିସ୍ତାନ ଆତଙ୍କବାଦ ମାଧ୍ୟମରେ କାଶ୍ମୀରର ପରିସ୍ଥିତିକୁ ଆହୁରି ଖରାପ କରୁଛି।

Indo-Pak War China Pakistan Kashmir Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ