ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ; ଜାରି ରହିବ ଆର୍ଥିକ ଅନଗ୍ରସରଙ୍କୁ ୧୦ ପ୍ରତିଶତ ରିଜର୍ଭେସନ

ସୁପ୍ରିମକୋର୍ଟର ୫ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରି ଆଜି ସଂରକ୍ଷଣ ସପକ୍ଷରେ ରାୟ ଦେଇଛନ୍ତି ।

EWS Quota

ଜାରି ରହିବ ଆର୍ଥିକ ପଛୁଆ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ । ସାଧାରଣ ବର୍ଗ ଗରିବଙ୍କୁ ମିଳିବ EWS ସଂରକ୍ଷଣ ସୁବିଧା । ଜାତି ଦୃଷ୍ଟିରୁ ଅସଂରକ୍ଷିତ ବର୍ଗଙ୍କୁ ଆର୍ଥିକ ଅନଗ୍ରସରତା ଭିତ୍ତିରେ ସଂରକ୍ଷଣ ଦେଉଥିବା ୧୦୩ ତମ ସମ୍ବିଧାନ ସଂଶୋଧନ ବା ୧୦ ପ୍ରତିଶତ EWS କୋଟା, ସମ୍ବିଧାନ ବିରୋଧୀ ନୁହେଁ ବୋଲି ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

୨୦୧୯ରେ ମୋଦି ସରକାର ଆଣିଥିବା ଏହି ସଂଶୋଧନକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ ୪୦ରୁ ଅଧିକ ଆବେଦନ ହୋଇଥିଲା । ଆପତ୍ତି ଉଠିଥିଲା ଯେ, SC-ST, OBC ଆଦି ସାମାଜିକ ପଛୁଆ ବର୍ଗଙ୍କୁ ଏଥିରୁ ବାଦ୍ ଦିଆଯାଇଥିବାରୁ ଏହା ଅସାମ୍ବିଧାନିକ । ଏଥିସହ କୌଣସି ସ୍ଥିତିରେ ସଂରକ୍ଷଣ ୫୦ ପ୍ରତିଶତ ଟପିପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ୧୯୯୨ ରାୟର ବିରୋଧୀ ।

ତେବେ ସୁପ୍ରିମକୋର୍ଟର ୫ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରି ଆଜି ସଂରକ୍ଷଣ ସପକ୍ଷରେ ରାୟ ଦେଇଛନ୍ତି । ୩ ଜଣ ନ୍ୟାୟାଧିଶ ଏହି ସଂରକ୍ଷଣକୁ ସମର୍ଥନ କରିଥିବା ବେଳେ, ରିଜର୍ଭେସନ ପଲିସିରେ ସଂସ୍କାର ଆସିବା ଉଚିତ ଏବଂ ଏହାର ଏକ ନିର୍ଦ୍ଦିଷ୍ଟ ସମୟସୀମା ନିର୍ଦ୍ଧାରିତ ହେବା ଦରକାର ବୋଲି ମତ ଦେଇଥିଲେ । ଅନ୍ୟପକ୍ଷରେ ଚିଫ୍ ଜଷ୍ଟିସ୍ ୟୁ.ୟୁ. ଲଳିତଙ୍କ ସମେତ ୨ଜଣ ବିଚାରପତି EWS ସଂରକ୍ଷଣକୁ ନାପସନ୍ଦ କରିଥିଲେ । ପରିଶେଷରେ ବହୁମତ ଭିତ୍ତିରେ ଏହି ରାୟ ପ୍ରକାଶ ପାଇଛି ଯେ, ଆର୍ଥିକ ଅନଗ୍ରସରମାନଙ୍କୁ ସଂରକ୍ଷଣ ସମ୍ବିଧାନର ନିୟମକୁ ଉଲ୍ଲଂଘନ କରୁନାହିଁ । ତେଣୁ ୧୦ ପ୍ରତିଶତ EWS କୋଟା ବଳବତ୍ତର ରହିବ ।

ବାର୍ଷିକ ୮ ଲକ୍ଷ ଟଙ୍କାରୁ କମ୍ ଆୟ ଥିବା ସାଧାରଣ ବର୍ଗ ପରିବାର ପାଇଁ  EWS କୋଟାରେ ଚାକିରି ଏବଂ ସ୍କୁଲ ଓ କଲେଜରେ ନାମଲେଖା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ରହିଛି । ଅନ୍ୟ କୌଣସି ସଂରକ୍ଷିତ ବର୍ଗଙ୍କୁ ପ୍ରଭାବିତ ନକରି ଏହା ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ନୂଆ ସୁଯୋଗ ଆଣିବ ବୋଲି କହିଥିଲେ କେନ୍ଦ୍ର ସରକାର । ତେବେ ଏହାକୁ ଲାଗୁ କରିବା ରାଜ୍ୟର ନିଜସ୍ୱ ନିଷ୍ପତ୍ତି ଉପରେ ନିର୍ଭର କରେ ।

କେନ୍ଦ୍ରର ଏହି ସମ୍ବିଧାନ ସଂଶୋଧନ ପରେ ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ଆସାମ ଓ ମିଜୋରାମ ସହିତ ଦିଲ୍ଲୀ, ଗୋଆ ଓ ଜାମ୍ମୁ-କାଶ୍ମୀର ଆଦି ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହାକୁ ଲାଗୁ କରିଥିଲେ । ଓଡ଼ିଶାରେ ମଧ୍ୟ ୨ ମାସ ତଳେ EWS କୋଟା ଲାଗୁ ହୋଇଛି ।

(ରିପୋର୍ଟ- କଟକରୁ ପ୍ରଭାତ ବିଷୋୟୀ, ଦିଲ୍ଲୀରୁ ଶିବାନନ୍ଦ ରାଉତ ଓ ଭୁବନେଶ୍ୱରରୁ ଜଗଦୀଶ ଦାସ)