‘ସ୍ପେସାଲ ୨୬’ ପରି ଆସିଲା ନକଲି ଟିମ୍ ! କଣ୍ଟ୍ରାକ୍ଟରଙ୍କ ଘରୁ ଲୁଟିଦେଲେ ୨୫ ଲକ୍ଷର କ୍ୟାସ୍ ଓ ସୁନାଗହଣା

ସିନେମା ଷ୍ଟାଇଲରେ କଣ୍ଟ୍ରାକ୍ଟରଙ୍କ ଘର ଲୁଟିଲେ । ‘ସ୍ପେସାଲ ୨୬’ ପରି ନକଲି ଟିମ୍ ଆସି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା ଓ ସୁନାଗହଣା ।

ସାଙ୍କେତିକ ଚିତ୍ର

ଆସିଲା ନକଲି ଟିମ୍ । ଲୁଟିନେଲେ ଟଙ୍କା, ସୁନାଗହଣା । ବିହାରର ଲଖିସରାୟରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ସିନେମା 'ସ୍ପେଶାଲ ୨୬' ପରି ନକଲି ଆୟକର ଚଢ଼ାଉ ଦେଖିବାକୁ ମିଳିଛି । ବାଲି କଣ୍ଟ୍ରାକ୍ଟରଙ୍କ ଘରେ ଆୟକର ଅଧିକାରୀ ଭାବରେ ପରିଚୟ ଦେଇ ସାତଜଣ ଦୁର୍ବୃତ୍ତ ୨୫ ଲକ୍ଷ ଟଙ୍କା ନଗଦ ଟଙ୍କା ଏବଂ ଅଳଙ୍କାର ନେଇ ଫେରାର ମାରିଛନ୍ତି ।

ଅନୁସନ୍ଧାନର ବାହାନା କରି ଦୁର୍ବୃତ୍ତମାନେ କଣ୍ଟ୍ରାକ୍ଟର ସଞ୍ଜୟ କୁମାର ସିଂଙ୍କ ଘରକୁ ଆସିଥିଲେ । ତେବେ ନକଲି ଟିମ୍‌ ସମ୍ପର୍କରେ ସନ୍ଦେହ ହେବାରୁ ପରିବାର ସଦସ୍ୟ ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତେବେ ସଂପୂର୍ଣ୍ଣ ଘଟଣା ଘରେ ଥିବା ସିସିଟିଭିରେ କଏଦ ହୋଇଛି । ପୋଲିସ ସିସିଟିଭି ଫୁଟେଜକୁ ଦେଖି ଅପରାଧୀଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି।

ସୋମବାର ଅପରାହ୍ନରେ ସ୍କର୍ପିଓ ଗାଡିରେ ପାଞ୍ଚ ଜଣ ପୁରୁଷ ଏବଂ ଦୁଇଜଣ ମହିଳା ବାଲି କଣ୍ଟ୍ରାକ୍ଟର ସଞ୍ଜୟ କୁମାର ସିଂଙ୍କ ଘରେ ପହଞ୍ଚିଥିଲେ । ଘରେ ପହଞ୍ଚିବା ପରେ ଘରେ ବେଆଇନ୍ ଅସ୍ତ୍ରଶସ୍ତ୍ର ଥିବା ନେଇ ସେ ଅନୁସନ୍ଧାନ ଆରମ୍ଭ କରିଥିଲେ । ତେବେ ପରିବାର ସଦସ୍ୟ ଏହାକୁ ବିରୋଧ କରିବାରୁ ତାଙ୍କ ଠାରୁ ଆଲମାରିର ଚାବି ନେଇଯାଇଥିଲା । ସେମାନେ ନିଜକୁ ଇନକମ ଟ୍ୟାକ୍ସ ଅଧିକାରୀ ଦର୍ଶାଇ ଆଲମାରିରେ ଥିବା ନଗଦ ୨୫ ଲକ୍ଷ ଟଙ୍କା ଏବଂ ଲକ୍ଷ ଲକ୍ଷ ମୂଲ୍ୟର ଅଳଙ୍କାର ନେଇ ଫେରାର ମାରିଥିଲେ ।

ଘଟଣାଟି କାୱାୟା ପୋଲିସ ଷ୍ଟେସନ ଅଞ୍ଚଳରେ ବୋଲି କହିଛନ୍ତି ଏସଡିପିଓ ରଂଜନ କୁମାର କହିଛନ୍ତି । ଖବର ପାଇବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ବର୍ତ୍ତମାନ ଘରେ ଥିବା ସିସିଟିଭି ଫୁଟେଜ ଆଧାରରେ ଗାଡିର ନମ୍ବର ଖୋଜି ତଦନ୍ତ କରାଯାଉଛି । ଖୁବ ଶୀଘ୍ର ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।