ରାମ ମନ୍ଦିର ସେବାୟତଙ୍କ ଦରମା ବଢ଼ିଲା, ଜାଣନ୍ତୁ କେତେ ପାଇବେ ?

ଏକା ସାଙ୍ଗରେ ଦ୍ୱିଗୁଣିତ ହେଲା ରାମ ମନ୍ଦିର ସେବାୟତଙ୍କ ଦରମା । ଜାଣନ୍ତୁ କେତେ ପାଇବେ ଦରମା ?

Ram Temple

ଅଯୋଧ୍ୟା ରାମ ମନ୍ଦିର ସେବାୟତଙ୍କ ବଢିଲା ଦରମା । ଏକାସାଙ୍ଗରେ ଦ୍ୱିଗୁଣିତ ହେଲା ଦରମା । ପୂର୍ବରୁ ୧୫ ହଜାର ପାଉଥିବା ସେବାୟତ ଏବେ ୨୫ ହଜାର ପାଇବେ ଦରମା । ଆଉ ଦରମା ବଢିବା ପରେ ବେଶ୍‌ ଖୁସି ଅଛନ୍ତି ସେବାୟତ ।

ରାମଲାଲାଙ୍କ ପୂଜା କରିବାରେ ନିୟୋଜିତ ପୂଜାରୀ ଓ ସେବକଙ୍କ ପାଇଁ ଏବେ ଖୁସି ଖବର ଆସିଛି । ପୂର୍ବରୁ ପୂଜାରୀ ଓ ସେବକଙ୍କୁ କମ ଦରମା ମିଳୁଥିବା ବାରମ୍ବାର ଅଭିଯୋଗ ହେଉଥିଲା । ଯାହାକୁ ନେଇ ସେମାନଙ୍କ ଭିତରେ ଅସନ୍ତୋଷ ବି ଥିଲା । ହେଲେ ଦରମା କମ୍‌ର ବିଚାର କରିବା ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସେବାୟତଙ୍କ ଦରମା ବଢ଼ାଇବା ଲାଗି ନିଷ୍ପତ୍ତି ନେଇଛନ୍ତି ।

ଦରମା ବଢିବା ନେଇ ମନ୍ଦିର ଟ୍ରଷ୍ଟର ସଦସ୍ୟ ଡକ୍ଟର ଅନିଲ ମିଶ୍ରା କହିଛନ୍ତି, ରାମଲାଲାଙ୍କ ସେବାରେ ନିୟୋଜିତ ପୂଜାରୀଙ୍କୁ ସମ୍ମାନଜନକ ଦରମା ମିଳିବା ଉଚିତ । ତେଣୁ ଏହାକୁ ଧ୍ୟାନରେ ରଖି ଆମେ ପ୍ରତିବର୍ଷ ଦରମା ବଢାଉ ।

ବର୍ତ୍ତମାନ ସମୟରେ ସବୁ ସାମଗ୍ରୀର ଦରଦାମ ବଢିବାରେ ଲାଗିଛି । ତେଣୁ ପରିସ୍ଥିତିକୁ ନଜରରେ ରଖି ସେବାୟତଙ୍କର ବି ବଢିଛି ଦରମା । ବର୍ତ୍ତମାନ ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କୁ ମାସକୁ ୧୫ ହଜାର ଟଙ୍କା ବଦଳରେ ୨୫ ହଜାର ଟଙ୍କା ଦରମା ମିଳିବ । ଏହାସହ ସେବକଙ୍କୁ ୮ହଜାର ଟଙ୍କା ବଦଳରେ ୧୫,୦୦୦ ଟଙ୍କା ଦରମା ମିଳିବ ।

ମୁଖ୍ୟ ପୂଜାରୀଙ୍କ ସହ ଜଡ଼ିତ ସହକାରୀ ପୂଜାରୀଙ୍କ ଦରମା ମଧ୍ୟ ବୃଦ୍ଧି ପାଇଛି । ପୂର୍ବରୁ ସେମାନଙ୍କୁ ଦରମା ବାବଦରେ ୧୫ ହଜାର ଟଙ୍କା ମିଳୁଥିବା ବେଳେ ଏବେ ମିଳିବ ୨୦ ହଜାର ଟଙ୍କା । ତେବେ ବର୍ଦ୍ଧିତ ଦରମା ଚଳିତ ମାସରୁ ମିଳିବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।