ଭଉଣୀ ଘର ଯିବାକୁ କହିଲା ସ୍ତ୍ରୀ, ବାଇକରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଲା ସ୍ୱାମୀ 

ମଦୁଆ ସ୍ୱାମୀର ନାରକୀୟ କାଣ୍ଡ । ସ୍ତ୍ରୀକୁ ବାଇକ ପଛରେ ବାନ୍ଧି ଗାଁ ସାରା ଘୋଷାଡ଼ି ଘୋଷାଡ଼ି ନେଲା ସ୍ୱାମୀ ।

Rajasthan man drags wife

ମଦୁଆ ସ୍ୱାମୀର ନାରକୀୟ କାଣ୍ଡ । ସ୍ତ୍ରୀକୁ ବାଇକ ପଛରେ ବାନ୍ଧି ଗାଁ ସାରା ଘୋଷାଡ଼ି ଘୋଷାଡ଼ି ନେଲା ସ୍ୱାମୀ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ରାଜସ୍ଥାନର ନାଗୌର ଜିଲ୍ଲାରେ । ସାମାନ୍ୟ ଘଟଣାକୁ ନେଇ ସ୍ୱାମୀ ଏପରି କାଣ୍ଡ କରିଥିବା କୁହାଯାଉଛି । ସେହି ସମୟର ଭାଇରାଲ ଭିଡିଓ ଯେ କେହି ଦେଖିବେ ଦେହ ଥରି ଉଠିବ । ଭିଡିଓରେ ଜଣେ ମହିଳାଙ୍କ ଗୋଡ଼ ମୋଟରସାଇକେଲରେ ବନ୍ଧାଯାଇଛି ଓ ସେ ସାହାଯ୍ୟ ପାଇଁ ଚିତ୍କାର କରୁଛି କିନ୍ତୁ ଏହାକୁ କର୍ଣ୍ଣପାତ ନ କରି ଆବଡ଼ାଖାବଡ଼ା ରାସ୍ତାରେ ଘୋଷାଡ଼ି ନେଉଛି ମଦ୍ୟପ ବ୍ୟକ୍ତି ।

ବାଇକ ପଛରେ ଅତି ନିର୍ମମ ଭାବେ ସ୍ତ୍ରୀକୁ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଇଥିବା ବ୍ୟକ୍ତିର ନାମ ପ୍ରେମାରାମ ମେଘୱାଲ ବୋଲି ଜଣାପଡ଼ିଛି । ବୟସ ୩୨ କୁହାଯାଉଛି । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଆକ୍ସନ ମୋଡକୁ ଆସିଛି ସ୍ଥାନୀୟ ପୋଲିସ୍ । ସ୍ୱାମୀକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ୍ । ପୁରା ଘଟଣାର ସୁଟିଂ କରିଥିବା ବ୍ୟକ୍ତିଙ୍କ ସମେତ ପାଖରେ ଥିବା ଅନ୍ୟ କୌଣସି ବ୍ୟକ୍ତି ଏଥିରେ ହସ୍ତକ୍ଷେପ କରି ମହିଳାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିନଥିଲେ ।

ତେବେ ନାଗୌର ଏସପି ନାରାୟଣ ସିଂ ଟୋଗାସ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଅନୁସାରେ "ସ୍ୱାମୀଙ୍କ ଇଚ୍ଛା ବିରୁଦ୍ଧରେ ମହିଳା ଜଣଙ୍କ ତାଙ୍କ ଭଉଣୀ ଘରକୁ ଯାଇଥିଲେ । ସ୍ୱାମୀ ମନା କରିବା ସତ୍ତ୍ୱେ ସେ ଭଉଣୀ ପାଖକୁ ଯାଇଥିଲେ । ଏଥିରେ ରାଗିଯାଇ ସ୍ୱାମୀ ମୋଟର ସାଇକେଲ ପଛରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଇଥିଲେ ।"

ତେବେ ସ୍ଥାନୀୟ ଥାନାର ଜଣେ ASI ସୁରେନ୍ଦ୍ର କୁମାରଙ୍କ ସୂଚନା ଅନୁସାରେ ଏହି ଘଟଣା ଗୋଟିଏ ମାସ ତଳେ ଘଟିଥିଲା । ମହିଳା ଜଣଙ୍କ ଏବେ ତାଙ୍କ ସଂପର୍କୀୟଙ୍କ ସହିତ ରହୁଥିବାବେଳେ କୌଣସି ଅଭିଯୋଗ କରିନାହାନ୍ତି । ମାତ୍ର ସର୍ବସାଧାରଣରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ସୋମବାର ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।