ହୋମଗାର୍ଡଙ୍କ ଗୁଣ୍ଡାଗିରି : ଗାଡ଼ିରୁ ଘୋଷାଡ଼ି ଯୁବକଙ୍କୁ ନିର୍ଧୁମ୍ ଛେଚିଲେ

ମାଡ଼ ମାରି ଯୁବକଙ୍କ ଗୋଡ଼ ଭାଙ୍ଗିଦେଲେ ପୋଲିସ୍‌ ବାବୁ ।

ଖାକି ବର୍ଦ୍ଦିର ବହପ ଦେଖାଇଲେ ପୋଲିସ୍ ବାବୁ

ଖାକି ବର୍ଦ୍ଦିର ବହପ ଦେଖାଇଲେ ପୋଲିସ୍ ବାବୁ । ହରିୟାଣାର ରୋହତକରେ ଡ୍ୟୁଟିରେ ଥିବା ଜଣେ ହୋମଗାର୍ଡ ୟୁନିଫର୍ମରେ ମଦ୍ୟପାନ କରି ଜଣେ ବ୍ୟକ୍ତିଙ୍କୁ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସିସିଟିଭି ଫୁଟେଜରେ ବାବୁଙ୍କ ଦାଦାଗିରିର ସମ୍ପୂର୍ଣ୍ଣ ଭିଡିଓ କଏଦ୍ ହୋଇଛି । ଜଣେ ବାଇକ୍ ଆରୋହୀଙ୍କୁ ସେ ଭିଡ଼ ମଧ୍ୟରୁ ଟାଣି ନେଇ ତଳେ କଚାଡ଼ି ମାଡ଼ ମାରୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ବର୍ତ୍ତମାନ ପୀଡ଼ିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଚିକିତ୍ସିତ ହେଉଥିବା ଯୁବକଙ୍କ ଶରୀରର ଅନେକ ସ୍ଥାନରେ ଫାକଚର୍ ହୋଇଥିବା କହିଛନ୍ତି ଡାକ୍ତର ।

ଚଳିତ ମାସ ୧୩ ତାରିଖରେ ଏହି ଘଟଣା ଘଟିଛି । ପୋଲିସ୍ ବାବୁ ସୁନୀଲ ନାମକ ଯୁବକଙ୍କୁ ନିର୍ଧୁମ୍ ମାଡ଼ ମାରିଛନ୍ତି । ରୋହତକର ଶିଲା ବାଇପାସ୍ ଛକ ନିକଟରେ ହୋମଗାର୍ଡ ମନୁଦେବ ଯୁବକଙ୍କୁ ଆକ୍ରମଣ କରିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଘଟଣା ଦିନ ରାଜ୍ୟ ଗୃହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ ଏକ ବୈଠକରେ ଯୋଗ ଦେବାକୁ ରୋହତକ ଆସିଥିଲେ । ଆଉ ସେହି ସମୟରେ ହୋମଗାର୍ଡ ମନୁଦେବ ଓ ସୁନୀଲଙ୍କ ମଧରେ ଝଗଡ଼ା ହୋଇଥିଲା । ସୁନୀଲ କୌଣସି କାମରେ ଯିବାପାଇଁ ମନୁଦେବଙ୍କୁ ଅନୁରୋଧ କରୁଥିଲେ । ହେଲେ ରାଜ୍ୟ ଗୃହ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କାରକେଡକୁ ଅପେକ୍ଷା କରିଥିବାରୁ ସୁନୀଲଙ୍କୁ ଛାଡ଼ିବା ପାଇଁ ନାରାଜ ଥିଲେ ପୋଲିସ୍‌ ବାବୁ ।

ଆଉ ଏହାରି ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କାରକେଡ ଯିବାକ୍ଷଣି ହୋମଗାର୍ଡ ସୁନୀଲଙ୍କୁ ବାଇକରୁ ଘୋଷାଡ଼ି ତଳେ ପକାଇ ଦେଇଥିଲେ । ଆଉ ତା’ପରେ ଆରମ୍ଭ ହୋଇଥିଲା ଅତ୍ୟାଚାର । ଲାତ, ଗୋଇଠା, ମୁଥ, ମନଇଚ୍ଛା ବର୍ଷା କଲେ । ମଣିଷ ନୁହେଁ ତ ସତେ କି ପଶୁ ପରି ବ୍ୟବହାର । ଭିଡିଓରେ ସୁନୀଲଙ୍କ ଉପରେ ହୋଇଥିବା ଅତ୍ୟାଚାର ସ୍ପଷ୍ଟ ଦେଖିବାକୁ ମିଳୁଛି । ସେପଟେ ଏହି ଘଟଣା ପରେ ଓଲଟି ହୋମଗାର୍ଡ ଆହତ ସୁନୀଲଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରିଛନ୍ତି ।

ଅନ୍ୟପଟେ ପୋଲିସ୍ ଅତ୍ୟାଚାରର ଶିକାର ହୋଇ ସୁନୀଲ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେ ମଧ୍ୟ ମାଡ଼ ମାରିଥିବା ହୋମଗାର୍ଡ ମନୁଦେବଙ୍କ ବିରୋଧରେ ସିଭିଲ ଲାଇନରେ ଧାରା ୩୨୩,୫୦୬ ଆଇପିସି ଧାରା ଅଧୀନରେ ଏକ ମାମଲା ରୁଜୁ କରିଛନ୍ତି । ଉଭୟ ପକ୍ଷଙ୍କ ଅଭିଯୋଗ ପରେ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି ପୋଲିସ୍‌ ।