ଭାରତୀୟ ଇତିହାସରେ ଲେଖାଯିବ ସ୍ୱର୍ଣ୍ଣିମ ଅଧ୍ୟାୟ; ଦିନକ ପରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ

ସୋମବାର ପୂର୍ବାହ୍ଣ ୧୦ଟା ୧୪, ସାରା ଭାରତ ପାଇଁ ଅନନ୍ୟ ଏବଂ ଐତିହାସିକ ମୁହୂର୍ତ୍ତ । ପଛୁଆ, ନିଷ୍ପେସିତ, ଉପେକ୍ଷିତ କୁହାଯାଉଥିବା ଆଦିବାସୀ ସଂପ୍ରଦାୟର ଜଣେ ମହିଳା, ପ୍ରଥମ ଥର ପାଇଁ ଦେଶର ସର୍ବୋଚ୍ଚ ଆସନ ଅଳଙ୍କୃତ କରିବେ ।

President-elect Draupadi Murmu

ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା । ଆଉ ଦିନକ ପରେ ଦ୍ୱିତୀୟ ଓଡ଼ିଆ ତଥା ପ୍ରଥମ ଓଡ଼ିଆ ମହିଳା ଭାବେ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିବେ ଦ୍ରୌପଦୀ ମୁର୍ମୁ । ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍‌ରେ ଭବ୍ୟ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ତେଣେ ରାଇସିନା ହିଲ୍ ବି ଦ୍ରୌପଦୀଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ । ଏପଟେ ରାଜ୍ୟରେ ବି ଉତ୍ସାହ କାହିଁରେ କେତେ । ଆଜି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବିଜେପିର ଓଡ଼ିଆ ସାଂସଦ ମାନେ ଦ୍ରୌପଦୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିବା ବେଳେ, ୨୫ ତାରିଖର ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ଦ୍ରୌପଦୀଙ୍କ ଭାଇ ଓ ଭାଉଜ, ମୟୂରଭଞ୍ଜର ୬ ବିଧାୟକ ଏବଂ କିଛି ବିଜେପି ନେତା ।

ସୋମବାର ପୂର୍ବାହ୍ଣ ୧୦ଟା ୧୪, ସାରା ଭାରତ ପାଇଁ ଅନନ୍ୟ ଏବଂ ଐତିହାସିକ ମୁହୂର୍ତ୍ତ । ପଛୁଆ, ନିଷ୍ପେସିତ, ଉପେକ୍ଷିତ କୁହାଯାଉଥିବା ଆଦିବାସୀ ସଂପ୍ରଦାୟର ଜଣେ ମହିଳା, ପ୍ରଥମ ଥର ପାଇଁ ଦେଶର ସର୍ବୋଚ୍ଚ ଆସନ ଅଳଙ୍କୃତ କରିବେ । ବନିବେ ଦେଶର ପ୍ରଥମ ନାଗରିକ । ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ସ୍ୱାଗତ କରିବା ପାଇଁ ପୂରା ପ୍ରସ୍ତୁତ ରାଇସିନା ହିଲ୍ । ସଂସଦ ଭବନର ବିଶାଳ ସେଣ୍ଟ୍ରାଲ୍ ହଲ୍‌ରେ ଶପଥ ଗ୍ରହଣ ପରେ, ତାହା ହିଁ ହେବ ଦ୍ରୌପଦୀଙ୍କ ବାସଭବନ ।

ଜୁଲାଇ ୨୫, ସକାଳ ୧୦.୦୩: ରାଷ୍ଟ୍ରପତି କୋବିନ୍ଦ ଏବଂ ଦ୍ରୌପଦୀ ମୁର୍ମୁ ମୋଟରକେଡ୍‌ରେ ସଂସଦ ଭବନରେ ପହଞ୍ଚିବେ । ସେମାନଙ୍କୁ ରାଜ୍ୟସଭା ଅଧ୍ୟକ୍ଷ, ଲୋକସଭା ବାଚସ୍ପତି ଓ ପ୍ରଧାନ ବିଚାରପତି ପାଛୋଟି ନେବେ ।

୧୦.୦୫: ରାଷ୍ଟ୍ରପତିଙ୍କ ଶୋଭାଯାତ୍ରା ସେଣ୍ଟ୍ରାଲ୍ ହଲ୍ ପର୍ଯ୍ୟନ୍ତ ଯିବ ।
୧୦.୧୧: ଗୃହ ସଚିବ ନିର୍ବାଚନ କମିଶନଙ୍କ ବିବୃତି ପଢ଼ିବେ ।
୧୦.୧୪: ଦ୍ରୌପଦୀ ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭି. ରମଣା । ଶପଥ ପରେ ନୂଆ ରାଷ୍ଟ୍ରପତିଙ୍କ ପାଇଁ ଆସନ ଛାଡ଼ିବେ କୋବିନ୍ଦ । 
୧୦.୧୮: ଶପଥ ରେଜିଷ୍ଟରରେ ଦସ୍ତଖତ କରିବେ ଦ୍ରୌପଦୀ ମୁର୍ମୁ ।
୧୦.୨୩: ନୂଆ ରାଷ୍ଟ୍ରପତି ଉଦ୍‌ବୋଧନ ଦେବେ ।

ଏହି ସମାରୋହରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ ସାଂସଦ ଓ ନିମନ୍ତ୍ରିତ ଅତିଥି ଉପସ୍ଥିତ ରହିବେ । ଏଥିରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତ କରିଛନ୍ତି । ସେପଟେ ଦ୍ରୌପଦୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବିଜେପିର ଓଡ଼ିଆ ସାଂସଦଗଣ । ଏହି ଅବସରରେ ଦ୍ରୌପଦୀଙ୍କ ବାସଭବନ ପରିସର ଉତ୍ସବମୁଖର ଥିବା ଦେଖିବାକୁ ମିଳିଥିଲା ।

 

ମାଟିର ଝିଅ ଆକାଶ ଛୁଇଁବା ପରେ ଆଦିବାସୀ ବାଦ୍ୟ ଓ ନାଚଗୀତରେ ଉଠୁଛି ପଡ଼ୁଛି ମୟୂରଭଞ୍ଜ । ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ତାଙ୍କ ପରିବାରରୁ ସାନ ଭାଇ ତରଣୀ ସେନ୍ ଟୁଡୁ ଓ ଭାଉଜ ସାକ୍ରାମଣି ଦିଲ୍ଲୀ ଯାଇଥିବା ବେଳେ, ସେମାନଙ୍କ ସହ ଦ୍ରୌପଦୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏସ୍ଏଲ୍ଏସ୍ ଆବାସିକ ସ୍କୁଲର ପରିଚାଳକ ସୁନା ପ୍ରତିହାରୀ ମଧ୍ୟ ଯୋଗ ଦେଇଛନ୍ତି । ଏଥିସହ ମୟୂରଭଞ୍ଜର ୬ ଜଣ ବିଧାୟକ, କିଛି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା ଏବଂ ଈଶ୍ୱରୀୟ ବ୍ରହ୍ମାକୁମାରୀ ଆଶ୍ରମର ୨ ସହଯୋଗୀ ମଧ୍ୟ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଏଭଳି ସ୍ମରଣୀୟ ଦିବସରେ ଦ୍ରୌପଦୀଙ୍କ ପାଇଁ ତାଙ୍କ ପ୍ରିୟ ଆରିସା ପିଠା ଓ ଆଦିବାସୀ ପାରଂପରିକ ଶାଢ଼ୀ ନେଇଯାଇଥିବା କହିଛନ୍ତି ଦ୍ରୌପଦୀଙ୍କ ଭାଉଜ ସାକ୍ରାମଣି ଟୁଡୁ । 

ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଦ୍ରୌପଦୀ ହେବେ:
- ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି
- ଓଡ଼ିଶାରୁ ପ୍ରଥମ ମହିଳା ରାଷ୍ଟ୍ରପତି
- ସ୍ୱାଧୀନ ଭାରତରେ ଜନ୍ମିତ ପ୍ରଥମ ରାଷ୍ଟ୍ରପତି