Astrospeak
  • Live TV
  • Read In English

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ , ଆପତ୍ତିଜନକ ଟ୍ୱିଟ୍ କଲେ ହ୍ୟାକର୍ସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କଲେ ହ୍ୟାକର୍ସ । ରବିବାର (ଡିସେମ୍ବର ୧୨) ପାହାନ୍ତା ୨.୧୧ ସମୟରେ @narendramodi ରୁ ଏକ ଆପତ୍ତିଜନକ ଟ୍ୱିଟ୍ କରିଛନ୍ତି ହ୍ୟାକର୍ସ ।

pmo
ଘଟଣା ନେଇ ପିଏମ୍ଓ ପକ୍ଷରୁ ଟ୍ୱିଟର କର୍ତ୍ତୃପକ୍ଷଙ୍କୁ କରାଗଲା ଅବଗତ

News Summary

ରବିବାର ପାହାନ୍ତିରେ ଟ୍ୱିଟର ଆକାଉଣ୍ଟ ହ୍ୟାକ କରି ଆପତ୍ତିଜନକ ଟ୍ୱିଟ୍ ପୋଷ୍ଟ କରାଯାଇଥିଲା ବୋଲି ଅଭିଯୋଗ

ଘଟଣା ନେଇ ପିଏମ୍ଓ ପକ୍ଷରୁ ଟ୍ୱିଟର କର୍ତ୍ତୃପକ୍ଷଙ୍କୁ କରାଗଲା ଅବଗତ

କିଛି ସମୟ ପରେ ଟ୍ୱିଟର ଆକାଉଣ୍ଟ ଠିକ୍ ହୋଇଥିବା ନେଇ ପିଏମ୍ଓ ପକ୍ଷରୁ ଦିଆଗଲା ସୂଚନା

ନୂଆଦିଲ୍ଲୀ : ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଆକାଉଣ୍ଟ କିଛିକ୍ଷଣ ଲାଗି ହ୍ୟାକ ହୋଇଥିବା ଅଭିଯୋଗ ହୋଇଛି । ଭାରତରେ ବର୍ତ୍ତମାନ ବିଟକଏନ୍ କିମ୍ବା ଅନ୍ୟ କୌଣସି କ୍ରିପ୍ଟୋକରେନ୍ସି ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇନାହିଁ । ହେଲେ ଏପରି ସମୟ ମଧ୍ୟରେ ହ୍ୟାକରମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଆକାଉଣ୍ଟ (@narendramodi) କୁ ହ୍ୟାକ୍ କରି ବିଟ୍ କଏନ୍ ସମ୍ପର୍କରେ ଏପରି ଏକ ଟ୍ୱିଟ କରିଛନ୍ତି, ଯାହା ସୋସିଆଲ ମିଡିଆରେ ନିଆଁ ଲଗାଇଦେଇଛି । ତେବେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ପୁଣି ସୁରକ୍ଷିତ କରାଯାଇଛି ବୋଲି ବର୍ତ୍ତମାନ PMO ସୂଚନା ଦେଇଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଫିସର ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଆଜି ପାହାନ୍ତିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିଲା । ଏଥିରେ ବିଟ କଏନ୍ ସଂପର୍କରେ ଏକ ଲିଙ୍କ ସେୟାର କରାଯାଇଥିଲା । ଭାରତ ସରକାର ବିଟ୍ କଏନର ପ୍ରଚଳନକୁ ସରକାରୀ ଭାବେ ସ୍ୱୀକାର କରିଥିବା ନେଇ ଏହି ଟ୍ୱିଟରେ ଉଲ୍ଲେଖ ରହିଥିଲା । ତେବେ ଟ୍ୱିଟ୍ କରିବାର ଦୁଇ ମିନିଟ୍ ପରେ ଟ୍ୱିଟକୁ ଡିଲିଟ୍ କରାଯାଇଥିଲା । କିନ୍ତୁ ସେତେବେଳକୁ ସ୍କ୍ରିନସଟ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇସାରିଥିଲା ।

ସୋସିଆଲ ମିଡିଆରେ ସେହି ଟ୍ୱିଟର ସ୍କ୍ରିନସଟ ସେୟାର କରିବା ସହ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡେଲ ଯଦି ହ୍ୟାକ୍ ହୋଇପାରୁଛି , ତେବେ ସାଧାରଣ ଲୋକଙ୍କ ସ୍ଥିତି କ’ଣ ହେବ । ସୋସିଆଲ ମିଡିଆର ସୁରକ୍ଷା ବ୍ୟବସ୍ଥା ପ୍ରତି ଏହା ଏକ ଗୁରୁତର ବିପଦ ଅଟେ।

 

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ବା ପିଏମ୍ଓ ଟ୍ୱିଟର ଆକାଉଣ୍ଟରୁ ଏନେଇ ସୂଚନା ଦିଆଯିବା ସହ ଟ୍ୱିଟର ଅଫିସକୁ ଜଣାଯାଇଥିଲା । ଏହା ପରେ ପରେ ତତକ୍ଷଣାତ ମୋଦିଙ୍କ ଟ୍ୱିଟର ଆକାଉଣ୍ଟକୁ ଠିକ୍ କରାଯାଇଥିଲା । ଏବେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ଠିକ୍ ଥିବା ଓ ଆପତ୍ତିଜନକ ଟ୍ୱିଟ୍ ଡିଲିଟ୍ କରି ଦିଆଯାଇଥିବା ନେଇ ପିଏମ୍ଓ ପକ୍ଷରୁ ଜଣାଯାଇଛି । ତେବେ ଟ୍ୱିଟର ଆକାଉଣ୍ଟ ହ୍ୟାକ ହେବାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛି ଯୁବ କଂଗ୍ରେସ ।