Advertisment

କାହିଁକି ଖୋଲାଯାଉନାହିଁ ତାଜମହଲର ୨୦ରୁ ଅଧିକ କୋଠରୀ? ରହସ୍ୟ ଉନ୍ମୋଚନ ପାଇଁ ଆହ୍ଲାବାଦ ହାଇକୋର୍ଟରେ ପିଟିସନ୍

ବନ୍ଦ କୋଠରୀ ଭିତରେ ଲୁଚି ରହିଛି କେଉଁସବୁ ରହସ୍ୟ ?

Taj Mahal

Taj Mahal

Advertisment

ପୁଣି ଚର୍ଚ୍ଚାରେ ତାଜମହଲ । ତାଜମହଲ ଭିତରେ କଣ ରହିଛି ? କାହିଁକି ବନ୍ଦ ରହିଛି ଅନେକ କୋଠରୀ ? ବନ୍ଦ କୋଠରୀ ଭିତରେ ଲୁଚି ରହିଛି କେଉଁସବୁ ରହସ୍ୟ ? ତା ଭିତରେ ଲୁଚି ରହିଛି କି ତାଜମହଲର ସତ ? ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଲୁଚିରହିଛି କି ତାଜମହଲରେ ବନ୍ଦ ପଡ଼ିଥିବା ୨୦ରୁ ଅଧିକ କୋଠରୀ ଭିତରେ ? ଏହାର ସତ୍ୟାସତ୍ୟ ଯାଞ୍ଚ ପାଇଁ ଆହ୍ଲାବାଦ ହାଇକୋର୍ଟରେ ପିଟିସନ୍ ଦାୟର ହୋଇଛି  ।  ବନ୍ଦ ପଡ଼ିଥିବା ପ୍ରାୟ ୨୦ରୁ ଅଧିକ କୋଠରୀ ଖୋଲି ଏହାର ସତ୍ୟାସତ୍ୟ ଯାଞ୍ଚ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । କୋଠରୀ ଖୋଲିଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।

Advertisment

 ଉତ୍ତରପ୍ରଦେଶ ଆଗ୍ରାରେ ଥିବା ଏହି ବିଶ୍ୱ ଆଶ୍ଚର୍ଯ୍ୟରେ ପ୍ରାୟ ୧୨୦ଟି କୋଠରୀ ଥିବା କୁହାଯାଉଥିବା ବେଳେ, ସେଥିରୁ ପ୍ରାୟ ୨୦ଟି ଖୋଲାନଯିବା ପଛର କାରଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ଡକ୍ଟର ରଜନୀଶ ସିଂ ।  ପୂର୍ବରୁ ବହୁ ଦକ୍ଷିଣ ପନ୍ଥୀ ସଂଗଠନ ପକ୍ଷରୁ ତାଜମହଲର ଐତିହାସିକ ପୃଷ୍ଠଭୂମିକୁ ନେଇ ପ୍ରଶ୍ନ ଉଠାଯାଇଥିବା ବେଳେ ତାଜମହଲ ମୁଗଲ୍ ଶାସକ ଶାହଜାହାନଙ୍କ ଦ୍ୱାରା ପତ୍ନୀ ମୁମତାଜଙ୍କ ଉଦ୍ଦେଶ୍ୟରେ ନିର୍ମିତ ସମାଧିସ୍ଥଳ ନୁହେଁ, ବରଂ ଏକ ହିନ୍ଦୁ ଶୈବପୀଠ ତେଜୋ ମହାଳୟା ବୋଲି ଦାବି ହୋଇ ଆସୁଛି ।

ଏହି ବନ୍ଦ ପଡ଼ିଥିବା ୨୦ରୁ ଅଧିକ କୋଠରୀରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଓ ପ୍ରାଚୀନ ଲିପି ଲୁଚାଇ ରଖାଯାଇଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି  । ତେଣୁ ସବୁ ଚର୍ଚ୍ଚା ଆଲୋଚନାର ପରିସମାପ୍ତି ପାଇଁ ଏହି କୋଠରୀ ଗୁଡ଼ିକ ଖୋଲାଯାଉ ଏବଂ ତା ଭିତରେ ପ୍ରକୃତରେ କଣ ଅଛି ଯାଞ୍ଚ କରାଯାଉ ବୋଲି ଆହ୍ଲାବାଦ ହାଇକୋର୍ଟରେ ଅପିଲ୍ କରିଛନ୍ତି ଉତ୍ତର ପ୍ରଦେଶ ଅଯୋଧ୍ୟାର ବିଜେପି ମିଡିଆ ପ୍ରଭାରୀ ଡକ୍ଟର ରଜନୀଶ ସିଂ  ।

Advertisment

ପ୍ରାୟ ୨୨ଟି କୋଠରୀ ଖୋଲିବାକୁ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା-ଏଏସ୍ଆଇକୁ ନିର୍ଦ୍ଦେଶ ଦେବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଅପିଲ୍ କରିଛନ୍ତି ରଜନୀଶ ।  ଏଥିସହ କୋଠରୀ ଭିତରେ ଥିବା ସାମଗ୍ରୀର ରହସ୍ୟ ଖୋଜିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଉ ବୋଲି ମଧ୍ୟ ସେ ଦାବି କରିଛନ୍ତି ।  ତେବେ ୨୦୨୦ରେ ରଜନୀଶଙ୍କ RTI ଆବେଦନ ପରେ, ଏହି କୋଠରୀକୁ ସୁରକ୍ଷା କାରଣରୁ ଖୋଲାଯାଉନଥିବା କହିଥିଲା କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ  ।

ତାଜମହଲର ନିର୍ମାତା ଓ ଏହାର ଐତିହାସିକ ପୃଷ୍ଠଭୂମିକୁ ନେଇ ବିବାଦ କିଛି ନୂଆ ନୁହେଁ । ତାଜମହଲ ପ୍ରକୃତରେ ଏକ ଶୈବପୀଠ ଥିଲା ବୋଲି ୨୦୧୫ରେ ଦାବି କରିଥିଲେ ୬ ଜଣ ଆଇନଜୀବୀ  । ୨୦୧୭ରେ ବିଜେପି ନେତା ବିନୟ କଟିୟାର ମଧ୍ୟ ଏହି ଦାବି ଦୋହରାଇବା ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାସ୍ଥଳ ଗସ୍ତ କରି ସତ୍ୟାସତ ଯାଞ୍ଚ କରନ୍ତୁ ବୋଲି ଅନୁରୋଧ କରିଥିଲେ । 

Advertisment

୨୦୧୯ରେ ବିଜେପି ନେତା ଅନନ୍ତ କୁମାର ହେଗଡ଼େ କହିଥିଲେ ଯେ, ତାଜମହଲକୁ ଶାହଜହାନ୍ ନିର୍ମାଣ କରିନଥିଲେ, ବରଂ ସେ ଏହାକୁ ରାଜା ଜୟସିମହାଙ୍କ ଠାରୁ କିଣିଥିଲେ । ସେହିପରି ହରିଶଙ୍କର ଜୈନ ନାମକ ଜଣେ ଆଇନଜୀବୀ ମଧ୍ୟ ତାଜ ମହଲକୁ ଶୈବପୀଠ ବୋଲି ଦର୍ଶାଇଥିଲେ ।

ଇତିହାସକାର ପିଏନ୍ ଓକଙ୍କ ୧୯୮୯ର ପୁସ୍ତକ ତାଜମହଲକୁ ଉଦ୍ଧୃତ କରି ସେ କହିଥିଲେ, ତାଜମହଲ ସଂସ୍କୃତ ଭାଷା ତେଜୋ ମହଲର ଅପଭ୍ରଂଶ ଅଟେ । ତେଜୋ ମହଲ ଶିବ ମନ୍ଦିରକୁ ଦର୍ଶାଉଛି ।  ରାଜା ପରମବୀର ଦେବ ଏହାକୁ ନିର୍ମାଣ କରିଥିଲେ ଏବଂ ୧୬୩୨ରେ ଶାହାଜାହାନ୍ ଏହାକୁ କିଣି ଇସଲାମିକ ଆର୍କିଟେକ୍ଚର ଅନୁଯାୟୀ ରୂପ ପରିବର୍ତ୍ତନ କରିଥିଲେ ବୋଲି ହରିଶଙ୍କର ଜୈନ ଦାବି କରିଥିଲେ  । ତେବେ ଏସବୁ ଦାବିକୁ ପୂର୍ବରୁ ଖଣ୍ଡନ କରିଆସୁଛି ଏଏସ୍ଆଇ ।  ତେବେ ଆହ୍ଲାବାଦ ହାଇକୋର୍ଟରେ ରଜନୀଶ ସିଂଙ୍କ ପିଟିସନ୍ ପରେ ପୁଣି ବିବାଦ ତେଜିଛି ।    

Taj Mahal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ