ପାକିସ୍ତାନୀ ସେନାକୁ ଧୂଳି ଚଟାଇ ଆଜିର ଦିନରେ କାରଗିଲ ଯୁଦ୍ଧରେ ବିଜୟ ଧ୍ୱଜା ଲହରାଇଥିଲା ଭାରତ । କାରଗିଲ ବିଜୟ ଦିବସରେ ମା’ ମାଟି ପାଇଁ ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ଯବାନଙ୍କୁ କୋଟି କୋଟି ପ୍ରଣାମ । ଜୟ ପରାଜୟକୁ ନଡରି ଦେଶର ସୁରକ୍ଷା ପାଇଁ ଶେଷ ରକ୍ତ ବିନ୍ଦୁ ଥିବା ଯାଏଁ ଲଢ଼େଇ ଜାରି ରଖିଥିଲେ । ଫଳରେ ଭାରତ ପୁନର୍ବାର ନିଜ ଅଂଶକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲା, ଯେଉଁ ସ୍ଥାନକୁ ପାକିସ୍ତାନୀ ଅନୁପ୍ରବେଶକାରୀମାନେ ମାଡ଼ି ବସିଥିଲେ । ଆଉ ଏହି ଯବାନଙ୍କ ମଧ୍ୟରେ ସାମିଲ ଥିଲେ ଜଣେ ସହିଦୀ ବୀର ଯବାନ କ୍ୟାପଟେନ ସୌରଭ କାଳିଆ କା. । ସେ କାରଗିଲ ଯୁଦ୍ଧର ପ୍ରଥମ ଏପରି ହିରୋ ଥିଲେ ଯାହାର ବଳିଦାନ ସହିତ ଏହି ଯୁଦ୍ଧର କାହାଣୀ ଲେଖାଯାଇଥିଲା । କାରଗିଲ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ହିଁ ଦେଶ ପାଇଁ ସହିଦ ହୋଇଥିଲେ ।
କାରଗିଲ ଯୁଦ୍ଧରେ ପ୍ରଥମ ସହିଦ :
ମେ ୩, ୧୯୯୯ରେ ତାଶି ନାମଗାଲ ନାମକ ଜଣେ ମେଷପାଳକ କାର୍ଗିଲର ଶିଖରରେ କିଛି ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଦେଖିଥିଲେ ଏବଂ ଭାରତୀୟ ସେନାକୁ ଏ ବିଷୟରେ ଅବଗତ କରାଇଥିଲେ । ଏହାପରେ ମେ ୧୪ରେ କ୍ୟାପଟେନ ସୌରଭ କାଳିଆ ୫ ଜଣ ଯବାନ ନିକଙ୍କୁ ନେଇ ପାଟ୍ରୋଲିଂରେ ବାହାରିଥିଲେ । କ୍ୟାପଟେନ୍ ସୌରଭ ସାଥୀଙ୍କ ସହ ବଜରଙ୍ଗର ଶୀର୍ଷରେ ପହଞ୍ଚିବା ପରେ ଦେଖିଲେ ଅସ୍ତ୍ରଶସ୍ତ୍ର ସହ ଆକ୍ରମଣ ପାଇଁ ପ୍ରସ୍ତୁତ ଥିଲା ପାକିସ୍ତାନ ସେନା ।
ପାଟ୍ରୋଲିଂରେ ଯାଇଥିବା କ୍ୟାପଟେନଙ୍କ ନିକଟରେ ନା ଥିଲା ଅଧିକ ଅସ୍ତ୍ରଶସ୍ତ୍ର ନା ଥିଲା ଗୁଳିବାରୁଦ । ଅନ୍ୟାୟ ଯୁଦ୍ଧରେ ବହୁ ସଂଖ୍ୟକ ପାକିସ୍ତାନୀ ସେନା କ୍ୟାପଟେନ ସୌ ରଭ କାଳିଆ ଏବଂ ତାଙ୍କ ସାଥୀଙ୍କୁ ଘେରି ଯାଇଥିଲେ । ତେବେ ସାମ୍ନାରେ ନିଶ୍ଚିତ ମୃତ୍ୟୁ ଥିଲେ ସୁଦ୍ଧା ଭାରତୀୟ ବୀରଙ୍କ ମୁହଁରେ ଭୟର ଚିହ୍ନ ନଥିଲା । ମାତ୍ର ୬ ଜଣ ଥିଲେ ସୁଦ୍ଧା ବୀରପୁତ୍ର ମାନେ ପାକିସ୍ତାନୀ ସେନାଙ୍କ ସାମ୍ନା କରିଥିଲେ । ହେଲେ ଅସ୍ତ୍ରଶସ୍ତ୍ର ନଥିବାରୁ ପାକିସ୍ତାନୀ ସେନା ତାଙ୍କୁ ଏବଂ ତାଙ୍କର ପାଞ୍ଚଜଣ ସାଥୀଙ୍କୁ ବନ୍ଦୀ କରି ନେଇଥିଲେ ।
ବନ୍ଦୀ କରିବା ପରେ କ୍ୟାପଟେନ୍ ସୌରଭ ଓ ତାଙ୍କ ସାଥୀଙ୍କ ଅକଥନୀୟ ନିର୍ଯାତନା ଦେଇଥିଲା ପାକ୍ ସେନା । ଅସହ୍ୟ ଯନ୍ତ୍ରଣାକୁ ହସି ହସି ସହିବା ସହ ଦେଶର ଯୋଜନା ସମ୍ପର୍କରେ ପଦୁଟିଏ ବି କଥା କହିନଥିଲେ କ୍ୟାପଟେନ ସୌରଭ । କୌଣସି ତଥ୍ୟ ବାହାର ନକରାପାରିବାରୁ ଅତି ବର୍ବରତାର ସହ ତାଙ୍କୁ ହତ୍ୟା କରିବା ପରେ ୨୨ ଦିନ ପରେ ତାଙ୍କୁ ମରଶରୀରକୁ ହସ୍ତାନ୍ତର କରାଯାଇଥିଲା। ଏତେ କ୍ରୁରତାର ସହ ତାଙ୍କୁ ହତ୍ୟା କରାଯାଇଥିଲା ଯେ ପରିବାର ଲୋକ ମଧ୍ୟ ତାଙ୍କ ମରଶରୀରକୁ ଚିହ୍ନି ପାରିଲେ ନାହିଁ । ତେବେ ପାକିସ୍ତାନ ଏହାକୁ ଅସ୍ୱୀକାର କରିଥିଲା ।
Also Read
୨୨ ବର୍ଷ ବୟସରେ ସେନାରେ ଯୋଗ ଦେଇଥିଲେ ସୌରଭ
ସେତେବେଳେ କ୍ୟାପଟେନ ସୌରଭ କାଳିଆଙ୍କ ବୟସ ମାତ୍ର ୨୨ବର୍ଷ ଥିଲା । ୧୯୭୬ ମସିହା ୨୯ଜୁନରେ ତାଙ୍କର ଜନ୍ମ । ପିଲାଦିନରୁ ସେ ସେନାରେ ଯୋଗଦେବାକୁ ଚାହୁଁଥିଲେ । ଆଉ ଏଥିପାଇଁ ଦ୍ୱାଦଶ ପାସ୍ କରିସାରିବା ପରେ AFMC ପରୀକ୍ଷା ଦେଇଥିଲେ । କିନ୍ତୁ ଏଥିରେ ସେ ସଫଳ ହୋଇପାରିନଥିଲେ । ତେବେ ସ୍ନାତକ ପାସ୍ କରିବା ପରେ ସେ CSD ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ । IMA ରେ ତାଲିମ ପରେ ଫେବୃଆରୀ ୧୯୯୯ରେ କାରଗିଲର ୪ ଜାଟ ରେଜିମେଣ୍ଟରେ ତାଙ୍କର ପ୍ରଥମ ପୋଷ୍ଟିଂ ହୋଇଥିସଲା । ଚାକିରିର ମାତ୍ର ଚାରି ମାସ ପରେ ତାଙ୍କୁ କାରଗିଲରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ସାମ୍ନା କରିବାକୁ ପଡିଥିଲା।