ହଜିଯାଇଛି ଚିକୁ; ଖୋଜି ଆଣିଦେଲେ ମିଳିବ ୧ ଲକ୍ଷ ଟଙ୍କା..

ବିଲେଇକୁ ଖୋଜି ଆଣିଲେ ମାଲିକ ଦେବେ ନଗଦ ୧ ଲକ୍ଷ ଟଙ୍କା । ଡିସେମ୍ବର ୨୪ ରୁ ସେ ନିଖୋଜ ଥିବାରୁ ମାଲିକ ଏନେଇ ପୁରସ୍କାର ରାଶି ଘୋଷଣା କରିଛନ୍ତି ।

Pet Cat Missing

ଚିକୁକୁ ଖୋଜିଦେଲେ ମିଳିବ ୧ ଲକ୍ଷ ଟଙ୍କା । ଆପଣ ଭାବୁଥିବେ କେଉଁ ଛୋଟ ପିଲା ବୋଧେ ହଜିଯାଇଛି । ଯାହାକୁ ଖୋଜିଦେଲେ ପୁରସ୍କାର ରାଶି ୧ ଲକ୍ଷ ଟଙ୍କା ମିଳିବ । ଚିକୁ ମଣିଷ ନୁହେଁ ବରଂ ଗୋଟେ ବିଲେଇ । ବିଲେଇକୁ ଖୋଜି ଆଣିଲେ ମାଲିକ ଦେବେ ନଗଦ ୧ ଲକ୍ଷ ଟଙ୍କା । ଚିକୁ ଏକ ପର୍ସିଆନ୍‌ ବିଲେଇ । ଡିସେମ୍ବର ୨୪ ରୁ ସେ ନିଖୋଜ ଥିବାରୁ ମାଲିକ ଏନେଇ ପୁରସ୍କାର ରାଶି ଘୋଷଣା କରିଛନ୍ତି ।

ଅଜୟ ଓ ତାଙ୍କ ପତ୍ନୀ ଦିପା ଦେଢ଼ ବର୍ଷ ତଳେ ଏକ ୩ ମାସର ବିଲେଇ ଛୁଆ ଆଣି ପାଳିଥିଲେ । ଯାହାର ନାମ ସ୍ନେହରେ ରଖିଥିଲେ ଚିକୁ । ୧୮ ମାସରେ ସେ ଘରର ଏକ ସଦସ୍ୟ ପାଲଟି ଯାଇଥିଲା । ଯାହାକୁ କ୍ଷଣିକ ନ ଦେଖିଲେ ପରିବାର ଲୋକଙ୍କ ହୋସ୍‌ ଉଡ଼ିଯାଉଥିଲା । ତେବେ ଡିସେମ୍ବର ୨୪ରୁ ଚିକୁ ନିଖୋଜ ଅଛି । ଯାହାକୁ ନେଇ ଆଜିକୁ ୧୬ ଦିନ ହେବ ଚିନ୍ତାରେ ପୁରା ପରିବାର । ନଏଡ଼ା ସେକ୍ଟର ୬୨ ର ଏକ ଆପାର୍ଟମେଣ୍ଟରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଡିସେମ୍ବର ୨୪ ରେ ହଠାତ୍‌ ଚିକୁକୁ ଘରେ ଦେଖିବାକୁ ପାଇନଥିଲେ ଅଜୟ ଓ ଦିପା । ଅଜୟ ଭାବିଥିଲେ କି ଚିକୁ ବୋଧେ ସବୁଦିନ ଭଳି ଖଟ ତଳେ ଲୁଚିଛି । ହେଲେ ଖୋଜାଖୋଜି ପରେ ବି ସେ ଚିକୁକୁ ପାଇନଥିଲେ । ଅଜୟ ଆପାର୍ଟମେଣ୍ଟର ପ୍ରତିଟି ସଦସ୍ୟକୁ ଏନେଇ ପଚରାଉଚରା କରିଥିଲେ । ଶେଷରେ ସେ ସିସିଟିଭି ଫୁଟେଜ୍‌ରେ ଦେଖିଥିଲେ ଯେ, ଚିକୁ ଅଜୟଙ୍କ ବୋଲକୋନିରୁ ତଳେ ପଡ଼ିଯାଇଥିଲା । ଏହାପରେ ସେ ପାର୍କିଂ ଆଡ଼କୁ ଯାଇଥିଲା । ତା’ପରେ ସେ ଆଉ କ୍ୟାମେରାରେ ଦୃଶ୍ୟମାନ ହୋଇନଥିଲା ।

ଅଜୟ ନିଜ ପଡ଼ୋଶୀ ସିସିଟିଭିରେ ଆପାର୍ଟମେଣ୍ଟକୁ ଆସିଥିବା ଲୋକଙ୍କ ସହ କଥା ହେବା ପରେ ବି ଚିକୁର ଖବର ମିଲିନଥିଲା । ଶେଷରେ ସେ ବାଧ୍ୟ ହୋଇ ଚିକୁକୁ ଖୋଜିବା ପାଇଁ ଅର୍ଥ ରାଶି ଘୋଷଣା କଲେ । ଏଥିପାଇଁ ସେ ଆଖପାଖ ଅଞ୍ଚଳର କାନ୍ଥ, ଖୁଣ୍ଟ ସବୁଠି ପୋଷ୍ଟର ମଧ୍ୟ ମାରିଛନ୍ତି ।

ଅଜୟ ଗଣମାଧ୍ୟମକୁ କହିଛନ୍ତି, ଚିକୁ ତାଙ୍କ ସ୍ତ୍ରୀଙ୍କ ବେଶ୍‌ ପ୍ରିୟ । ତାର ଅନୁପସ୍ଥିତି ଆମ ପରିବାରର ଚିନ୍ତା ବଢ଼ାଇଛି । ବୋଧ ହୁଏ ତାକୁ କିଏ ଚୋରି କରିନେଇ ବିକ୍ରି କରିଦେଇଛି । ଚିକୁ ଏକ ପର୍ସିଆନ୍‌ ବିଲେଇ ହୋଇଥିବାରୁ ତାର ମାର୍କେଟ୍‌ରେ ବେଶ୍ ଡିମାଣ୍ତ ରହିଛି । ସେଥିପାଇଁ ମୁଁ ଲକ୍ଷେ ଟଙ୍କାର ଅର୍ଥରାଶି ଘୋଷଣା କରିଛି ।