ଦୁର୍ଘଟଣା ଏଡ଼ାଇବ ଡ୍ରାଫ୍ଟ ପଲିସି; ଏନ୍‌ଏଚ୍‌ରେ ରହିବ ସାଇକେଲ୍ ଓ ପଥଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରାକ୍

ମୁଖ୍ୟ ରାସ୍ତାରେ ଯିବେନି ପଥଚାରୀ । ସାଇକେଲ ଚାଳକ ବି ସ୍ୱତନ୍ତ୍ର ଟ୍ରାକ୍‌ରେ ଯିବେ ।

Special footpath

ଜାତୀୟ ଓ ରାଜ୍ୟ ରାଜପଥରେ ରହିବ ପାଦରେ ଚାଲି କରି ଯାଉଥିବା ପଥଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରାକ୍ । ମୁଖ୍ୟ ରାସ୍ତାରେ ଯିବେନି ପଥଚାରୀ । ରାଜ୍ୟ ର ସବୁ ସଡକରେ ଏଭଳି ଡିଜାଇନ୍ ରହିବ । ସାଇକେଲ ଚାଳକ ବି ସ୍ୱତନ୍ତ୍ର ଟ୍ରାକ୍‌ରେ ଯିବେ । ଦୁର୍ଘଟଣା ରୋକିବା ଲାଗି ପରିବହନ ବିଭାଗ ରାଜ୍ୟ ମୋଟର ଭେଇକିଲ୍ ଆକ୍ଟ ୧୯୯୩ରେ ସଂଶୋଧନ ଆଣି ଏହି ନିୟମ ଲାଗୁ କରିବାକୁ ଯାଉଛି ।

ଏଥିଲାଗି ବିଭାଗ ପ୍ରସ୍ତୁତ କରିଛି ଡ୍ରାଫ୍ଟ ପଲିସି । ଯାନବାହନ ଚଳାଚଳ କରୁଥିବା ରାସ୍ତାରେ ପଥଚାରୀ ଓ ସାଇକେଲ ଚାଳକ ଯାଉଥିବାରୁ ଅଧିକ ଭିଡ ହେଉଛି । ତାଛଡ଼ା ମୋଟର ଯାନର ଦ୍ରୁତ ଗତି ଯୋଗୁ ପଥଚାରୀ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ଯାହାକୁ ରୋକିବା ଲାଗି ପରିବହନ ବିଭାଗର ଡ୍ରାଫ୍ଟ ପଲିସି ପ୍ରସ୍ତୁତ କରି ପୂର୍ତ୍ତ ବିଭାଗ ଓ ଏନ୍ଏଚ୍ଏଆଇକୁ ମତାମତ ଲାଗି ପଠାଇଛି ।

 

ଖାଲି ଏତିକି ନୁହେଁ ଯେଉଁସବୁ ସ୍ଥାନରେ ନୂଆ ରାସ୍ତା ହେବ । ସେଠାରେ ଠିକାଦାର ପଥଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରାକ୍ ଥିବା ଡିଜାଇନ୍‌ରେ ରାସ୍ତା ତିଆରି କରିବେ । ନଚେତ୍ ପ୍ରକଳ୍ପ ମୂଲ୍ୟର ଏକ ପ୍ରତିଶତକୁ ଫାଇନ୍ ଆକାରରେ କଟାଯାଇ ରୋଡ ସେଫଟି ଫଣ୍ଡରେ ଜମା କରାଯିବ ।

ସେହିପରି ଜାତୀୟ ରାଜପଥର ପ୍ରତି ୨ କିଲୋମିଟର ବ୍ୟବଧାନରେ ପଥଚାରୀ ରାସ୍ତା ପାର ହେବା ଲାଗି ଫୁଟ୍ ଓଭରବ୍ରିଜ, ସବ୍ ୱେ, କ୍ରସ୍ ୱେ ର ବ୍ୟବସ୍ଥା ରହିବ । ଏଭଳି ଯୋଜନାକୁ ସଡ଼କ ସୁରକ୍ଷା କର୍ମୀ ସ୍ୱାଗତ କରିଥିବାବେଳେ ରାସ୍ତାକଡ଼ରେ ଜବରଦଖଲ ଉଚ୍ଛେଦ ବଡ଼ ଚାଲେଞ୍ଜ ହେବ ବୋଲି ମତ ରଖିଛନ୍ତି । ତେବେ ଏନେଇ ପରିବହନ ବିଭାଗର ପ୍ରତିକ୍ରିୟା ମିଳିପାରି ନାହିଁ ।

ରାଜ୍ୟର ପ୍ରତି ସ୍ଥାନରେ ସଡ଼କ ପରିବହନଜନିତ ତ୍ରୁଟି ଲାଗି ଅକାଳରେ ହଜାର ହଜାର ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । କେଉଁଠି ରାସ୍ତା ଉପରେ ପାର୍କିଂ, ତ ଆଉ କେଉଁଠି ସାଇକେଲ୍ ଟ୍ରାକ୍‌ରେ ଗଡୁଛି ମୋଟର ଯାନ । ରଙ୍ଗ ଡ୍ରାଇଭ୍ ବି ପ୍ରାଣଘାତୀ ସାବ୍ୟସ୍ତ ହେଉଛି । ରାଜ୍ୟରେ ଯଥେଷ୍ଟ ଫୁଟ୍ ଓଭର ବ୍ରିଜ ନାହିଁ। ତେବେ ଯେଉଁ ସବୁ ସ୍ଥାନରେ ଅଛି, ସେଠାରେ ଲୋକ ସେତେଟା ବ୍ୟବହାର କରୁନାହାଁନ୍ତି ।

ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସର୍ଭିସ ରୋଡ୍ ମଧ୍ୟ ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଛି । ତେବେ ପରିବହନ ବିଭାଗର ଡ୍ରାଫ୍ଟ ପଲିସି ଲାଗୁ ହେଲେ ଦୁର୍ଘଟଣା ମାତ୍ରାରେ ରୋକ୍ ଲାଗି ପାରିବ ବୋଲି ମତ ରଖିଛନ୍ତି ସାଧାରଣ ଲୋକେ ।

୨୦୧୪ରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୩, ୯୩୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୨୧ରେ ଏହା ୫ ହଜାର ୮୧ରେ ପହଞ୍ଚିଛି । ଅର୍ଥାତ୍‌ ୭ ବର୍ଷ ମଧ୍ୟରେ ଏହା ୨୯ ପ୍ରତିଶତ ବଢ଼ିଛି । ସେହିପରି ଚଳିତ ବର୍ଷ ଜାନୁଆରୀରୁ ଜୁନ୍ ଯାଏ ୬ହଜାର ୨୯ ଟି ଦୁର୍ଘଟଣା ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଛି । ଯେଉଁଥିରୁ ୨ ହଜାର ୮୪୯ ଜଣଙ୍କ ମୃତ୍ୟୁ ଘଟିଛି ।

(ରିପୋର୍ଟ- ବାଲେଶ୍ୱରରୁ ରଶ୍ମିରଞ୍ଜନ ଦାସ ଓ ଭୁବନେଶ୍ୱରରୁ ଜଗଦୀଶ ଦାସ)