ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଭେଟିବେ ସିଦ୍ଧୁ : ଗତକାଲି ଫୋନରେ ଆଲୋଚନା ହେବା ପରେ ଆଜି ୩ଟାରେ ସାକ୍ଷାତ ପର୍ବ

ପଞ୍ଜାବରେ କଂଗ୍ରେସ ମତଭେଦ ମଧ୍ୟରେ ସ୍ଥିତି ପୁଣି ଥରେ ସ୍ୱାଭାବିକ ହେବା ଭଳି ମନେ ହେଉଛି । ଦଳର ନେତା ରାହୁଲ ଗାନ୍ଧୀଙ୍କ ବୈଠକ ଖବର ମଧ୍ୟରେ ଗୁରୁବାର ଦିନ ଅପରାହ୍ନ ୩ ଟାରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଭେଟିବେ । ସିଦ୍ଧୁ ନିଜେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଭେଟିବେ ନବଜୋତ ସିଂ ସିଦ୍ଧୁ

News Summary

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଭେଟିବେ ନବଜୋତ ସିଂ ସିଦ୍ଧୁ

ସାକ୍ଷାତ ଆଲୋଚନା ନେଇ ନବଜୋତ ସିଂ ସିଦ୍ଧୁଙ୍କ ସୂଚନା

ଆଜି ଅପରାହ୍ନ ୩ଟାରେ ଦିଲ୍ଲୀ ପଞ୍ଜାବ ଭବନରେ ଭେଟ ହେବ

ଚଣ୍ଡିଗଡ଼ : ନରମିଲେ କି ସିଦ୍ଧୁ ? ପଞ୍ଜାବରେ କଂଗ୍ରେସ ମତଭେଦ ମଧ୍ୟରେ ସ୍ଥିତି ପୁଣି ଥରେ ସ୍ୱାଭାବିକ ହେବା ଭଳି ମନେ ହେଉଛି । ଦଳର ନେତା ରାହୁଲ ଗାନ୍ଧୀଙ୍କ ବୈଠକ ଖବର ମଧ୍ୟରେ ଗୁରୁବାର ଦିନ ଅପରାହ୍ନ ୩ ଟାରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଭେଟିବେ । ସିଦ୍ଧୁ ନିଜେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । 'ମୁଖ୍ୟମନ୍ତ୍ରୀ ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି ବୋଲି ସେ ଟ୍ୱିଟ୍ କରି କହିଛନ୍ତି । ଆଜି ଅପରାହ୍ନ ୩ଟା ସମୟରେ ଚଣ୍ଡିଗଡ଼ର ପଞ୍ଜାବ ଭବନରେ ପହଞ୍ଚି ଆଲୋଚନା କରିବେ । ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ନାରାଜ ଥିବା ନବଜୋତ ସିଂ ସିଦ୍ଧୁଙ୍କ ସହ ଟେଲିଫୋନ୍ ଯୋଗେ ବାର୍ତ୍ତାଳାପ କରି ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେଇଛନ୍ତି ।

ସିଦ୍ଧୁଙ୍କୁ ମନାଇବା ପାଇଁ ମନ୍ତ୍ରୀ ପରଗଟ୍ ସିଂ, ଅମରିନ୍ଦର ସିଂ ରାଜାଙ୍କ ସମେତ ଅନେକ ନେତା ତାଙ୍କୁ ପଟିଆଲା ସ୍ଥିତ ବାସଭବନରେ ଭେଟିଥିଲେ । ଦଳକୁ ମଜବୁତ କରିବା ପାଇଁ କାର୍ଯ୍ୟ କରିବାକୁ ଚନ୍ନି ସିଦ୍ଧୁଙ୍କୁ ଅନୁରୋଧ କରିଥିଲେ । କୌଣସି ବି ବ୍ୟକ୍ତିବିଶେଷ ଉର୍ଦ୍ଧ୍ୱରେ ଦଳ ଏବଂ ଦଳର ଆଦର୍ଶ ଅନୁସରଣ କରୁଛନ୍ତି ସରକାର ବୋଲି କହିଛନ୍ତି ଚନ୍ନି । ସୂଚନା ଅନୁସାରେ ମନପ୍ରୀତ ସିଂ ବାଦଲ ମଧ୍ୟ ଏହି ସଭାରେ ଉପସ୍ଥିତ ରହିପାରନ୍ତି ।

ବୁଧବାର ଦିନ ସିଦ୍ଧୁ ପୋଲିସ୍ ମହାନିର୍ଦ୍ଦେଶକ, ରାଜ୍ୟ ଆଡଭୋକେଟ୍ ଜେନେରାଲ୍ ଏବଂ "କଳଙ୍କିତ" ନେତାଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ । ଇସ୍ତଫା ପରେ ଗତକାଲି ନବଜୋତ ସିଂ ସିଦ୍ଧୁ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ । ଅଧିକାର ଓ ସତ ପାଇଁ ଲଢ଼େଇ ଜାରି ରଖିବା ସହ କୌଣସି ମତେ ବୁଝାମଣା କରିପାରିବେ ନାହିଁ ବୋଲି ଭିଡିଓ ଜରିଆରେ କହିଥିଲେ ସିଦ୍ଧୁ ।

ଏହାସହ ନବଜୋତ ସିଂ ସିଦ୍ଧୁ କହିଥିଲେ, 'ପ୍ରିୟ ପଞ୍ଜାବୀ ଭାଇମାନେ ୧୭ ବର୍ଷର ରାଜନୈତିକ ଯାତ୍ରା ଏକ ମହତ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା । ପଞ୍ଜାବର ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେହି ପ୍ରସଙ୍ଗର ରାଜନୀତି କରିବା ଥିଲା ମୂଳ ଲକ୍ଷ୍ୟ । ପଞ୍ଜାବାସୀଙ୍କ ବିକାଶ ମୋର ଧର୍ମ ଥିଲା ଏବଂ ଏହା ମୋର କର୍ତ୍ତବ୍ୟ । ମୁଁ କୌଣସି ବ୍ୟକ୍ତିଗତ ଯୁଦ୍ଧ କରୁନାହିଁ । ମୋର ସଂଗ୍ରାମ ପ୍ରସଙ୍ଗ ପାଇଁ, ପଞ୍ଜାବର ନିଜସ୍ୱ ଏଜେଣ୍ଡା ପାଇଁ । ଏହି ଏଜେଣ୍ଡା ସହିତ, ମୁଁ ମୋର ଅଧିକାର ପାଇଁ ସଂଗ୍ରାମ କରୁଛି । କୌଣସି ଆପୋଷ ବୁଝାମଣା କରିପାରିବି ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ ।