ବିଲେଇଙ୍କ ମିଆଁଉ ମିଆଁଉ ବଞ୍ଚାଇଦେଲା ନବଜାତ ଶିଶୁର ଜୀବନ

ମୁମ୍ବାଇ ପନ୍ତନଗର ନିକଟସ୍ଥ ଏକ ଡ୍ରେନରୁ ପୋଲିସ୍ ଦ୍ୱାରା ଉଦ୍ଧାର ହୋଇଛି ଏକ ନବଜାତ ଶିଶୁ । ବିଲେଇ ମିଆଁଉ ମିଆଁଉ ଶବ୍ଦ କରି ଦେଇଥିଲେ ସୂଚନା । ଉଦ୍ଧାର କରିଥିଲା ମୁମ୍ୱାଇ ପୋଲିସ୍ । ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ପୋଲିସକୁ ପ୍ରଶଂସାର ସୁଅ ଛୁଟୁଛି ।

ନାଳରେ ଭାସୁଥିଲା କଅଁଳା ଶିଶୁ ; ବିଲେଇ କାନ୍ଦିଲା,ଜୀବନ ବଞ୍ଚିଲା..

News Summary

ବିଲେଇ ସାଜିଲେ ଦଇବ

ବଞ୍ଚାଇଲେ ନବଜାତ ଶିଶୁର ଜୀବନ

ମୁମ୍ବାଇ : ବିଲେଇ ସାଜିଲେ ଜୀବନଦାତା । ବଞ୍ଚାଇଲେ ନବଜାତ ଶିଶୁର ଜୀବନ । ଆପଣମାନେ ନିଶ୍ଚିତ ଭାବରେ ଅନେକ ଥର ଏହି କଥା ଶୁଣିଥିବେ, 'ଜାକୋ ରାଖେ ସାଇୟାନ୍ ମାର୍ ସେକ୍ ନା କୋଏ' । ଠିକ୍ ଏହି ପ୍ରବାଦ ସହ ଜଡିତ ଏକ ସମ୍ବେଦନଶୀଳ ମାମଲା ମୁମ୍ବାଇରୁ ସାମ୍ନାକୁ ଆସିଛି । ମୁମ୍ବାଇ ପନ୍ତନଗର ନିକଟସ୍ଥ ଏକ ଡ୍ରେନରୁ ପୋଲିସ୍ ଦ୍ୱାରା ଉଦ୍ଧାର ହୋଇଛି ଏକ ନବଜାତ ଶିଶୁ । ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ମୁମ୍ବାଇ ପୋଲିସକୁ ପ୍ରଶଂସାର ସୁଅ ଛୁଟୁଛି ।

ସୂଚନା ଅନୁସାରେ, ମୁମ୍ବାଇ ପନ୍ତନଗରର ଏକ ଡ୍ରେନ୍‌ରେ ନବଜାତ ଶିଶୁ ଭାସୁଥିଲା । ଯାହାକୁ ଦେଖି ବିଲେଇମାନେ ଆଖପାଖରେ ଥିବା ଲୋକଙ୍କୁ ନିଜ ସ୍ୱରରେ ସଚେତନ କରିବାକୁ ଲାଗିଲେ । ସ୍ଥାନୀୟ ଲୋକମାନେ ଶିଶୁଟିକୁ ଦେଖି ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ମୁମ୍ବାଇ ପୋଲିସ ପହଞ୍ଚି ନବଜାତ ଶିଶୁକୁ ଡ୍ରେନରୁ ଉଦ୍ଧାର କରିବା ସହ ଡାକ୍ତରଖାନାରେ ଭର୍ତ୍ତି କରି ଶିଶୁର ଜୀବନ ରକ୍ଷା କରିଥିଲେ ।

ଏନେଇ ମୁମ୍ୱାଇ ପୋଲିସ୍‌ ପକ୍ଷରୁ ଟ୍ୱିଟ୍ କରାଯାଇ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି । ଟ୍ୱିଟ୍‌ରେ ନବଜାତ ଶିଶୁର ଫଟୋ ସେୟାର କରାଯାଇଥିବା ସହ ଲେଖାଯାଇଛି ଯେ, ନବଜାତ ଶିଶୁକୁ କପଡ଼ାରେ ଗୁଡ଼ାଇ ଦିଆଯାଇଥିଲା। ଯାହାକୁ ଦେଖି ବିଲେଇମାନେ ଶବ୍ଦ କରିବା ଆରମ୍ଭ କରିଥିଲେ ।

ବିଲେଇଙ୍କ ସତର୍କ କରିବା ପରେ ନବଜାତ ଶିଶୁଟି ଉପରେ ଲୋକଙ୍କ ଧ୍ୟାନ ପଡିଥିଲା । ଯାହା ପରେ ଲୋକମାନେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ଫଳରେ ପୋଲିସ୍‌ର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ମାତ୍ରେ ଡ୍ରେନରେ ଭାସୁଥିବା ପିଲାଟିକୁ ଉଦ୍ଧାର କରି ରାଜୱାଡି ଡାକ୍ତରଖାନାକୁ ନେଇଥିଲା । ଚିକିତ୍ସା ପରେ ଶିଶୁର ସ୍ୱାସ୍ଥ ଅବସ୍ଥା ବିପଦରୁ ବାହାରି ସୁସ୍ଥ ଅଛି ।ତେବେ ଶିଶୁର ପିତାମାତାଙ୍କ ନାମ ତଥା ପରିଚୟ ମିଳିପାରି ନାହିଁ । ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।