‘ମୁଁ ଖୁସି ନାହିଁ, ମୋତେ ଶାନ୍ତି ଦରକାର’ ! ସୁଇସାଇଡ୍‌ ନୋଟ୍‌ ଛାଡ଼ି ଜୀବନ ହାରିଲେ ମଡ଼େଲ୍

ଗ୍ଲାମର ଦୁନିଆ ପଛର କଳା ସତ । ମାନସିକ ଅଶାନ୍ତି ପାଇଁ ଜୀବନ ହାରି ଦେଉଛନ୍ତି ଅନେକ କଳାକାର ।

ହୋଟେଲ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର

ମାୟାନଗରୀ ମୁମ୍ବାଇ । ଅନେକଙ୍କ ସ୍ୱପ୍ନର ସହର । ଏଠି କେତେ ଯେ ସ୍ୱପ୍ନ ପୂରଣ ହୁଏ ଆଉ କେତେ ଭାଙ୍ଗିଯାଏ, ତାହା କହିହେବ ନାହିଁ । ଗ୍ଲାମର ଦୁନିଆରେ କାମ କରୁଥିବା ଅଭିନେତା/ଅଭିନେତ୍ରୀଙ୍କ ଟିକେ ଝଲକ ପାଇବାକୁ ପ୍ରଶଂସକମାନେ ଦିନ ଦିନ ଅପେକ୍ଷା କରିଥାନ୍ତି । ହେଲେ ସେହି ଦୁନିଆର ପ୍ରତି ହସ ହସ ଚେହେରା ପଛରେ ବି ଯନ୍ତ୍ରଣା ଲୁଚି ରହିଥାଏ । ଏଥିପାଇଁ ଅନେକ ଆତ୍ମହତ୍ୟା ପରି ବାଟକୁ ଆପଣାଇ ନିଅନ୍ତି । ଏହି କ୍ରମରେ ମୁମ୍ବାଇରେ ପୁଣି ଜଣେ ମଡେଲ୍ ଜୀବନ ହାରିଛନ୍ତି । ଆତ୍ମହତ୍ୟା ପୂର୍ବରୁ ମଡେଲ ସୁଇସାଇଡ୍‌ ନୋଟରେ ନିଜର ଯନ୍ତ୍ରଣା ଜର୍ଜରିତ ଜୀବନ ସମ୍ପର୍କରେ ପ୍ରକାଶ କରିଛନ୍ତି ।

ମୁମ୍ବାଇର ଅନ୍ଧେରି ଅଞ୍ଚଳରେ ଜଣେ ୩୦ ବର୍ଷୀୟ ମଡେଲ୍ ଚାର୍ ବଙ୍ଗଳାସ୍ଥିତ ହୋଟେଲ ରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । କିଛି ଦିନ ହେଲା ହୋଟେଲରେ ଏକ ରୁମ୍ ନେଇ ମଡେଲ ଜଣକ ରହୁଥିଲେ । ତାଙ୍କ ଆତ୍ମହତ୍ୟା ପରେ ବର୍ସୋଭା ପୋଲିସ ଏକ ମାମଲା ରୁଜୁ କରିଛି । ଆତ୍ମହତ୍ୟା ମାମଲାର ତଦନ୍ତ ଚାଲିଛି ।

ମଡେଲଙ୍କ ନାଁ ଆକାଂକ୍ଷା ମୋହନ । ସେ ଲୋଖଣ୍ଡୱାଲାର ଯମୁନା ନଗର ସୋସାଇଟିରେ ରହୁଥିଲେ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ରାତି ପ୍ରାୟ ୧ଟା ସମୟରେ ମଡେଲ ହୋଟେଲରେ ଚେକ୍‌ ଇନ୍‌ କରିବା ସହ ଡିନର୍‌ ଅର୍ଡର୍‌ କରିଥିଲେ । ଖାଇବା ଦେବା ପରେ ୱେଟର୍‌ ଫେରିଯାଇଥିଲା । ସବୁ ଠିକ୍‌ ଠାକ୍‌ ଥିବା ପରି ଜଣାପଡ଼ୁଥିଲା ।

ହେଲେ ତା’ ପର ଦିନ ଅର୍ଥାତ ଗୁରୁବାର ଦିନ ଆଶ୍ଚର୍ଯ୍ୟଜନକ ଖବର ଆସିଲା । ହୋଟେଲ ୱେଟର ବାରମ୍ବାର ତାଙ୍କ ରୁମର କଲିଂବେଲ୍ ମାରୁଥିଲେ ମଧ୍ୟ ସେ ଖୋଲିନଥିଲେ । ଫଳରେ ୱେଟର ଜଣକ ହୋଟେଲର ମ୍ୟାନେଜରଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ମ୍ୟାନେଜର ତୁରନ୍ତ ପୋଲିସକୁ ଡାକି ସବିଶେଷ ତଥ୍ୟ ଦେଇଥିଲେ । ହୋଟେଲରେ ପହଞ୍ଚିବାର କିଛି ସମୟ ପରେ ପୋଲିସ ମାଷ୍ଟର କିରେ ରୁମ ଖୋଲିଥିଲା । ହେଲେ ଭିତରକୁ ପଶିବା ପରେ ସମସ୍ତଙ୍କ ହୋସ୍‌ ଉଡ଼ିଯାଇଥିଲା । ମଡେଲ ଜଣକ ଫ୍ୟାନ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା ।

ସୁଇସାଇଡ୍‌ ନୋଟରେ କ’ଣ ଲେଖାଯାଇଛି ?

ହୋଟେଲ ରୁମରୁ ପୋଲିସ ଏକ ସୁଇସାଇଡ୍‌ ନୋଟ ଜବତ କରିଛି । ମଡେଲ୍‌ ଜଣକ ଲେଖିଛନ୍ତି, ‘ମୁଁ ଖୁସି ନୁହେଁ, ମୋତେ କ୍ଷମା କରିଦେବ । ମୋ ମୃତ୍ୟ ପାଇଁ କେହି ବି ଦାୟୀ ନୁହଁନ୍ତି। କାହାକୁ ହଇରାଣ କରିବେ ନାହିଁ । ମୁଁ କେବଳ ଶାନ୍ତି ଚାହୁଁଛି ।’

ବର୍ତ୍ତମାନ ପୋଲିସ୍‌ ଏହି ନୋଟ୍‌ ଆଧାରରେ ଏକ ମାମଲା ରୁଜୁ କରି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଖୁସି ନଥିବାରୁ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କିଛି କାରଣ ରହିଛି, ସେଦିଗରେ ମଧ୍ୟ ପୋଲିସ ଅନୁସନ୍ଧାନ କରୁଛି।